ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ୍। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୨୦୨୩ ସଂସ୍କରଣ। ପ୍ରଥମ ଦିନରେ ଏକ ଦମ୍‌ଦାର ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ।

ଶୁକ୍ରବାର ଆଇପିଏଲର ପ୍ରଥମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥିରେ ମହେନ୍ଦ୍ର ସିଂ ଧୋନୀ ଓ ହାର୍ଦିକ ପାଣ୍ଡ୍ୟଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଉଭୟ ଚେନ୍ନାଇ ଓ ଗୁଜରାଟ ଆଇପିଏଲର ଦୁଇ ଟାଣୁଆ ଦଳ। ଏଥିପାଇଁ ଆଜିର ମ୍ୟାଚରେ ଦର୍ଶକ ଭରପୁର ଆନନ୍ଦ ନେବେ ବୋଲି ଆଶା କରାଯାଉଛି।

ଚେନ୍ନାଇ ଦଳ ୪ ଥର ଆଇପିଏଲ ବିଜୟୀ ହୋଇଥିବା ବେଳେ ଚଳିତବର୍ଷ ପଞ୍ଚମ ଟାଇଟଲ ହାତେଇବାକୁ ମନ ବଳାଇଛି। ୨୦୨୩ ଆଇପିଏଲ ଧୋନୀଙ୍କ କ୍ରିକେଟ ଜୀବନର ଶେଷ ଟୁର୍ଣ୍ଣାମେଣ୍ଟ ହେବାର ଚର୍ଚ୍ଚା ହେଉଛି। ଏଥିଲାଗି ଧୋନୀ ଓ ତାଙ୍କ ଦଳ ଚେନ୍ନାଇର ପ୍ରଦର୍ଶନ ଉପରେ କ୍ରିକେଟପ୍ରେମୀଙ୍କ ବିଶେଷ ନଜର ରହିବ।

ଚଳିତ ଆଇପିଏଲରେ ଧୋନୀଙ୍କ ଛଡ଼ା ଋତୁରାଜ ଗାଏକ୍ଵାଡ, ବେନ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି ଚେନ୍ନାଇ ଦଳକୁ ମଜବୁତ କରିବେ। ଏଥର ଚେନ୍ନାଇ ଦଳରେ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ସୁଯୋଗ ମିଳିବା ନେଇ ଓଡ଼ିଶାର କ୍ରୀଡାପ୍ରେମୀଙ୍କ ନଜର ରହିଛି।

ଅନ୍ୟପଟେ ହାର୍ଦିକ ପାଣ୍ଡ୍ୟଙ୍କ ନେତୃତ୍ଵାଧୀନ ଗୁଜରାଟ ଟାଇଟନ୍ସ ଦଳ ମଧ୍ୟ ଆଇପିଏଲର ଅନ୍ୟତମ ଶକ୍ତିଶାଳୀ ଦଳ। ୨୦୨୨ରେ ନିଜ ପ୍ରଥମ ଆଇପିଏଲରେ ଚାମ୍ପିୟନ ହୋଇ ଦମ ଦେଖାଇଥିଲା ଗୁଜରାଟ। ଚଳିତବର୍ଷ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦଳରେ ବଛାବଛା ଖେଳାଳି ସାମିଲ ହୋଇଛନ୍ତି।

ଶୁଭମନ ଗିଲ, କେନ ୱିଲିୟମସନ, ଡେଭିଡ ମିଲରଙ୍କ ଭଳି ଟାଣୁଆ ବ୍ୟାଟ୍ସମ୍ୟାନ ଦଳରେ ରହିଛନ୍ତି। ଏହାଛଡ଼ା ରସିଦ ଖାନ ଓ ମହମ୍ମଦ ଶାମୀଙ୍କ ଭଳି ଖେଳାଳି ଦଳର ବୋଲିଂକୁ ଆହୁରି ଘାତକ କରିବେ।

ଚଳିତବର୍ଷ ଆଇପିଏଲର ୧୬ତମ ସଂସ୍କରଣ। ୩ ବର୍ଷର ଅପେକ୍ଷା ପରେ ଆଇପିଏଲ ନିଜ ପୂର୍ବ ସ୍ତରକୁ ଫେରିବାକୁ ଯାଉଛି। ଆଇପିଏଲର ପୂର୍ବ ୩ଟି ଟୁର୍ଣ୍ଣାମେଣ୍ଟ କୋଭିଡ୍ କଟକଣା ମଧ୍ୟରେ ପୂର୍ଣ୍ଣ କ୍ଷମତାରେ ଖେଳାଯାଇ ନଥିଲା। ଏଥର ଆଇପିଏଲରେ ପୁଣିଥରେ ‘ହୋମ ଆଣ୍ଡ ଆୱେ’ ଫର୍ମାଟ ଫେରିବାକୁ ଯାଉଛି।

୨୦୨୩ର ଆଇପିଏଲ କିଛି ନୂଆ ପରିବର୍ତ୍ତନ ସହ ଆସୁଛି। ଏଥର ‘ଇମ୍ପାକ୍ଟ ପ୍ଲେୟାର୍‌’ ନିୟମ ବଳରେ କୌଣସି ଦଳ ଟସ୍ ପରେ ମ୍ୟାଚ୍‌ର ଯେକୌଣସି ସମୟରେ ଜଣେ ଖେଳାଳିଙ୍କୁ ବଦଳାଇ ପାରିବ। ସେହିଭଳି ଦଳମାନେ ‘ନୋ ବଲ୍’ ଏବଂ ‘ୱାଇଡ୍‌ ବଲ୍‌’ ପାଇଁ ଅମ୍ପାୟାର୍‌ ରିଭ୍ୟୁ କରିପାରିବେ।

Tags: #IPL2023 #ChennaiSuperkings #GujratTitans #T-20Cricket

Comment