ଓଡ଼ିଶାଲାଇଭ୍ ବ୍ୟୁରୋ

“୧୩ ବର୍ଷ ବୟସରୁ ଭୁବନେଶ୍ୱର ଆସି ବୁଲି ବୁଲି ବରା, ଆଳୁଚପ୍ ଘୁଗୁନି ବିକ୍ରି କରୁଥିଲି। ତା’ ପରେ ଲୋକଙ୍କ ସାହାଯ୍ୟରେ ଗୋଟେ ଚାଳ ଦୋକାନ କରି ନୂଆ କରି ବେପାର ଆରମ୍ଭ କଲି। ପ୍ରଥମେ ଯେଉଁ ସ୍ଥାନରେ ଦୋକାନ କରିଥିଲି ସେଇଠୁ ଲୋକମାନେ ଦୋକାନ ହଟାଇବାକୁ ବାଧ୍ୟ କରିଥିଲେ। ତା’ପରେ ୨୦୦୭ରେ ପୁଣି ଥରେ ଦୋକାନଟିଏ କଲି, ଯାହା ବର୍ତ୍ତମାନ ଯାଏଁ ଭଲରେ ଚାଲିଛି’’, ଏହି କଥା କହିଛନ୍ତି ଭୁବନେଶ୍ୱରର ୟୁନିଟ୍-୬, କ୍ୟାପିଟାଲ୍ ହସ୍ପିଟାଲ ପାଖରେ ଥିବା ବରା ଦୋକାନୀ ରବିନ୍ଦ୍ର ରାଉତ।

ଲୋକେ ତାଙ୍କୁ ସ୍ନେହରେ ରବି ଭାଇନା ବୋଲି ଡାକନ୍ତି। ୮୦ ମସିହାରୁ ବରା ଦୋକାନ କରିଥିବା ରବି ଭାଇ ପ୍ରଥମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ତା’ ପରେ ଧୀରେ ଧୀରେ ସବୁ ସୁଧୁରିଲା।

ଲୋକଙ୍କୁ ବରା ଖାଇବାକୁ ଇଛା ହେଲେ, ପ୍ରଥମେ ମନରେ ଉଙ୍କି ମାରିଥାଏ ରବି ଭାଇଙ୍କ ସୁଆଦିଆ ବରା।

ଦୋକାନ ଆରମ୍ଭରୁ ରବି ଭାଇ ଗୋଟେ ବରା ପିଚ୍ଛା ୧୦ ପଇସା ନେଉଥିଲେ। ଏବେ ଯାହାର ମୂଲ୍ୟ ୫ ଟଙ୍କା ।

ରବି ଭାଇନା କୁହନ୍ତି, ‘‘ଭଲ ଜିନିଷ ଦେବି ଆଉ ଠିକ୍ ପଇସା ନେବି। ଅଲଗା ଦୋକାନରେ ଖରାପ ତେଲ ଦେଇ ଖରାପ ଜିନିଷ ବିକ୍ରି କରୁଛନ୍ତି, ମୁଁ କିନ୍ତୁ ଭଲ ଜିନିଷ ଦିଏ ଆଉ ଠିକ୍ ପଇସା ନିଏ।’’

ପ୍ରକୃତ ମଣିଷପଣିଆ କହିଲେ ରବି ଭାଙ୍କଠାରୁ ଶିଖିବାକୁ ମିଳେ। ଗରିବ ଓ ଛୋଟ ପିଲାଙ୍କ ପ୍ରତି ରବି ଭାଇଙ୍କ ମନରେ ରହିଛି ଅନେକ ସ୍ନେହ ଓ ଭଲପାଇବା। ଗରିବ ଲୋକଟି ପାଖରେ ପଇସା ନଥିଲେ ସେ ତାକୁ ମାଗଣାରେ ବରା ଘୁଗୁନି ଖାଇବାକୁ ଦିଅନ୍ତି। ଛୋଟ ପିଲାଙ୍କୁ ଦେଖିଲେ ଡାକି ଡାକି ବରା ଖୁଆନ୍ତି। ପିଲାମାନେ ବରା ଖାଇ ଖୁସି ହୁଅନ୍ତି। ତାଙ୍କ ମୁହଁରେ ହସ ଦେଖି ରବି ଭାଇଙ୍କର ପେଟ ପୂରିଯାଏ। ତାଙ୍କର ଲକ୍ଷ୍ୟର ହେଲା ଲୋକେ ପେଟ ପୂରା ଖାଇ ସନ୍ତୁଷ୍ଟ ହୋଇ ଘରକୁ ଫେରନ୍ତୁ।

ରସୁଲଗଡ଼ ବାସିନ୍ଦା ପ୍ରଶାନ୍ତ ରାଉତଙ୍କ କହିବା ଅନୁଯାୟୀ,‘‘ତେଲ, ବିରି, ବହୁତଗୁଡ଼ାଏ ପିଆଜ, ଅଳ୍ପ ଟିକିଏ ସୁଜି ଆଉ ଜିରା ଦେଇ ଗରମ ଗରମ ମୁସ୍‌ମୁସିଆ ବରା ଛାଣନ୍ତି ସେ। କିନ୍ତୁ ତାଙ୍କ ହାତର ସ୍ୱାଦ ଆଉ କେଉଁଠି ମିଳିବନି। ରବି ନନାଙ୍କ ବରା ତିଆରି ଷ୍ଟାଇଲ୍‌ଟି ବହୁତ ନିଆରା। ରସୁଲଗଡ଼ରୁ କେବଳ ରବି ଭାଇଙ୍କ ବରା ଖାଇବା ପାଇଁ ମୁଁ ଏତେ ବାଟ ଆସିଛି।’’

