ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ-୨୦୨୨ରେ ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ସାମିଲ ହୋଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ପ୍ରଦୀପ ସେନାପତି।

କ୍ରିକେଟ ପ୍ରତି ଦୁର୍ବଳତା ତାଙ୍କୁ ଆଣିଦେଇଛି ଜାତୀୟସ୍ତରରେ ସଫଳତା। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ତାଙ୍କୁ କ୍ରିକେଟ ଜଗତରେ ଦେଇଛି ସ୍ଵତନ୍ତ୍ର ପରିଚୟ। ଜିଲ୍ଲାସ୍ତରରୁ ଆରମ୍ଭ କରିଥିବା କ୍ରିକେଟ ଯାତ୍ରା ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ପହଞ୍ଚିଛି। ଆଇପିଏଲ ପାଇଁ ମନୋନୀତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା ପ୍ରତିଭା ହେଉଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ପ୍ରଦୀପ ସେନାପତି।

ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଦଳର ଜଣେ ଖେଳାଳି ବିଶ୍ଵର ବ୍ୟୟ ବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ସ୍ଥାନ ପାଇଛନ୍ତି। ଓଡ଼ିଶା ରଣଜୀ ଦଳର ଅଧିନାୟକ ଥିବା ଶୁଭ୍ରାଂଶୁ ପ୍ରଦୀପ ସେନାପତିଙ୍କୁ ଚଳିତ ଆଇପିଏଲ୍ ଖେଳାଳି ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ) ଫ୍ରାଞ୍ଚାଇଜ ୨୦ ଲକ୍ଷ ଟଙ୍କାରେ କିଣିଛି।

କ୍ରିକେଟ ପ୍ରତି କେବେଠାରୁ ଆଗ୍ରହ ଆସିଲା? କିଏ ଆପଣଙ୍କୁ କ୍ରିକେଟ ଖେଳିବାକୁ ପ୍ରେରଣା ଦେଇଥିଲେ?

ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ସମୟରେ ମୁଁ ଇଣ୍ଟର ସ୍କୁଲ କ୍ରିକେଟ ମ୍ୟାଚରେ ଖେଳୁଥିଲି। ଭଲ ପ୍ରଦର୍ଶନ କରୁଥିବାରୁ ସାଙ୍ଗମାନେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉ ଥିଲେ। କେନ୍ଦୁଝର ଆଇଡଲ କ୍ଲବରେ କ୍ରିକେଟ ପାଇଁ ଟ୍ରେନିଂ ଦିଆଯାଉଥିବାରୁ ସେଠାରେ ଯୋଗ ଦେବାକୁ ସାଙ୍ଗମାନେ ପରାମର୍ଶ ଦେଇଥିଲେ। ସେଠାରେ ଯୋଗ ଦେବା ପରେ ମୋ ଜୀବନର ଲକ୍ଷ୍ୟ ମଜବୁତ ହୋଇଯାଇଥିଲା।

ଆଇଡଲ କ୍ଲବରେ କିଏ ଆପଣଙ୍କୁ କ୍ରିକେଟ ପାଇଁ ପ୍ରସ୍ତୁତ କରୁଥିଲେ?

ଆଇଡ଼ଲ କ୍ଲବରେ ଯୋଗ ଦେବାପରେ ସୁଧାଂଶୁ ନାୟକ(ଭାଇ) ମୋର କ୍ରିକେଟ ଗାଇଡ ପାଲଟି ଗଲେ। ପୂର୍ବରୁ ଅଲ ରାଉଣ୍ଡର ଭାବେ ଖେଳୁଥିଲି, କିନ୍ତୁ ସୁଧାଂଶୁ ଭାଇ ମୋତେ ନିପୁଣ ବ୍ୟାଟସମ୍ୟାନ ହେବାରେ ସହଯୋଗ କରିଥିଲେ। ସେ ହିଁ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲେ। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ତାହା ସୁଧାଂଶୁ ଭାଇଙ୍କ ପାଇଁ ସମ୍ଭବ ହୋଇପାରିଛି।

 ଆଇପିଏଲରେ ସାମିଲ ହେବେ ବୋଲି ଭାବିଥିଲେ କି?

