ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଲଭକୁ ପୋଲ
  • ୨୮ ଏକର ଜମିରେ ବଡ଼ ପୋଖରୀ
  • ଜଗନ୍ନାଥ ବଲ୍ଲଭରେ ବହୁତଳ ପାର୍କିଂ
  • ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ
  • ଅଠରନଳାର ସୌନ୍ଦର୍ଯ୍ୟକରଣ

୨୦୧୫ରେ ମହାପ୍ରଭୁ ଜଗନ୍ନାଥଙ୍କର ହୋଇଥିଲା ନବକଳେବର। ଏଥିପାଇଁ ସେବାୟତଙ୍କଠାରୁ ଆମମ୍ଭ କରି ପୂରା କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ଉଠିଥିଲେ। ମହାପ୍ରଭୁଙ୍କ ନବକଳେବରର ଚାରି ବର୍ଷ ପରେ ଏବେ ପୁରୀ ସହରର ନବକଳେବର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଟଙ୍କାରେ ପୁରୀ ସହରର ଭିତ୍ତିଭୂମି ସଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନବକଳେବର ବେଳେ ମାତ୍ର ୧୫୦ କୋଟି ଟଙ୍କା ଦେଇଥିବା ସରକାର ଏବେ ୫୦୦ କୋଟିର ପ୍ୟାକେଜ କାହିଁକି ଘୋଷଣା କଲେ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

୫୦୦ କୋଟିରେ କ’ଣ ହେବ?

ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗ କରିବା ପାଇଁ ୧୯୦ କୋଟି ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ସେହିପରି ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ, ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ ସେଣ୍ଟର ଏବଂ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପୁରୀରେ ୨୮ ଏକର ଜମିରେ ହ୍ରଦର ବିକାଶ କରାଯିବ। ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ। ମୂଷା ନଦୀ କୂଳରେ ପର୍ଯ୍ୟଟନର ବିକାଶ ପାଇଁ ୮୫ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରାଯାଇଛି। ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ।

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା ମଠଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ନବକଳେବର ବେଳେ ହୋଇଥିଲା କ’ଣ?

୨୦୧୫ରେ ହୋଇଥିଲା ନବକଳେବର ବେଳେ ପୁରୀ ସହରର ବିକାଶକୁ ଫୋକସ୍‌ କରିଥିଲେ ରାଜ୍ୟ ସରକାର। ପ୍ରାୟ ଦୁଇ ବର୍ଷ ତଳୁ ଏଥିପାଇଁ ଏଜେଣ୍ଡା ପ୍ରସ୍ତୁତ କରିଥିଲେ। ବିଭିନ୍ନ ସମୟରେ ଟଙ୍କା ବ୍ୟବୟରାଦ କରିଥିଲେ। ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ ନବକଳେବର ସମୟରେ।

ନବକଳେବର ବେଳେ ମାଳତୀପାଟପୁରରେ ଓଭରବ୍ରିଜ ନିର୍ମାଣ ହେବା ସହ ମାଳତୀପାଟପୁରରେ ବସ୍‌ ଷ୍ଟାଣ୍ଡ ନିର୍ମାଣ ହୋଇଥିଲା।

ନରେନ୍ଦ୍ର ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ପୋଖରୀର ସୌନ୍ଦର୍ଯ୍ୟ ପାଇଁ ଆଲୋକୀକରଣ କରାଯାଇଥିଲା। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡ୍ରେନେଜ୍‌ ବ୍ୟବସ୍ଥାକୁ ସଜଡ଼ା ଯାଇଥିଲା।

ପୁରୀ ଭିଆଇପି ରୋଡ୍‌ରେ ଏଲଇଡି ଷ୍ଟ୍ରୀଟ ଲାଇଟ୍ ଲଗାଯାଇଥିଲା। ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳର ଉନ୍ନତୀକରଣ କରାଯାଇଥିଲା। ଅଠରନଳାରେ ଗରୁଡ଼ ସ୍ତମ୍ଭ ବସାଯାଇ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଉଦ୍ୟମ କରାଯାଇଥିଲା।

ନବକଳେବର ସମୟରେ ପୁରୀର ଯାହା ବିକାଶ ହୋଇଥିଲା ତାକୁ ପରବର୍ତ୍ତୀ ସମୟରେ ବିରୋଧୀ ସମାଲୋଚନା କରିଥିଲେ।

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

ଲୋକସେବା ଭବନରେ ପୁରୀ ସହରର ବିକାଶ ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରିଜ୍‌ ଟୁଇଟ୍‌ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ‘‘ପୁରୀର ଐତିହ୍ୟ ସୁରକ୍ଷା ପାଇଁ ଆଉ ୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ଼ ପରିଚୟ। ପୁରୀ ଧାମର ଗରିମା ବୃଦ୍ଧି ପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି। ଏହାକୁ ମହାପ୍ରଭୁଙ୍କ ସେବା ଭାବନ୍ତୁ।’’

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ‘‘ବାତ୍ୟା ଫନି ପରେ ପୁରୀର ଚିତ୍ର ମତେ ବହୁତ କଷ୍ଟ ଦେଇଥିଲା। ପୁରୀକୁ ବିଶ୍ୱର ଐତିହ୍ୟ ସହର କରିବା ପାଇଁ ସେହିଦିନ ହିଁ ସଙ୍କଳ୍ପ ନେଇଥିଲି। ଏଠାରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ନିର୍ମାଣ ହେବ। ୨୮ ଏକର ଜମିରେ ବଡ଼ ପୋଖରୀ ନିର୍ମାଣ ହେବ। ମଲ୍ଟି ଲେନ୍ ରାସ୍ତା ଏବଂ ବଡ଼ ପାର୍କିଂ ବ୍ୟବସ୍ଥା କରାଯିବ।’’

Comment