ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଧୂଆଁଧାର ୪୬୯ ରନର ଇନିଂସ୍ ଆଗରେ ଭାରତ ପଛେଇ ଯାଇଛି। ଏବେ ଦ୍ଵିତୀୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରି ଭାରତର ଏହି ମ୍ୟାଚ ଜିତି ଟେଷ୍ଟ କ୍ରିକେଟରେ ବିଶ୍ଵ ବିଜେତା ହେବାର ଆଶାକୁ କ୍ଷୁର୍ଣ୍ଣ କରିଛି। ଏବେ କେବଳ ଚମତ୍କାର ପ୍ରଦର୍ଶନ ହିଁ ଅଷ୍ଟ୍ରେଲିଆ ଦେଇଥିବା ୪୪୪ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ଭାରତକୁ ସହାୟ ହେବ।

ଡବ୍ଲୁଟିସି ଫାଇନାଲରେ ବୁଧବାର ଦିନ ପ୍ରଥମେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଦଳର ଉସମାନ ଖ୍ଵାଜା ଓ ମାରନସ ଲାବୁସେନ ଅଳ୍ପ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ସ୍ଟିଭ ସ୍ମିଥ, ଟ୍ରାଭରିସ ହେଡଙ୍କ ସୁନ୍ଦର ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୪୬୯ର ବିଶାଳ ସ୍କୋର କରିବାରେ ସଫଳ ହେଲା। ଟ୍ରାଭରିସ ହେଡ ୧୬୩ ରନ ଓ ସ୍ଟିଭ ସ୍ମିଥ ୧୨୧ ରନ କରି ଭାରତର ବୋଲରମାନଙ୍କୁ ନାକେଦମ କରିଦେଇଥିଲେ।

ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତ ଗୋଟେ ପରେ ଗୋଟେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା। ଦଳ ୩୦ ରନ କରିଥିବାବେଳେ ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ପ୍ରଥମ ୱିକେଟ ପଡ଼ିଥିଲା। ଏହାପରେ ଦଳର ୭୧ ରନ ହୋଇଥିବାବେଳେ ୪ଟି ୱିକେଟ ପଡ଼ିଯାଇଥିଲା। ଅଷ୍ଟ୍ରେଲିୟ ବୋଲରମାନେ ଭାରତୀୟ ଖେଳାଳିଙ୍କୁ ବେଶୀ ସମୟ ତିଷ୍ଟିବାକୁ ଦେଇନଥିଲେ।

ଏହାପରେ ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୭ ରନର ପାର୍ଟନରସିପ୍ ବଳରେ ଭାରତୀୟ ଦଳ ୨୯୬ ରନ କରି ଫଲୋ-ଅନରୁ ବଞ୍ଚି ଯାଇଥିଲା। ଭାରତ ପାଇଁ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୮୯ ରନ କରିଥିଲେ। ଏହି ଇନିଂସରେ ଶାର୍ଦୁଲ ଠାକୁରଙ୍କ ୫୧ ରନ ମଧ୍ୟ ସାମିଲ ରହିଥିଲା। ଅଷ୍ଟ୍ରେଲିୟ କ୍ୟାପଟେନ ପ୍ୟାଟ୍ କମିନ୍ସ ସର୍ବାଧିକ ୩ଟି ୱିକେଟ ନେଇଥିଲେ।

ଏହାପରେ ଦ୍ଵିତୀୟ ଇନିଂସ ଖେଳିବା ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଶନିବାର ସନ୍ଧ୍ୟା ସୁଦ୍ଧା ୮ ୱିକେଟ ବିନିମୟରେ ୨୭୦ ରନ କରି ପାଳି ଘୋଷଣା କରିଛି। ଦ୍ଵିତୀୟ ଇନିଂସରେ ଦଳ ମୋଟ ୪୪୩ ରନର ଲିଡ ନେଇଛି। ଏବେ ମ୍ୟାଚ ଜିତିବାକୁ ଭାରତ ଆଗରେ ୪୪୪ ରନର ବିଶାଳ ସ୍କୋର ଠିଆ କରିଛି ଅଷ୍ଟ୍ରେଲିଆ।

 

ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନମାନେ ଏକ ପ୍ରକାର ଫେଲ ମାରିଛନ୍ତି। ଏହା ପୂର୍ବରୁ ୨୦୨୧ ମସିହାରେ ହୋଇଥିବା ବିଶ୍ଵ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ସଂସ୍କରଣର ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଯଦି ଭାରତ ରବିବାର ଏହି ମ୍ୟାଚ ଜିତିବାରେ ସଫଳ ହୁଏ, ତେବେ କ୍ରିକେଟ ଜଗତରେ ନୂଆ ଇତିହାସ ସୃଷ୍ଟି ହେବ।

Tags: #ICCWorldTestChampionship #FinalMatch #IndiavsAustralia #TestCricket #BCCI

 

Comment