ଆଇପିଏଲରେ ସାମିଲ ହେବି ବୋଲି ମୋର ଆତ୍ମବିଶ୍ଵାସ ଥିଲା କିନ୍ତୁ ମୁଁ ନିଶ୍ଚିତ ନଥିଲି। ମୁଁ ସାଏଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜେ ହଜାରେ ଟ୍ରଫି ମ୍ୟାଚ ଖେଳିଥିଲି। ଏହା ପରେ ଆଇପିଏଲ ଦଳମାନଙ୍କ ଟ୍ରାଏଲ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲି। କେଉଠି ନା କୋଉଠି ଲାଗୁଥିଲା ଆଇପିଏଲ ଖେଳିବାକୁ ମୋତେ ଚୟନ କରାଯିବ।

ଆଇପିଏଲ ଖେଳାଳିମାନଙ୍କୁ କିପରି ଚୟନ କରାଯାଏ ?

ଆପିଏଲ ସିଲେକ୍ସନ ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯିବାକୁ ହୋଇଥାଏ। ଖାସ କରି ସାଏଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜେ ହଜାରେ ଟ୍ରଫି ମ୍ୟାଚ ଖେଳାଯାଏ। ଏଥିରେ ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ସେମାନଙ୍କ ଉପରେ ବିଭିନ୍ନ ଏଜେନ୍ସିମାନେ ନଜର ରଖି ଡାଟା ଆଇପିଏଲ ଦଳମାନଙ୍କୁ ଦେଇଥାନ୍ତି।

ଏହା ପରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ବିଭିନ୍ନ ଆଇପିଏଲ ଦଳ ଟ୍ରାଏଲ କ୍ୟାମ୍ପ କରି ନିମନ୍ତ୍ରଣ କରିଥାନ୍ତି। ସେମାନଙ୍କର ପ୍ରଦର୍ଶନ ଦେଖି ଖେଳାଳିଙ୍କର ଚୟନ କରିଥାନ୍ତି ଆଇପିଏଲ ଦଳମାନେ। ପୂର୍ବ ରେକର୍ଡ ଏବଂ ବର୍ତ୍ତମାନର ପ୍ରଦର୍ଶନକୁ ଆଧାର କରି ଆଇପିଏଲ ଦଳମାନେ ଖେଳାଳି ଚୟନ କରିଥାନ୍ତି।

ଆଇପିଏଲରେ ଚୟନ ହେବା ଖବର ଶୁଣି ଆପଣଙ୍କ ପ୍ରତିକ୍ରିୟା କିପରି ଥିଲା?

ମୁଁ ସାଙ୍ଗମାନଙ୍କ ସହ ଟିଭିରେ ଆଇପିଏଲ୍ ଅକ୍ସନ ଦେଖୁଥିଲି। ହାଠାତ ମୋ ନାଁ ଟିଭି ସ୍କ୍ରିନରେ ଦେଖି ବିଶ୍ଵାସ କରିପାରିଲି ନାହିଁ। ନିଶ୍ଚିତ ନଥିଲେ ମଧ୍ୟ ଲାଗୁଥିଲା ଆଇପିଏଲ କ୍ୟାମ୍ପରେ ସାମିଲ ହେବି ବୋଲି।

କେବେ ଆଇପିଏଲ କ୍ୟାମ୍ପରେ ଯୋଗ ଦେବେ?

ଆଗକୁ ରଣଜୀ ମ୍ୟାଚ। ମ୍ୟାଚ ସରିବା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆଇପିଏଲ କ୍ୟାମ୍ପରେ ଯୋଗ ଦେବି।

ରଣଜୀ ଟିମରେ ବୋଧେ ଆପଣ ପ୍ରଥମ ଥର ଅଧିନାୟକ ଦାୟିତ୍ଵ ନେଇଛନ୍ତି?

