ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ନେଇ ଏବେ ଭୋକ ବିକଳରେ ତାଟିଆ କାମୁଡୁଛି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ଝଟ୍‌କା ଖାଇବା ପରେ ଏବେ ଅନ୍ତର୍ଜାତୀୟ କୋର୍ଟକୁ ଯିବାକୁ ସଜବାଜ ହେଉଛି ପାକିସ୍ତାନ।

ଅନ୍ତର୍ଜାତୀୟ କୋର୍ଟରେ କଶ୍ମୀର ପ୍ରସଙ୍ଗକୁ ଉଠାଇବା ପାଇଁ ଇମ୍ରାନ ସରକାର ପ୍ରସ୍ତୁତି ଚଳାଇଥିବା ପାକ୍‌ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରଥମେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ହେଲେ କଶ୍ମୀର ଦୁଇ ଦେଶର ସମସ୍ୟା ହୋଇଥିବାରୁ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍‌ ହେବ ନାହିଁ ବୋଲି କହିଥିଲେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ।

ଏହାପରେ ଚୀନର ସହାୟତା ଲୋଡ଼ିଥିଲା ପାକିସ୍ତାନ। ଚୀନ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ରହିଥିବାରୁ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଥିଲା। ଶେଷରେ ୬୧ ବର୍ଷ ପରେ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ବସିଥିଲା।

ଏହି ବୈଠକରେ ଅନ୍ୟତମ ସ୍ଥାୟୀ ସଦସ୍ୟ ଥିବା ୠଷ୍‌ ଭାରତକୁ ସମର୍ଥନ କରିଥିଲା। ଏହାସହ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ପାକିସ୍ତାନ ମୁହଁତୋଡ଼ ଜବାବ ଦେଇଥିଲେ। ଫଳରେ ଏହି ବୈଠକରେ ପାକିସ୍ତାନକୁ କୌଣସି ସୁଫଳ ମିଳିପାରି ନଥିଲା।

ଜାତିସଂଘ ସୁରକ୍ଷା ପରିଷଦରୁ ନିରାଶ ହେବା ପରେ ପାକିସ୍ତାନ ଏବେ ହଡ଼ବଡ଼ ହୋଇଯାଇଛି। ଭାରତକୁ କେମିତି ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବ ତାକୁ ନେଇ ଗୋଟିଏ ପରେ ଗୋଟିଏ ଚାଲ୍‌ ଖେଳୁଛି ପାକିସ୍ତାନ।

ଅଗଷ୍ଟ ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ଉପରେ ବର୍ଷିଥିଲେ। ସିଧା ସେ ମୋଦି ଏବଂ ଆର୍‌ଏସ୍‌ଏସ୍‌କୁ ନିଶାନା କରିଥିଲେ। କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ କୋର୍ଟକୁ ଯିବ ବୋଲି ଧମକ ଦେଇଥିଲେ।

ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ନିଜ ଆଡୁ ଭାରତ ସହ ସମ୍ପର୍କ ଛିନ୍ନ କରିଥିଲା। ବାଣିଜ୍ୟିକ ଓ ଗମନଗମନ ସମ୍ପର୍କ ବନ୍ଦ କରିଥିଲା।

Comment