ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌କୁ ମିଳିଲା ଆଉ ଦୁଇଟି ଟିମ୍। ଏଥର ଆଇପିଏଲ୍‌ରେ ୧୦ଟି ଟିମ୍ ଖେଳିବେ। ଏହି ଦୁଇଟି ହେଲା ଟିମ୍ ଗୁଜୁରାଟର ଅହମ୍ମଦାବାଦ୍ ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ମୌ। ୨୦୨୨ ଆଇପିଏଲ୍‌ର ୧୫ତମ ସଂସ୍କରଣରେ ଏହି ଦୁଇଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।

ଆଇପିଏଲ୍‌ରେ ୨ଟି ନୂଆ ଟିମ୍ ସାମିଲ ନେଇ ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା। ଏଥିଲାଗି ସୋମବାର ଦୁବାଇରେ ଆଇପିଏଲ୍‌ର ବିଡିଂ ବା ନିଲାମ୍ ପ୍ରକ୍ରିୟା ହୋଇଥିଲା। ଏଥିରେ ଭାରତର ଦୁଇ ସହର ଅହମ୍ମଦାବାଦ୍ ଓ ଲକ୍ଷ୍ମୌର ଆଇପିଏଲ୍‌ ଦଳ ପାଇଁ ବିଡିଂ ପକ୍କା ହୋଇଛି। ଏଥିସହ ପୂର୍ବାଞ୍ଚଳରୁ କଟକକୁ ଏକ ଆଇପିଏଲ୍ ଟିମ୍ ମିଳିବାର ଯେଉଁ ଆଶା ଥିଲା ତାହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ପୂର୍ବତନ କେନ୍ଦ୍ରମନ୍ତ୍ରୀ ନବୀନ ଜିନ୍ଦଲଙ୍କ ଜିନ୍ଦଲ ଷ୍ଟିଲ, କଟକ ଟିମ୍‌ର ବିଡିଂ ପାଇଁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଥିଲା। ଏଥିଲାଗି ଜିନ୍ଦଲ ପକ୍ଷରୁ ଟେଣ୍ଡର ଡକ୍ୟୁମେଣ୍ଟ ମଧ୍ୟ କିଣାଯାଇଥିବା ଶୁଣିବାକୁ ମିଳିଥିଲା। ତେଣୁ ସାରା ଓଡ଼ିଶାର କ୍ରିକେଟ୍ ପ୍ରେମୀମାନେ ଆଗାମୀ ଆଇପିଏଲ୍‌ରେ କଟକର ସ୍ଥାନ ଦେଖିବାକୁ ଆଶାବାଦୀ ଥିଲେ। ହେଲେ ଆଜିର ବିଡିଂ ପରେ ତାହା ମଉଳି ଯାଇଛି।

ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ୍ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆର୍‌ପିଏସ୍‌ଜି ଗ୍ରୁପ୍ କିଣିଛି। ଅହମ୍ମଦାବାଦର ଟିମ୍‌କୁ ସିଭିସି କ୍ୟାପିଟାଲ୍ସ ୫ହଜାର ୧୬୬ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌର ଟିମ୍‌ ୭ ହଜାର ୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତକୁ ଯାଇଛି।

Comment