ନା, ଏହା ପୂର୍ବରୁ ମୁଁ ଓଡ଼ିଶା ଅଣ୍ଡର ୨୩ କ୍ରିକେଟ ଟିମରେ ରହିବା ସମୟରେ ଅଧିନାୟକ ଦାୟିତ୍ଵ ତୁଲାଇଥିଲି। ଏହି ସମୟରେ ଇଷ୍ଟ ଜୋନର ଚମ୍ପିଆନ ହେବାର ସୌଭାଗ୍ୟ ମଧ୍ୟ ଆମ ଟିମ ପାଇଥିଲା।

ରାଜ୍ୟସ୍ତରରେ କ୍ରିକେଟ ଯାତ୍ରା କେବେଠାରୁ ଆରମ୍ଭ କରିଥିଲେ?

ଜିଲ୍ଲାସ୍ତରରେ ଭଲ ପ୍ରଦର୍ଶନ କରିବା ପରେ ରାଜ୍ୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲି। ରାଜ୍ୟସ୍ତରରେ କ୍ରିକେଟ ଖେଳିବା ପାଇଁ ମତେ ପ୍ରସ୍ତୁତ କରୁଥିଲେ କେନ୍ଦୁଝର ଜିଲ୍ଲାର ଗିରିଶ ଚନ୍ଦ୍ର ହୋତା। କେନ୍ଦୁଝରରୁ ଭୁବନେଶ୍ଵର ଏବଂ କଟକକୁ ମ୍ୟାଚ ଖେଳିବାକୁ ଏକା ଆସିବାକୁ ପଡ଼ୁଥିଲା।

ଓଡ଼ିଶା ଅଣ୍ଡର ୧୬ କ୍ରିକେଟ ଟିମରେ ସାମିଲ ହେବାର ଅନୁଭୂତି ଟିକେ କୁହନ୍ତୁ

ରାଜ୍ୟସ୍ତରରେ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ମୋତେ ଅଣ୍ଡର ୧୬ କ୍ରିକେଟ ଟିମରେ ସାମିଲ କରାଯାଇଥିଲା। କିନ୍ତୁ ଅତିରିକ୍ତ ଖେଳାଳି ଭାବେ। ଟିମରେ ସାମିଲ ହେଇଥିଲେ ମଧ୍ୟ ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା। ଯାହା ମୋତେ ଖୁବ କଷ୍ଟ ଦେଇଥିଲା। ସେବେଠାରୁ ମୁଁ ନିଷ୍ପତ୍ତି ନେଇଥିଲି ପରିଶ୍ରମ କରିବି, ଭଲ ପ୍ରଦର୍ଶନ କରିବି ଏବଂ କ୍ରିକେଟ ଜଗତରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବି।

କେବେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ପାଇଁ ମନୋନୀତ ହୋଇଥିଲେ?

ମୁଁ ୨୦୧୫ରେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ପାଇଁ ମନୋନୀତ ହୋଇଥିଲି। ମୋର କୋଚ ଥିଲେ ଝାରସୁଗୁଡ଼ାର ସୋଭନ ଦେବ। ଏହି ସମୟରେ ତିନିଟା ମ୍ୟାଚ ଖେଳି ଥିଲି। ଓଡ଼ିଶାରେ ଗୋଟିଏ ମ୍ୟାଚ ଖେଳିଥିଲି। ତିନିଟି ମ୍ୟାଚରୁ ଦୁଇଟିରେ ୧୦୦ ଏବଂ ଗୋଟିଏ ୫୦ ରନ କରିଥିଲି। ସେହିଠାରୁ ମୋର ଜୀବନର ମୋଡ଼ ବଦଳି ଯାଇଥିଲା।