ଏଥିରୁ ଜାଣିପାରୁଥିବେ ତାଙ୍କ ହାତ ତିଆରି ବରା କେତେ ସୁଆଦିଆ।

“ଭୁବନେଶ୍ୱରର ସବୁଠାରୁ ସ୍ପେଶାଲ ବରା-ଘୁଗୁନି ଏଠାରେ ମିଳେ। ଏମ୍ଏଲ୍ଏ ଠାରୁ ଆରମ୍ଭ କରି ଏମ୍‌ପି ପର୍ଯ୍ୟନ୍ତ ସମସ୍ତଙ୍କ ଗହଳି ଏଇଠି ଲାଗେ କେବଳ ହାତ ତିଆରି ସୁଆଦିଆ ବରା ଖାଇବା ପାଇଁ। ହସି ହସି ଲୋକଙ୍କୁ ବରା ପରଷନ୍ତି ସେ’’, କହିଛନ୍ତି ଗ୍ରାହକ ବିଶ୍ୱଜିତ ଖିଲାର।

ଗ୍ରାହକ ହରିଶ୍ଚନ୍ଦ୍ର ମହାନ୍ତିଙ୍କ କହିଛନ୍ତି ଯେ, ୯୦ ମସିହାରେ ରବି ଭାଇନାଙ୍କ ଘୁଗୁନି ବହୁତ ପରିମାଣରେ ବିକ୍ରି ହେଉଥିଲା। କିନ୍ତୁ ଧୀରେ ଧୀରେ ବରା ଚାହିଦା ଏତେ ପରିମାଣରେ ବଢ଼ିଗଲା ଯେ, ଓଡ଼ିଶା ସଚିବାଳୟକୁ ସବୁ ଦିନ ସଂଧ୍ୟା ବେଳେ ବରା ଘୁଗୁନି ପାର୍ସଲ ଯାଏ।

ତାଙ୍କ ବରା ଛଣାର ଆଉ ଏକ ବିଶେଷତ୍ୱ ରହିଛି। ତାହା ହେଲା ସେ ଗରମ ତେଲରେ ହାତ ବୁଡ଼ାଇ ବରା ଛାଣି ଦିଅନ୍ତି। ଏହିପରି ନିଆରା କୌଶଳ ବହୁତ କମ୍ ଲୋକଙ୍କ ପାଖରେ ଦେଖିବାକୁ ମିଳେ। ଏହା ହିଁ ତାଙ୍କୁ ଅନ୍ୟଙ୍କଠାରୁ ଅଲଗା କରିଛି।

ତେଲ କଡ଼େଇରେ ହାତ ପୂରେଇ ବରା ଛାଣିଲା ବେଳେ ଶରୀରରେ ଏକ ପ୍ରକାର ଶକ୍ତି ଆସିଲା ଭଳି ଅନୁଭବ କରିନ୍ତି ସେ। ତେଲ ଛିଟିକି ପଡ଼ିଲେ ତାଙ୍କ ଦେହରେ ଫୋଟକା ହୁଏ ନାହିଁ। କେବଳ ସିଝିଯାଏ ଓ ତା’ ପରେ ସବୁ ଠିକ୍।

ପ୍ରଥମଥର ଯେତେବେଳେ ତେଲ କଡ଼େଇରେ ହାତ ପୂରାଇଥିଲେ ତାଙ୍କ ହାତ ଫୋଟକା ହୋଇ ନଥିଲା। କେବଳ ଗୋଟିଏ ଦିନ, ଗୋଟିଏ ରାତି ହାତ ପୋଡ଼ିଥିଲା ବୋଲି କହନ୍ତି ରବି ଭାଇନା। ସେବେଠାରୁ ହିଁ ସେ ଏପରି ବରା ଛାଣି ଆସୁଛନ୍ତି। ଗରମ ତେଲରେ ହାତ ପୂରାଇ ବରା ଛଣା ତାଙ୍କୁ ବହୁତ ପରିଚୟ ଦେଇଛି ଓଡ଼ିଶାରେ।

ଶେଷରେ ରବିନ୍ଦ୍ର କହିଛନ୍ତି, “ପୁଅ ଏତେ ପରିଶ୍ରମ କରିପାରିବ ନାହିଁ କି ଏହି ଦୋକାନ ଚଲାଇପାରିବି ନାହିଁ ବୋଲି କହୁଛି। ମୁଁ ଯେତେ ଦିନ ଯାଏଁ ବଞ୍ଚି ରହିବି ଏହି ବରା ଦୋକାନ ଚାଲିବ। ତା’ ପରେ ଆଉ ନାହିଁ। ବହୁତ ପରିଶ୍ରମ କରିବାକୁ ପଡ଼େ ଲୋକଙ୍କ ମନ ଓ ପେଟକୁ ଶାନ୍ତି କରିବା ପାଇଁ। ଏହି ଝୁପୁଡ଼ି ଦୋକାନଟିକୁ କିଏ କେତେବେଳେ ଭାଙ୍ଗି ଦେବ, କିଛି ଠିକଣା ନାହଁ। ସରକାର ଯଦି ତାଙ୍କ ଆଡୁ ଗୋଟିଏ ଜାଗା ଦେଇଥା’ନ୍ତେ ନିଜର ଗୋଟିଏ ଭଲ ଦୋକାନଟିଏ କରନ୍ତି। କିନ୍ତୁ ସରକାରୀ ସାହାଯ୍ୟ ବିନା ଏହା ଅସମ୍ଭବ’’, ଆବେଗଭରା କଣ୍ଠରେ କହିଛନ୍ତି ରବି ଭାଇନା।

Comment