ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପଏଲ୍ ନିଜର ନୂଆ ଚାମ୍ପିୟନକୁ ଦେଖିସାରିଛି। ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି। ତେବେ ଏଥର ଆଇପିଏଲ୍ କିଛି ନୂଆ ଯୁବ ପ୍ରତିଭାଙ୍କୁ ଜନ୍ମ ଦେଇଛି, ଯେଉଁମାନେ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଆରସିବିର ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡିକ୍କଲ। ନିଜର ଦମଦାର ବ୍ୟାଟିଂ ବଳରେ ସେ ଏହି ସିଜିନରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ତାଙ୍କ ବ୍ୟାଟରୁ ମୋଟ ୪୭୩ ରନ୍ ଆସିଥିବାବେଳେ, ସେ ତାଙ୍କର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ରନ ସଂଗ୍ରହରେ ଟପିଯାଇଛନ୍ତି।ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଇଷାନ କିଶନ। ଖୁବଶୀଘ୍ର ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ ବୋଲି ଅନେକ କ୍ରିକେଟ୍ ପଣ୍ଡିତମାନେ କହିସାରିଲେଣି। ଏହି ସିଜିନରେ କିଶନ ମୋଟ ୧୩ଟି ମ୍ୟାଚ୍ ଖେଳି ୫୨୬ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ବ୍ୟାଟିଂ ଆଭରେଜ୍ ମଧ୍ୟ ୫୭ ଉପରେ ରହିଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୪୪ ଷ୍ଟ୍ରାଇକ ରେଟରେ ତାଙ୍କ ବ୍ୟାଟିଂ ଏଥର ମୁମ୍ବାଇକୁ ଫାଇଦାରେ ରଖିଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ଟିମ୍ ଇଣ୍ଡିଆ ଆଉ ତାଙ୍କ ପାଇ ଅଳ୍ପ ଦୂର ବୋଲି କୁହାଯାଉଛି।ସିଏସକେ ଏଥର ସିଜିନରେ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲା। ହେଲେ ଏହି ଦଳର ଯୁବ ଖେଳାଳି ଋତୁରାଜ ଗାଏକ୍ୱାର୍ଡ କିନ୍ତୁ ନିଜ ବ୍ୟାଟିଂ ବଳରେ ସମସ୍ତଙ୍କ ନଜରକୁ ଆସିପାରିଥିଲେ। ଏପରିକି କ୍ୟାପଟେନ୍ କୁଲ୍ ଧୋନୀ ମଧ୍ୟ ତାଙ୍କର ପ୍ରଶଂସା କରିଥିଲେ। ଋତୁରାଜ ଏଥର ସିଜିରେ ମାତ୍ର ୬ଟି ମ୍ୟାଚ୍ ଖେଳି ୨୦୪ ରନ୍ କରିଛନ୍ତି।୧୯  ବର୍ଷରୁ କମ୍ ଟିମ୍ ଇଣ୍ଡିଆର ଧୂରନ୍ଧର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ଏଥର ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିପାରିଛନ୍ତି। କେକେଆର ତରଫରୁ ଟୁର୍ଣ୍ଣାମେଣ୍ଟ ଖେଳି ଏହି ଖେଳାଳି ମୋଟ ୪୪୦ ରନ୍ କରିବା ସହିତ ନିଜ ଦଳର ଟପ୍ ସ୍କୋରର ହୋଇଛନ୍ତି। ଯାହା ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ବେଶ ସାହାଯ୍ୟ କରିବ।

ସେହିପରି ଆଇପିଏଲର ଆଉ ଜଣେ ପ୍ରତିଭା ମଧ୍ୟ ଟିମ୍ ଇଣ୍ଡିଆରେ ନିକଟରେ ସ୍ଥାନ ପାଇଛି। ସନରାଇଜର୍ସର ୟର୍କର ମାଷ୍ଟର କୁହାଯାଉଥିବା ଟି ନଟରାଜନଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ନଟରାଜନଙ୍କ ଦମଦାର ବୋଲିଂ ସାଙ୍ଗକୁ ୟର୍କର ବଲ୍ ବ୍ୟାଟ୍ସମ୍ୟାନମାନଙ୍କୁ ଅନେକ ସମୟରେ ଅଡୁଆରେ ପକାଇଥାଏ।

Comment