ରଣଜୀ କ୍ରିକେଟ ଟିମରେ ସାମିଲ ବେହା ପରେ ଆପଣଙ୍କର ଅଭିଜ୍ଞତା କୁହନ୍ତୁ

ରଣଜୀ କ୍ରିକେଟ ଟିମକୁ ମୁଁ ୨୦୧୫-୧୬ ମସିହାରେ ଚୟନ ହୋଇଥିଲି। ରଣଜୀ ଟିମରେ ସାମିଲ ହେବାକୁ ରଞ୍ଜି ଟୁର୍ଣ୍ଣାମେଣ୍ଟ ଖେଳାଯାଏ। ଏହାକୁ ଇନଭିଟେସନ ଟୁର୍ଣ୍ଣାମେଣ୍ଟ ମଧ୍ୟ କୁହାଯାଏ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ଦେଖି ମୋତେ ଟିମରେ ସାମିଲ କରିଥିଲା। କେବଳ ଏତିକି ନୁହେଁ ଓଡ଼ିଶା ଅଣ୍ଡର ୧୯ ମ୍ୟାଚର ପ୍ରଦର୍ଶନ ଆଧାରରେ ମୋତେ ସାମିଲ କରାଯାଇଥିଲା।

କେବେଠାରୁ ରଣଜୀ ଦଳର ଅଧିନାୟକ ଦାୟିତ୍ଵ ତୁଲାଉଛନ୍ତି?

୨୦୧୫-୧୬ରେ ରଣଜୀ କ୍ରିକେଟ ଟିମରେ ଯୋଗ ଦେବାପରେ ମୁଁ ବିଭିନ୍ନ ମ୍ୟାଚ ଖେଳିଛି। ମୋର ଭଲ ପ୍ରଦର୍ଶନ ଦେଖି ମୋତେ ଗତ ଦୁଇବର୍ଷ ହେଲା ରଣଜୀ ଦଳରେ ଅଧିନାୟକ ଦାୟିତ୍ଵ ଦିଆଯାଇଛି।

ଆପଣଙ୍କ ଜୀବନର ସବୁଠାରୁ ବଡ଼ ସଫଳତା କେବେ ପାଇଛନ୍ତି?

ଓଡ଼ିଶା ଅଣ୍ଡର ୧୯ରେ ଖେଳିବା ସମୟରେ ପଞ୍ଜାବରେ ଧ୍ରୁବ ପାଣ୍ଡୋଭ ଟ୍ରଫି ପ୍ରଥମ ଥର ପାଇଁ ଓଡ଼ିଶା ଜିତିଥିଲା। ଫଞ୍ଜାବକୁ ହରାଇବା ପରେ ସୌରାଷ୍ଟ୍ରକୁ ହରାଇ ଓଡ଼ିଶା ଦଳ ଚମ୍ପିଆନ ହୋଇଥିଲା।

ରଣଜୀରେ ଖେଳିବା ସମୟରେ ୫ ଥର ମ୍ୟାନ ଅଫ ଦି ମ୍ୟାଚ ଜିତିଥିଲି। ଭାବିନଥିଲି କ୍ୟାପଟେନ ହେବି। କିନ୍ତୁ ମୁଁ ମୋ ବେଷ୍ଟ ଦଉଥିଲି। ରଣଜୀରେ ଅଧିନାୟକ ହେବା ମୋର ସ୍ଵପ୍ନ ରହିଥିଲା।

କେମିତି ଥିଲା ଆପଣଙ୍କ ପିଲାଦିନ?

୧୯୯୬ ଡିସେମ୍ବର ୩୦ ତାରିଖରେ କେନ୍ଦୁଝରରେ ମୋର ଜନ୍ମ। ବାପା ପ୍ରଦୀପ କୁମାର ସେନାପତି ଜଣେ ସ୍କୁଲ ଶିକ୍ଷକ ଏବଂ ମା’ ଶୈଳବାଳା ସେନାପତି ଜଣେ ଗୃହିଣୀ। ମୋର ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭାଇ ଅଛନ୍ତି। ଭଉଣୀ ସୀମା ସେନାପତି ଶିକ୍ଷକତା କରନ୍ତି। ଭାଇ ଶୁଭ୍ରାଂଶୁ ସେନାପତି କ୍ରିକେଟ ଜଗତରେ ପାଦ ଦେଇଛି। ସେ ବର୍ତ୍ତମାନ ଜିଲ୍ଲା ସ୍ତରରେ କ୍ରିକେଟ ଖେଳୁଛି।

Comment