ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୩ର ରୋମାଞ୍ଚକର ଫାଇନାଲ ମ୍ୟାଚ ଜିତି ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଚାମ୍ପିୟନ ହୋଇଛି। ଏଥିସହ ଦଳ ପଞ୍ଚମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବାର ଗୌରବ ହାସଲ କରିଛି। ସୋମବାର ଖେଳାଯାଇଥିବା ଫାଇନାଲରେ ଶେଷ ଦୁଇ ବଲରୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ।

ଆଇପିଏଲ୍ ୨୦୨୩ ଫାଇନାଲରେ ସୁନ୍ଦର ପ୍ରଦର୍ଶନ ପାଇଁ ଚେନ୍ନାଇର ଡେଭନ କନୱେ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଥିଲେ। ସେହିପରି ସମଗ୍ର ଆଇପିଏଲରେ ଦମଦାର ପ୍ରଦର୍ଶନ ପାଇଁ ଗୁଜରାଟର ଶୁଭମନ ଗିଲ୍ ‘ପ୍ଲେୟାର ଅଫ ଦି ସିରିଜ’ ହୋଇଥିଲେ। ସେ ଆଇପିଏଲରେ ସର୍ବାଧିକ ୮୯୦ ରନ ପାଇଁ ‘ଅରେଞ୍ଜ କ୍ୟାପ’ ମଧ୍ୟ ହାସଲ କଲେ। ଏହାଛଡ଼ା ଟୁର୍ଣ୍ଣାମେଣ୍ଟରେ ୨୮ଟି ୱିକେଟ ନେଇ ଗୁଜରାଟର ମହମ୍ମଦ ଶାମି ‘ପରପଲ କ୍ୟାପ’ ପାଇଥିଲେ।

ଫାଇନାଲ ମ୍ୟାଚ

ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଗୁଜରାଟ ପକ୍ଷରୁ ଋଦ୍ଧିମାନ ଶାହା ଓ ଶୁଭମନ ଗିଲ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଆରମ୍ଭରୁ ହିଁ ଏହି ଦୁଇ ଖେଳାଳି ଦମଦାର ପ୍ରଦର୍ଶନ କରି ଦଳ ପାଇଁ ରନ କରିବା ଆରମ୍ଭ କରିଥିଲେ।

ଗୁଜରାଟର ଏହି ଦୁଇ ଖେଳାଳି ପ୍ରଥମ ୱିକେଟ ପାଇଁ ୬୭ ରନ ଯୋଡ଼ିଲା ପରେ ଶୁଭମନ ଗିଲଙ୍କୁ ଆକର୍ଷଣୀୟ ଷ୍ଟମ୍ପ ଆଉଟ୍ କରିଥିଲେ ଧୋନୀ। ଏହାପରେ ପଡ଼ିଆକୁ ଆସିଥିବା ସାଇ ସୁଦର୍ଶନ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଆରମ୍ଭ କରିଥିଲେ। ଅନ୍ୟପଟେ ଋଦ୍ଧିମାନ ଶାହା ନିଜର ସୁନ୍ଦର ପ୍ରଦର୍ଶନ ଜାରି ରଖିଥିଲେ। ଦଳୀୟ ସ୍କୋର ୧୩୧ ହୋଇଥିବାବେଳେ ଦୀପକ ଚହରଙ୍କ ଏକ ବଲରୁ କ୍ୟାଚ ଆଉଟ ହୋଇ ପଭେଲିୟନ ଫେରିଥିଲେ ଋଦ୍ଧିମାନ ଶାହା।

ଗୁଜରାଟ ପକ୍ଷରୁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ହାର୍ଦିକ ପାଣ୍ଡ୍ୟା ସାଇ ସୁଦର୍ଶନଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ନେଇଥିଲେ। ସାଇ ସୁଦର୍ଶନଙ୍କ ୯୬ ରନର ଇନିଂସ୍ ବଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିବାରେ ସଫଳ ହୋଇଥିଲା।  ସାଇ ସୁଦର୍ଶନ ନିଜର ଏହି ଧୂଆଁଧାର ଇନିଂସରେ ସେ ୬ଟି ଛକା ଓ ୮ ଟି ଚୌକା ମାରିଥିଲେ। ଫାଇନାଲ ମୁକବିଲାରେ ଗୁଜରାଟ ଚେନ୍ନାଇ ଆଗରେ ୨୧୫ ରନର ଲକ୍ଷ୍ୟ ଧାର୍ଯ୍ୟ କଲା।

ଦ୍ଵିତୀୟ ଇନିଂସରେ ମାତ୍ର ଗୋଟିଏ ବଲ ଖେଳି ଚେନ୍ନାଇ ୪ ରନ କରିଥିବାବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ବର୍ଷା ହେବାପରେ ଡକୱର୍ଥ ଲୁଇସ ପ୍ରଣାଳୀ ଅନୁସାରେ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନର ନୂଆ ଲକ୍ଷ୍ୟ ମିଳିଥିଲା। ଏହି ଟାର୍ଗେଟକୁ ପିଛାକରି ଦଳ ପକ୍ଷରୁ ଋତୁରାଜ ଗାଏକ୍ଵାଡ ଓ ଡେଭନ କନୱେ ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ।

