ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୩ର ଶେଷ ପର୍ଯ୍ୟାୟ ଆସି ପହଞ୍ଚିଛି। ରବିବାର ସନ୍ଧ୍ୟାରେ ଆଇପିଏଲରେ ଖେଳାଯିବ ଫାଇନାଲ ମୁକବିଲା। ଏଥିରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍। ପ୍ରାୟ ୨ ମାସ ଧରି ଚାଲିଥିବା ଆଇପିଏଲ୍ ମହାସମରର କିଏ ହେବ ବିଜେତା, ଏହି ମ୍ୟାଚ ତାହା ନିର୍ଦ୍ଧାରଣ କରିବ।

୨୦୨୩ ଆଇପିଏଲରେ ଉଭୟ ଗୁଜରାଟ ଓ ଚେନ୍ନାଇ ନିଜର ପୂର୍ବ ଦବଦବା ଜାରି ରଖି ଏବେ ଫାଇନାଲ୍ ଖେଳିବାକୁ ଆସିଛନ୍ତି। ରବିବାର ଫାଇନାଲ ମୁକବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ନଜର ଦ୍ଵିତୀୟ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଖେଳିବାକୁ ଆସିବ। ଅନ୍ୟପଟେ ନିଜର ପଞ୍ଚମ ଆଇପିଏଲ୍ ଟାଇଟଲ ପାଇଁ ମଇଦାନକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗସ୍।

ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଆସୁଥିବାବେଳେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ପ୍ରତିଦ୍ଵନ୍ଦ୍ଵିତା କରିବ ଚେନ୍ନାଇ।

ଶୁଭମନ ଗିଲ, ଡେଭିଡ୍ ମିଲର, ରସିଦ ଖାନ, ମହମ୍ମଦ ଶାମିଙ୍କ ଭଳି ଖେଳାଲି ଗୁଜରାଟ ଦଳର ଆକ୍ରମଣାତ୍ମକ ପ୍ରଦର୍ଶନକୁ ବଳ ଦେଇଛନ୍ତି। ଗୁଜରାଟ ଶୁକ୍ରବାର ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରିବା ପରେ ଏବେ ଏହାର ମନୋବଳ ଅଧିକ ରହିଛି। ଏହା ଉପରେ ହାର୍ଦିକ ପାଣ୍ଡାଙ୍କ ରଣନୀତି ଓ ଅହମ୍ମଦାବାଦର ହୋମ ସାପୋର୍ଟ ଦଳକୁ ଫାଇନାଲରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବ।

ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ସବୁଠୁ ଲୋକପ୍ରିୟ ଟିମ୍। ୨୦୦୮ ମସିହାରୁ ଏ ଯାଏଁ ଖେଳାଯାଇଥିବା ୧୬ଟି ଆଇପିଏଲ୍ ସଂସ୍କରଣ ମଧ୍ୟରୁ ଦଳ ୧୦ ଥର ଫାଇନାଲକୁ ଯାଇଛି। ଏଥିରୁ ଦଳ ୪ ଥର ଆଇପିଏଲ୍ ଚାମ୍ପିୟନ ହୋଇଛି।

ଚେନ୍ନାଇ ସୁପର କିଙ୍ଗସର ସଫଳତା ପଛରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିଶେଷ ଅବଦାନ ରହିଛି। ନିଜ ଖେଳାଳିମାନଙ୍କ ଭଲ ଭାବେ ନେତୃତ୍ୱ ନେଇଥାନ୍ତି। ଧୋନୀଙ୍କ ଛଡ଼ା ଋତୁରାଜ ଗାଏକ୍ଵାଡ୍, ଡେଭନ କନୱେ, ରବୀନ୍ଦ୍ର ଜଡେଜା, ଦୀପକ ଚହରଙ୍କ ଭଳି ଖେଳାଳି ଦଳକୁ ଆହୁରି ମଜବୁତ କରିଛନ୍ତି। ତେବେ ଦଳ ନିଜ ଫାଇନଲରେ ମଧ୍ୟ ନିଜ ପୂର୍ବ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା କରାଯାଉଛି।

ଚଳିତବର୍ଷ ଆଇପିଏଲରେ ଉଭୟ ଗୁଜରାଟ ଓ ଚେନ୍ନାଇ ଭଲ ପ୍ରଦର୍ଶନ ଜାରି ରଖି ଏହି ଫାଇନାଲରେ ପହଞ୍ଚିଛନ୍ତି। ଏହି ଦୁଇ ଦଳ ବିପକ୍ଷ ଟିମକୁ ପଛରେ ପକାଇ ପ୍ରଥମେ ଆଇପିଏଲର ପ୍ଲେ ଅଫ ଓ ଏବେ ଫାଇନାଲକୁ ଆସିଛନ୍ତି। ଏହାପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଗୁଜରାଟ ଓ ଚେନ୍ନାଇ ଯଥାକ୍ରମେ ୧ ଓ ୨ ସ୍ଥାନରେ ରହି ପ୍ଲେ ଅଫର ପ୍ରଥମ କ୍ଵାଲିଫାୟର ମ୍ୟାଚ ଖେଳିଥିଲେ।

ଚେନ୍ନାଇ ନିଜ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ପ୍ରଥମ କ୍ଵାଲିଫାୟରରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରି ସିଧାସଳଖ ଫାଇନାଲକୁ ଯାଇଥିଲା। ଅନ୍ୟପଟେ ଗୁଜରାଟ ଦଳ ମୁମ୍ବାଇକୁ ପରାସ୍ତ କରି ଫାଇନାଲକୁ ଆସିଛି।

ଏବେ ଅପେକ୍ଷା ରବିବାର ସାନ୍ଧ୍ୟାକୁ, ଯେତେବେଳେ ଦୁଇ ଦଳର ପ୍ରାୟ ୧ ଲକ୍ଷରୁ ଅଧିକ ସମର୍ଥକମାନେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ହାଇ ଭୋଲଟେଜ ମୁକାବିଲାକୁ ଉପଭୋଗ କରିବେ।

Tags: #IPL2023 #Finals #CSKvsGT #ChennaiSuperKings #GujratTitans

 

Comment