ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୩ରେ ଶୁକ୍ରବାର ସନ୍ଧ୍ୟାରେ ଖେଳାଯିବ ଦ୍ଵିତୀୟ କ୍ଵାଲିଫାୟର ମୁକବିଲା। ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚକୁ ଆଇପିଏଲ ପ୍ରେମୀମାନେ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ଜିତିବା ଦଳର ଫାଇନାଲରେ ଚେନ୍ନାଇ ସହ ମୁହାଁମୁହିଁ ହେବ।

ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଆସୁଥିବାବେଳେ ରୋହିତ ଶର୍ମାଙ୍କ ନେତୃତ୍ଵରେ ପ୍ରତିଦ୍ଵନ୍ଦ୍ଵିତା କରିବ ମୁମ୍ବାଇ। ଶୁଭମନ ଗିଲ, ଡେଭିଡ୍ ମିଲର, ରସିଦ ଖାନ, ମହମ୍ମଦ ଶାମିଙ୍କ ଭଳି ଖେଳାଲି ଗୁଜରାଟ ଦଳର ଆକ୍ରମଣାତ୍ମକ ପ୍ରଦର୍ଶନ ବଳ ଦେଇଛନ୍ତି। ଏହା ଉପରେ ହାର୍ଦିକ ପାଣ୍ଡ୍ୟାଙ୍କ ରଣନୀତି ଦଳକୁ ଆଇପିଏଲ୍ ଗ୍ରୁପ୍ ଟପ୍ କରିବାରେ ବହୁତ ସହାୟତା କରିଛି।

ଅନ୍ୟପଟେ ଇଶାନ କିଶନ, କ୍ୟାମେରୁନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, କ୍ରିସ ଜୋର୍ଡାନଙ୍କ ଖେଳ ମୁମ୍ବାଇର ପ୍ରଦର୍ଶନକୁ ଦ୍ଵିଗୁଣିତ କରିଛି। ଚଳିତ ଆଇପିଏଲର ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଖାସ ରହିନଥିଲେ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟର ଶେଷ ଆଡ଼କୁ ଭଲ ପ୍ରଦର୍ଶନ କରି ଦଳ ପ୍ଲେ ଅଫରେ ସ୍ଥାନ ପାଇଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଆଇପିଏଲ ଗ୍ରୁପ୍ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫକୁ ଆସିଥିଲା। ପ୍ଲେ ଅଫର ଏଲିମିନେଟର ମ୍ୟାଚରେ ଦଳ ଲକ୍ଷ୍ନୌକୁ ଆକର୍ଷଣୀୟ ଭାବେ ପରାସ୍ତ କରିଥିଲା। ଏହି ମ୍ୟାଚରେ ମୁମ୍ବାଇ ଦଳରେ ନୂଆ କରି ସାମିଲ ହୋଇଥିବା ଡାହାଣହାତି ବୋଲର ଆକାଶ ମଧୱାଲ୍ ୫ଟି ନେଇ ଲକ୍ଷ୍ନୌର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ମୁମ୍ବାଇର ୧୮୨ ରନ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌର ଇନିଂସ୍ ୧୦୧ରେ ଶେଷ ହୋଇଯାଇଥିଲା।

ସେହିପରି ଗୁଜରାଟ ଟାଇଟାନ୍ସ ଚଳିତ ଆଇପିଏଲରେ ବହୁତ ଭଲ ପ୍ରଦର୍ଶନ କରିଛି। ଗୁଜରାଟ ଗ୍ରୁପ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲ୍ ଟପ କରି ପ୍ଲେ ଅଫକୁ ଉତ୍ତୀର୍ଣ୍ଣ ହୋଇଥିଲା। ପ୍ରଥମ କ୍ଵାଲିଫାୟର ଦଳ ଚେନ୍ନାଇଠାରୁ ୧୫ ରନରେ ପରାସ୍ତ ହୋଇ ଏବେ ଦ୍ଵିତୀୟ କ୍ଵାଲିଫାୟର ଖେଳିବାକୁ ଆସିଛି। ଶୁକ୍ରବାର ଗୁଜରାଟ ନିଜ ହୋମ ଗ୍ରାଉଣ୍ଡରେ ଖେଳୁ ଥିବାରୁ ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ତେବେ ଶୁକ୍ରବାରର ମ୍ୟାଚରେ ଦୁଇ ଦଳର ସମର୍ଥକମାନେ ନିଜ ଦଳକୁ ଭରପୂର ସମର୍ଥନ ଦେବେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷରୁ ଅଧିକ ଦର୍ଶକଙ୍କ ଗହଣରେ ଏହି ମ୍ୟାଚଟି ଅତି ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି।

Tags: #IPL2023 #Playoffs #2ndQualifier #GujratvsMumbai #Finals

Comment