ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି)। ହେଲେ ଏହାପୂର୍ବରୁ ଗୁରୁବାର ଦିନ ସିଏସକେର ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନି। ଏନେଇ ସିଏସକେ ପକ୍ଷରୁ ଘୋଷଣା କରାଯାଇଛି।

ଏବେ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ଵାଡ୍ ସିଏସକେର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଋତୁରାଜ ୨୦୧୯ରୁ ସିଏସକେ ସହ ଜଡ଼ିତ ଅଛନ୍ତି। ସେ ଦଳ ପାଇଁ ୫୨ଟି ମ୍ୟାଚ ଖେଳିଛନ୍ତି।

ସେହିପରି ଆଇପିଏଲ ଆରମ୍ଭ ହେବ ପୂର୍ବରୁ ଗୁରୁବାର ସବୁ ଦଳର ଅଧିନାୟକଙ୍କୁ ଟ୍ରଫି ସହ ଫଟୋସୁଟ୍ ପାଇଁ ଡକାଯାଇଥିଲା। ହେଲେ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ। ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ଵାଡ୍ ସିଏସକେ ତରଫରୁ ଯୋଗ ଦେଇଥିଲେ।

ମହେନ୍ଦ୍ର ସିଂହ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ବେଶ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ତାଙ୍କ ଅଧିନାୟକତ୍ୱରେ ଦଳ ଆଇପିଏଲର ୨୦୨୩ ସଂସ୍କରଣ ସହ ମୋଟ ୫ଟି ଟାଇଟଲ ଜିତିଛି।

ତେବେ ମହେନ୍ଦ୍ର ସିଂ ଧୋନି ଅଧିନାୟକ ପଦ ଛାଡ଼ିବା ଅନେକ ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛି। ସମସ୍ତେ ଏହାକୁ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହେବାଭଳି ଦେଖୁଛନ୍ତି। ଏହାସହ ୨୦୨୪ ସଂସ୍କରଣ ଧୋନିଙ୍କ ପାଇଁ ଶେଷ ଆଇପିଏଲ ହେବ ବୋଲି ଚର୍ଚ୍ଚା ହେଉଛି।

Tags: #IPL2024 #MSDhoni #CSK #Captaincy #Cricket #India

Comment