ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୩ରୁ ବିଦାୟ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ପ୍ଲେ ଅଫର ଦ୍ଵିତୀୟ କ୍ଵାଲିଫାୟର ମୁକବିଲାରେ ଗୁଜରାଟ ଟାଇଟନ୍ସଠାରୁ ୬୨ ରନରେ ପରାସ୍ତ ହୋଇ ଦଳର ଆଇପିଏଲ ଯାତ୍ରା ଶେଷ ହୋଇଯାଇଛି। ଏଥିସହ ଚଳିତବର୍ଷ ମୁମ୍ବାଇର ଷଷ୍ଠ ଥର ପାଇଁ ଆଇପିଏଲ୍ ଚାମ୍ପିୟାନ ହେବାର ସ୍ଵପ୍ନ ଭାଙ୍ଗିଯାଇଛି। ଏଥିସହ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଚଳିତବର୍ଷ ଆଇପିଏଲ୍ ଫାଇନାଲ ହେବ ବୋଲି ସ୍ପଷ୍ଟ ହୋଇଛି।

ଶୁକ୍ରବାର ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ପକ୍ଷରୁ ଶୁଭମନ ଗିଲ ଓ ଋଦ୍ଧିମାନ ଶାହା ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଆରମ୍ଭରୁ ଉଭୟ ଖେଳାଳି ଧୂଆଁଧାର ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଶୁଭମନ ଗିଲଙ୍କ ପ୍ରଦର୍ଶନ ଆଗରେ ମୁମ୍ବାଇର ବୋଲିଂ ଫିକା ପଡ଼ିଯାଇଥିଲା। ସେ ପୁରା ଇନିଂସରେ ୬୦ଟି ବଲରୁ ୧୨୯ ରନ କରିଥିଲେ। ଏଥିରେ ତାଙ୍କର ୧୦ଟି ଛକା ଓ ୭ଟି ଚୌକା ସାମିଲ ଥିଲା।

ଏଥିସହ ପ୍ରଥମ ଇନିଂସରେ ଗୁଜରାଟ ଟାଇଟନ୍ସ ୩ ୱିକେଟ ହରାଇ ୨୩୩ ରନ କରିଥିଲା। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୪୩ ରନ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୨୮ ରନ ସଂଗ୍ରହ କରିଥିଲେ।

ଏହାପରେ ଦ୍ଵିତୀୟ ଇନିଂସରେ ୨୩୪ ରନ ଲକ୍ଷକୁ ଆଗରେ ରଖି ମଇଦାନକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା। ଦଳ ୫ ରନ କରିଥିବାବେଳେ ନେହାଲ ୱଧିରାଙ୍କ ରୂପରେ ପ୍ରଥମ ୱିକେଟ ପଡ଼ିଥିଲା। ଏହାପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ୮ ରନ କରି ଆଉଟ ହୋଇଯାଇଥିଲେ।

ମୁମ୍ବାଇକୁ ପ୍ରାରମ୍ଭିକ ଝଟକା ଲାଗିବାପରେ ତିଳକ ବର୍ମା, କ୍ୟାମେରୁନ ଗ୍ରୀନ ଓ ସୂର୍ଯ୍ୟକୁମାର ଯାଦବ ସ୍ଥିତି ସମ୍ଭାଳିଥିଲେ। ଅନ୍ୟପଟେ ଗୁଜରାଟ ବୋଲରମାନେ ଏମାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ଏହାଫଳରେ ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ ପାଇଁ ତିଷ୍ଠି ପାରିନଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ଯିବାପରେ, ପତ୍ର ଝଡ଼ିବା ଭଳି ମୁମ୍ବାଇର ଗୋଟେ ପରେ ଗୋଟେ ଖେଳାଳି ଆଉଟ ହୋଇଥିଲେ। ଶେଷରେ ୨୩୪ ରନକୁ ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ୧୭୧ରେ ଅଲଆଉଟ ହୋଇଥିଲା।

ଗୁଜରାଟ ପକ୍ଷରୁ ମୋହିତ ଶର୍ମା ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେଇଥିଲେ। ଏହାଛଡ଼ା ଦଳର ମହମ୍ମଦ ଶାମି ଓ ରସିଦ ଖାନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଉତ୍ତମ ପ୍ରଦର୍ଶନ ପାଇଁ ଶୁଭମନ ଗିଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

ଏବେ ଦ୍ଵିତୀୟ କ୍ଵାଲିଫାୟର ଜିତି ଗୁଜରାଟ ଟାଇଟାନ୍ସ ଫାଇନାଲରେ ପ୍ରବେଶ କରିଛି। ଏବେ ରବିବାର ଦିନ ଦଳ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଟାଇଟଲ ପାଇଁ ମୁକବିଲା କରିବ। ଏହି ମ୍ୟାଚଟି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୭ଟା ୩୦ ସମୟରେ ଆରମ୍ଭ ହେବ।

Tags: #IPL2023 #Playoffs #2ndQualifier #GujratvsMumbai #Finals #ChennaivsGujrat

 

Comment