ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍‌ରେ ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଇସିସି ପକ୍ଷରୁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି। ଏବେ ଟେଷ୍ଟ ମ୍ୟାଚକୁ ଲୋକଙ୍କ ପାଖରେ ଆଦୃତ କରିବା ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଆୟୋଜନ କରିଛି ଆଇସିସି। ଯେଉଁଥିରେ ଖେଳାଳିଙ୍କ ଜର୍ସି ପଛରେ ନାଁ ଓ ନମ୍ବର ରହିବ।

୨୦୧୯ ଅଗଷ୍ଟ ମାସ ୧ରୁ ଆରମ୍ଭ ହୋଇ ଏହି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ୨୦୨୧ ଜୁନ୍ ମାସ ପର୍ଯ୍ୟନ୍ତ ଚାଲିବ। ନିକଟରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ୍ ସିରିଜରେ ଏହି  ଚାମ୍ପିୟନସିପର ଶୁଭାରମ୍ଭ ହୋଇଛି। ସେହିପରି ୨୦୨୧ ଜୁନ୍ ମାସରେ ଇଂଲଣ୍ଡର ଲର୍ଡସ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍ ସହ ଏହି ଚାମ୍ପିୟନସିପର ସମାପ୍ତି ଘଟିବ।

ଟେଷ୍ଟ ଖେଳୁଥିବା ୧୨ଟି ଦେଶ ମଧ୍ୟରୁ ରାଙ୍କିଙ୍ଗର ପ୍ରଥମ ୯ଟି ଦଳକୁ ନେଇ ଆୟୋଜିତ ହେଉଛି ଏହି ଟେଷ୍ଟ ଚାମ୍ପିୟନସିପ୍। ଏଥିରେ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ସହ ନ୍ୟୁଜିଲାଣ୍ଡ ଦଳ ଭାଗ ନେଉଛନ୍ତି।

ସେହିଭଳି ଟେଷ୍ଟ ଖେଳୁଥିବା ଦେଶ ଆଫଗାନିସ୍ତାନ, ଜିମ୍ବାୱେ ଓ ଆୟାରଲାଣ୍ଡ ଦଳ ଏହି ଟେଷ୍ଟ ଚାମ୍ପିୟନସିପରେ ଭାଗ ନେଇପାରିନାହାନ୍ତି। ଏହା ସହିତ ଏହି ଟେଷ୍ଟ ଚାମ୍ପିୟନସିପରେ ନୂଆକରି ସମସ୍ତ ଖେଳାଳିଙ୍କ ଜର୍ସିରେ ଖେଳାଳିଙ୍କ ନାଁ ଓ ଜର୍ସି ନମ୍ବର ରହିବ।

ଟେଷ୍ଟ ଚାମ୍ପିୟନସିପର କ’ଣ ରହିଛି ଫର୍ମାଟ୍

ଏହି ଟେଷ୍ଟ ଚାମ୍ପିୟନସିପରେ ମୋଟ ୨୭ଟି ସିରିଜ୍ ଖେଳାଯିବ। ଏହି ୨୭ଟି ସିରିଜ୍ ମଧ୍ୟରେ ମୋଟ୍ ୭୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହାପରେ ୨୦୨୧ ମସିହା ଜୁନ୍ ୧୦ ରୁ ୧୪ ତାରିଖରେ ଶ୍ରେଷ୍ଠ ଦୁଇଟି ଦଳକୁ ନେଇ ଫାଇନାଲ ଖେଳାଯିବ। ମ୍ୟାଚର ବିଜେତାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନର ଆଖ୍ୟା ଦିଆଯିବ।

ଯଦି ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୁଏ ତେବେ ଦୁଇଟି ଦଳକୁ ଯୁଗ୍ମବିଜେତା ଘୋଷଣା କରାଯିବ।

ଟେଷ୍ଟ ଚାମ୍ପିୟନସିପରେ ପ୍ରତ୍ୟେକ ଦଳ ୬ଟି ଲେଖାଏଁ ସିରିଜ୍ ଖେଳିବେ। ପ୍ରତ୍ୟେକ ଦଳ ନିଜ ଘରୋଇ ମାଟିରେ ୩ଟି ଓ ବିଦେଶୀ ମାଟିରେ ୩ଟି ସିରିଜ୍ ଖେଳିବ। ପ୍ରତ୍ୟେକ ସିରିଜରେ ଦୁଇରୁ ପାଞ୍ଚଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ସିରିଜ୍ ପାଇଁ ମୋଟ୍ ୧୨୦ ପଏଣ୍ଟ ରହିବ।

ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ହେଲେ ପ୍ରତ୍ୟେକ ମ୍ୟାଚ୍ ପାଇଁ ୬୦ ପଏଣ୍ଟ ରହିବ। ସେହିଭଳି ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରତ୍ୟେକ ମ୍ୟାଚ୍ ପାଇଁ ୪୦, ୫ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ପ୍ରତ୍ୟେକ ମ୍ୟାଚ୍ ପାଇଁ  ୨୪ ଲେଖାଏଁ ପଏଣ୍ଟ ରହିବ।

ସିରିଜିର କୌଣସି ମ୍ୟାଚ୍ ଟାଇ ହେଲେ ଦଳକୁ ମ୍ୟାଚ୍ ପାଇଁ ନିର୍ଦ୍ଧାରିତ ପଏଣ୍ଟର ଅଧା ପଏଣ୍ଟ ମିଳିବ। ସେହିଭଳି ଯେଉଁ ମ୍ୟାଚ୍ ଡ୍ର’ ହେବ ସେଥିପାଇଁ ଦୁଇଦଳକୁ ମ୍ୟାଚ୍ ପଏଣ୍ଟର ଏକ-ତୃତୀୟାଶଂ ପଏଣ୍ଟ ମିଳିବ।

Comment