ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ଵାଲିଫାୟର ମ୍ୟାଚରେ ଦଳ ଗୁଜରାଟ ଟାଇଟାନ୍ସକୁ ୧୫ ରନରେ ପରାସ୍ତ କରି ସିଧାସଳଖ ଫାଇନାଲକୁ ଯାଇଛି। ଏଥିସହ ଆଇପିଏଲରେ ଦଶମ ଥର ପାଇଁ ଫାଇନାଲକୁ ଯାଇଥିବା ପ୍ରଥମ ଦଳ ପାଲଟିଛି ସିଏସକେ।

ମଙ୍ଗଳବାର ପ୍ରଥମ କ୍ଵାଲିଫାୟରରେ ସିଏସକେ ଆଗ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୧୭୨ ରନ ସଂଗ୍ରହ କରିଥିଲା। ଗୁଜରାଟ ଟାଇଟାନ୍ସ ବୋଲରମାନେ ସିଏସକେକୁ ବେଶୀ ରନ କରିବାକୁ ଦେଇନଥିଲେ। ସିଏସକେ ପକ୍ଷରୁ ଋତୁରାଜ ଗାଏକ୍ଵାଡ ସର୍ବାଧିକ ୬୦ ରନ କରିଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଗୁଜରାଟ ଟାଇଟାନ୍ସ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଥମ ୩ ଓଭର ପରେ ସିଏସକେର ବୋଲମାନଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ଏହାପରେ ଗୁଜରାଟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ଶୁଭମନ ଗିଲ ଇନିଂସ ସମ୍ଭାଳି ଥିଲେ।

ସିଏସକେର ବୋଲରମାନେ ମଧ୍ୟ ଗୋଟେ ପରେ ଗୋଟେ ୱିକେଟ ବାହାର କରୁଥିଲେ। ଦଳ ୮୮ ରନ କରିଥିବାବେଳେ ଶୁଭମନ ଗିଲଙ୍କ ସହ ପଞ୍ଚମ ୱିକେଟର ପତନ ହୋଇଥିଲା। ଶେଷରେ ଧୋନୀଙ୍କ ରଣନୀତି ଆଗରେ ହାର ମାନିଥିଲା ଗୁଜରାଟ। ଦଳ ୧୫୭ ରନରେ ଅଲଆଉଟ୍ ହୋଇ ପରାସ୍ତ ହୋଇଥିଲା।

ତେବେ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ୍ ଇତିହାସର ଅନ୍ୟତମ ସଫଳ ଟିମ୍। ୨୦୦୮ ମସିହାରୁ ଏ ଯାଏଁ ଖେଳାଯାଇଥିବା ୧୬ଟି ଆଇପିଏଲ୍ ସଂସ୍କରଣ ମଧ୍ୟରୁ ଦଳ ୧୦ ଥର ଫାଇନାଲକୁ ଯାଇଛି। ଏଥିରୁ ଦଳ ୪ ଥର ଆଇପିଏଲ୍ ଚାମ୍ପିୟନ ହୋଇଛି।

ପୂର୍ବେ ଚେନ୍ନାଇ ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୮, ୨୦୧୯ ଓ ୨୦୨୧ ମସିହା ଆଇପିଏଲ୍ ସଂସ୍କରଣରେ ଫାଇନାଲ ଖେଳିଛି। ଏଥିରୁ ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ ମସିହାରେ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ଏବେ ୨୦୨୩ରେ ସିଏସକେ ନିଜର ପଞ୍ଚମ ଟାଇଟଲ ପାଇଁ ମଇଦାନକୁ ଓହ୍ଲାଇବ।

ଚେନ୍ନାଇ ସୁପର କିଙ୍ଗସର ଏହି ସଫଳତା ପଛରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିଶେଷ ଅବଦାନ ରହିଛି। ଧୋନୀଙ୍କ ବିନା ଚେନ୍ନାଇ ଦଳର କଳ୍ପନା କରାଯାଇପାରିବ ନାହିଁ। ଧୋନୀ ଅନେକ ସମୟରେ ନିଜର ସୁନ୍ଦର ରଣନୀତି ବଳରେ ଦଳ ପାଇଁ ଅନେକ ସଫଳତା ଆଣିଛନ୍ତି, ଖାସକରି ଅନେକ କଠିନ ପରିସ୍ଥିତିରୁ ସେ ଦଳକୁ ବଞ୍ଚାଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ ସହ ଆଇପିଏଲରେ ମଧ୍ୟ ନିଜକୁ ଜଣେ ସଫଳ ଅଧିନାୟକ ସାବ୍ୟସ୍ତ କରିଛନ୍ତି ଧୋନୀ। ଏଥିସହ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ସବୁଠୁ ଲୋକପ୍ରିୟ ଟିମ୍ ପାଲଟିଛି।

ଅନ୍ୟପଟେ ବୁଧବାର ସନ୍ଧ୍ୟାରେ ଆଇପିଏଲରେ ଏଲିମିନେଟର ମ୍ୟାଚ ଖେଳାଯିବ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ପରାସ୍ତ ହେବା ଦଳ ଚଳିତ ଆଇପିଏଲରୁ ବିଦାୟ ନେବ। ଅନ୍ୟପଟେ ଏଲିମିନେଟର ଜିତିଥିବା ଦଳ ଶୁକ୍ରବାର ଦ୍ଵିତୀୟ କ୍ଵାଲିଫାୟର ମୁକବିଲାରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିବ।

ତେବେ ରବିବାର ଦିନ ଆଇପିଏଲ୍ ଫାଇନାଲରେ କିଏ ଚେନ୍ନାଇର ସାମନା କରିବ ତାହା ଏହି ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚରୁ ସ୍ପଷ୍ଟ ହୋଇଯିବ।

Tags: #IPL2023 #ChennaiSuperKings #FinalMatch #MSDhoni

 

Comment