ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍‌ର ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ଚଳିତ ସିଜନକୁ ସ୍ଥଗିତ ଘୋଷଣା କରାଯାଇଛି। ଆଗମୀ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି।

ବିଶ୍ଵର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ୍ ମହାମାରୀ କରୋନା ଦ୍ଵାରା ପ୍ରଭାବିତ ହୋଇଛି। ପୂର୍ବ ବର୍ଷ ମଧ୍ୟ କରୋନା ପାଇଁ ଆଇପିଏଲ୍ ଆୟୋଜନରେ ସମସ୍ୟା ହୋଇଥିଲା। ଯେଉଁ ସମୟରେ ଟୁର୍ଣ୍ଣାମେଣ୍ଟ ହେବା କଥା ସେଥିରେ ବିଳମ୍ଵ କରାଯାଇ ତାହାକୁ ପରେ ଆୟୋଜନ କରାଯାଇଥିଲା। ଭାରତ ପରିବର୍ତ୍ତେ ଦୁବାଇରେ ହୋଇଥିଲା ଆଇପିଏଲ୍।ତେଣୁ ଚଳିତ ଆଇପିଏଲ୍ ଉପରେ ସମସ୍ତଙ୍କର ନଜର ରହିଥିଲା। ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଏପ୍ରିଲ ୯ ତାରିଖରୁ ଆଇପିଏଲ୍‌ର ୧୪ତମ ସଂସ୍କରଣ ଆରମ୍ଭ ହୋଇଥିଲା। ଜୈବ ବଳୟରେ ଖେଳାଳିମାନଙ୍କୁ ରଖାଯିବା ସହ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ଆୟୋଜିତ କରାଯାଇଥିଲା।

କିନ୍ତୁ ମେ’ ୨ ତାରିଖରେ କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେକେଆର୍ ଏବଂ ଆର୍‌ସିବିର ମ୍ୟାଚ୍‌କୁ ବାତିଲ କରାଯାଇଥିଲା। ଏହାପରେ ଚେନ୍ନାଇ ସୁପର କିଙ୍ଗ୍ସରୁ ମଧ୍ୟ ଜଣେ ଖେଳାଳି ପଜିଟିଭ୍ ବାହାରିଥିଲା। ଏହାପରେ ଆଇପିଏଲ୍‌କୁ ନେଇ ଆଶଙ୍କା ଦେଖାଯାଇଥିଲା। ତେବେ ମଙ୍ଗଳବାର ବିସିସିଆଇ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଚଳିତ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Comment