ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ଖୁସି ଖବର। ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ (ଆଇପିଏଲ୍)ରେ ଖେଳିବାର ସୁଯୋଗ ପାଇଛନ୍ତି। ରବିବାର ଆଇପିଏଲ୍‌ର ଅକ୍ସନର ଦ୍ଵିତୀୟ ଦିନରେ ଶୁଭ୍ରାଂଶୁଙ୍କ ନିଲାମି ହୋଇଛି। ୨୦ ଲକ୍ଷର ବେସ୍ ପ୍ରାଇସରେ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସ୍‌କେ) ଶୁଭ୍ରାଂଶୁଙ୍କୁ କିଣିଛି।

କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ରେ ଶୁଭ୍ରାଂଶୁ ଖେଳିବାର ସୁଯୋଗ ପାଇଥିବାରୁ ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି।ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର ଭାବେ ଆଇପିଏଲ୍‌ରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳିଥିଲେ।କେନ୍ଦୁଝରରେ ଜନ୍ମିତ ଶୁଭ୍ରାଂଶୁ ୨୦୧୬-୧୭ ରଣଜୀ ଟ୍ରଫି ମାଧ୍ୟମରେ ଓଡ଼ିଶା ଟିମ୍ ପାଇଁ ପ୍ରଥମଥର ମ୍ୟାଚ୍ ଖେଳିଥିଲେ। ୨୫ ବର୍ଷୀୟ ଶୁଭ୍ରାଂଶୁ ଏବେ ଓଡ଼ିଶା ରଣଜୀ ଟିମ୍‌ର ଅଧିନାୟକ ଅଛନ୍ତି। ପୂର୍ବରୁ ସେ ୧୯ ବର୍ଷରୁ କମ୍ ଓଡ଼ିଶା କ୍ରିକେଟ ଟିମ୍‌ର ଅଧିନାୟକ ଦାୟିତ୍ଵ ସମ୍ଭାଳି ଭଲ ପ୍ରଦର୍ଶନ କରିଥିଲେ। ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି। ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି। ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ ହାସଲ କରିଛନ୍ତି।

Comment