ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ମେଗା ଅକ୍ସନରେ ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରାଇନାଙ୍କୁ କିଣିବା ପାଇଁ କୌଣସି କ୍ରେତା ମିଳିଲେ ନାହିଁ। ଧୋନୀଙ୍କ ଟିମ ସିଏସକେ ମଧ୍ୟ ରାଇନାଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇଲା ନାହିଁ। ଫଳରେ ସୁରେଶ ରାଇନାଙ୍କୁ ଆଇପିଏଲ୍ ନିଲାମରେ ଲାଗିଛି ବଡ଼ ଝଟକା।

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଏବଂ ମିଷ୍ଟର ଆଇପିଏଲ୍ ଭାବେ ସୁରେଶ ରାଇନାଙ୍କୁ ସମସ୍ତେ ଜାଣନ୍ତି। କିନ୍ତୁ ଶନିବାର ହୋଇଥିବା ଆଇପିଏଲ ନିଲାମରେ କେହି ସୁରେଶ ରାଇନାଙ୍କୁ କିଣିବାକୁ ଆଗ୍ରହ ନଦେଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁରେଶ ରାଇନାଙ୍କର ବେସ ପ୍ରାଇସ ୨ କୋଟି ଟଙ୍କା ଥିଲା। ନିଲାମ ଡକାଯିବା ସମୟରେ ରାଇନାଙ୍କ ନାଁ ଆସିବା ପରେ ମଧ୍ୟ କେହି ବୋଲି ଲଗାଇ ନଥିଲେ। ଦିନେ ସବୁଠାରୁ ଚାହିଦାରେ ରହିଥିବା ସୁରେଶ ରାଇନାଙ୍କୁ ନିଲାମରେ କିଣାନଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

କେବଳ ସୁରେଶ ରାଇନା ନୁହଁନ୍ତି ଅଷ୍ଟ୍ରେଲିଆର ଜଣାଶୁଣା କ୍ରିକେଟର ଷ୍ଟିଭ ସ୍ମିଥଙ୍କୁ ମଧ୍ୟ କେହି କ୍ରୟ କରିନାହାନ୍ତି। ସାଉଥ ଆଫ୍ରିକାର ଡେଭିଡ ମିଲରଙ୍କୁ ମଧ୍ୟ ନିଲାମରେ କେହି ନେବାକୁ ଆଗ୍ରହ ଦେଖାଇଲେ ନାହିଁ। ଆଇପିଏଲ ନିଲାମର ପ୍ରଥମ ଦିନରେ ବାଦ ପଡ଼ିଥିବା ଏହି ଖେଳାଳିମାନଙ୍କୁ କେହି ଆଗକୁ କିଣିବେ କି ନାହିଁ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ।

ବିସିସିଆଇ ନିଲାମର ଗୋଟିଏ ଦିନ ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ନିଲାମ ତାଲିକାରେ ଆଉ ୧୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିଲା। ପ୍ରଥମେ ନିଲାମରେ ଖେଳାଳିଙ୍କ ସଂଖ୍ୟା ୫୯୦ ରହିଥିଲା। ପରେ ଏହାକୁ ବୃଦ୍ଧି କରି ୬୦୦ କରାଯାଇଥିଲା। ଚଳିତ ସିଜିନରେ ଆଉ ଦୁଇଟି ନୂଆ ଟିମ ଲକ୍ଷ୍ନୌ ଏବଂ ଅହମଦାବାଦକୁ ସାମିଲ କରାଯାଇଛି।

Comment