ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଅଧିନାୟକ ରୋହିତ ଶର୍ମା ଏହି ଦଳର ନେତୃତ୍ଵ ନେବେ। ଅନ୍ୟପଟେ ଅନେକ ଦିନର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ ଦଳରେ ଅଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ। ଏନେଇ ମଙ୍ଗଳବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ଘୋଷଣା ହୋଇଥିବା ଭାରତୀୟ ଦଳରେ ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ ଏଲ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ମୁଖ୍ୟ ବ୍ୟାଟ୍ସମ୍ୟାନ ଭାବେ ସାମିଲ ହୋଇଛନ୍ତି। ସେହିପରି ୱିକେଟ କିପର ଭାବେ କେ ଏସ ଭରତ ଟିମରେ ସ୍ଥାନ ପାଇଛନ୍ତି। ଋଷଭ ପନ୍ତ ପୂର୍ବରୁ ଦୁର୍ଘଟଣା କାରଣରୁ ଆହତ ହୋଇଥିବାରୁ ତାଙ୍କ ବଦଳରେ କେ ଏସ ଭରତଙ୍କୁ ନିଆଯାଇଛି।

ଅନ୍ୟପଟେ ଟିମ୍ ଇଣ୍ଡିଆର ବୋଲିଂ ଲାଇନଅପରେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ ଓ ଅକ୍ସର ପଟେଲ ସ୍ପିନର ଭାବେ ସାମିଲ ହୋଇଛନ୍ତି। ସେହିପରି ଶାର୍ଦୁଲ୍ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମି, ଉମେଶ ଯାଦବ ଓ ଜୟଦେବ ଉନାଦକଟ ଦଳରେ ପେସ ବୋଲିଂର ମଙ୍ଗ ଧରିବେ।

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। ଏହି ଟେଷ୍ଟ ମ୍ୟାଚଟି ଇଂଲଣ୍ଡର ଓଭାଲ୍ ଷ୍ଟାଡିୟମରେ ଜୁନ ମାସ ୭ ତାରିଖରୁ ୧୧ ତାରିଖ ଯାଏଁ ଖେଳାଯିବ।

୨୦୨୩ ମସିହା ଫେବ୍ରୁଆରି ମାସରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲା। ଏହାପୂର୍ବରୁ ଅଷ୍ଟ୍ରେଲିଆ ଏହି ଫାଇନାଲ ଖେଳିବାର ଯୋଗ୍ୟତା ପାଇସାରିଥିଲା।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ୨୦୧୯-୨୧ ସଂସ୍କରଣରେ ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା।

Tags: #ICCWTC2023 #FinalMatch #IndiavsAustralia #TestMatch

 

LEAVE A REPLY

Please enter your comment!
Please enter your name here