ସେମାନେ ସମ୍ପୂର୍ଣ୍ଣ ପାୱାର ପ୍ଲେରେ ଦ୍ରୁତ ବ୍ୟାଟିଂ କରି ୫୨ ରନ ସଂଗ୍ରହ କରିଥିଲେ। ଏହାପରେ ଚେନ୍ନାଇର ସ୍କୋର ୭୪ ହୋଇଥିବାବେଳେ ଋତୁରାଜ ଗାଏକ୍ଵାଡ ୨୬ ରନ କରି ଆଉଟ ହୋଇଥିଲେ। ତାଙ୍କ ପଛକୁ ଓପନର ଡେଭନ କନୱେ ମଧ୍ୟ ବ୍ୟକ୍ତିଗତ ୪୭ ରନ କରି ଆଉଟ ହୋଇଯାଇଥିଲେ। ଗୁଜରାଟର ବୋଲରମାନେ ଚେନ୍ନାଇର ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ଏହାପରେ ଚେନ୍ନାଇର ସିଭମ ଦୁବେ ଓ ଅଜିଙ୍କ୍ୟ ରାହାଣେ ଧୀରେ ଧୀରେ ଦଳ ପାଇଁ ସ୍କୋର କରି ୱିକେଟ ଜଗିଥିଲେ।

ରାହାଣେ ଆଉଟ ହେବାପରେ କ୍ୟାରିୟାରର ଶେଷ ମ୍ୟାଚ ଖେଳୁଥିବା ଅମ୍ବାତି ରାଇଡ଼ୁ କ୍ରୀଜକୁ ଆସିଥିଲେ। ସେ ୮ଟି ବଲରୁ ୧୯ କରି ଦଳର ବ୍ୟାଟିଂ ଅଭରେଜକୁ ବଢ଼ାଇଥିଲେ। ଶେଷରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଥମ ବଲରେ ହିଁ କିଛି ରନ ନକରି ଆଉଟ ହେବା ପୁରା ଷ୍ଟାଡିୟମରେ ଚେନ୍ନାଇ ସମର୍ଥକଙ୍କୁ ସ୍ତବ୍ଧ କରିଦେଇଥିଲା। ଏହାପରେ ୨ ଓଭରରେ ୨୧ ରନର ଆବଶ୍ୟକତା ରହିଲା ଚେନ୍ନାଇକୁ।

ରୋମଞ୍ଚକର ଶେଷ ଓଭର

ମ୍ୟାଚର ଶେଷ ଓଭର ଅତ୍ୟନ୍ତ ରୋମଞ୍ଚକର ଥିଲା। ୧୪ ତମ ଓଭରରେ ଚେନ୍ନାଇ ୮ ରନ କରିଥିବାବେଳେ ଶେଷ ଓଭର ପାଇଁ ରହିଲା ଆଉ ୧୩ ରନ। ଆଇପିଏଲ ୨୦୨୩ ଶେଷ ଓଭରରେ ବୋଲିଂ କରିବାକୁ ଆସିଥିଲେ ମୋହିତ ଶର୍ମା। ପ୍ରଥମ ବଲ ଡଟ ଓ ଏହାପର ୩ଟି ବଲରେ ୩ଟି ସିଙ୍ଗିଲ୍ ହୋଇଥିବାବେଳେ ଚେନ୍ନାଇକୁ ଜିତିବାକୁ ଶେଷ ଦୁଇଟି ବଲରେ ୧୦ ରନର ଆବଶ୍ୟକତା ଥିଲା। ଆଇପିଏଲ ଟ୍ରଫି କାହା ହାତକୁ ଯିବ, ତାହା ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇପାରିନଥିଲା। ଏବେ ଚେନ୍ନାଇର ସବୁ ଭରଷା ଅଟକିଥିଲା ରବୀନ୍ଦ୍ର ଜାଡେଜାଙ୍କ ଉପରେ।

ମୋହିତ ଶର୍ମାଙ୍କ ପଞ୍ଚମ ବଲରୁ ଜାଡେଜା ଏକ ବିଶାଳ ଛକା ମାରିଥିଲେ। ଏହାଫଳରେ ଶେଷ ବଲରେ ଆଉ ରହିଲା ମାତ୍ର ୪ ରନର ଆବଶ୍ୟକତା। ମୋହିତଙ୍କ ଶେଷ ବଲରୁ ଜାଡେଜା ଥାର୍ଡ ମ୍ୟାନ ଅଞ୍ଚଳକୁ ଏକ ଚୌକା ମାରି ଗୁଜରାଟ ପାଖରୁ ବିଜୟ ଛଡ଼ାଇ ଆଣିଥିଲେ।

ଏହି ବିଜୟ ପରେ ସାରା ଷ୍ଟାଡିୟମରେ ଖୁସିର ଲହରୀ ଛାଇ ଯାଇଥିଲା। ମହେନ୍ଦ୍ର ସିଂହ ଧୋନୀ ପଡ଼ିଆ ଭିତରକୁ ଯାଇ ଜଡେଜା ଓ ଅନ୍ୟ ଖେଳାଳିଙ୍କୁ କୁଣ୍ଢାଇ ପକାଇଥିଲେ। ପୁରା ଷ୍ଟାଡିୟମରେ ଚେନ୍ନାଇ ସମର୍ଥକଙ୍କ ଜୋରଦାର ଉଲ୍ଲାସ ଦେଖିବାକୁ ମିଳିଥିଲା। ଚେନ୍ନାଇ… ଚେନ୍ନାଇ… ସ୍ଵରରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। ଶେଷରେ ଟ୍ରଫି ଉଠାଇଥିଲେ ଧୋନୀ ବାହିନୀ।

Tags: #IPL2023 #Finals #ChennaiSuperKings #Champions #GujratTitans #CSKvsGT

Comment