ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି। ଶନିବାର ଦିଲ୍ଲୀସ୍ଥିତ ଏମ୍ସ ହସ୍ପଟାଲରେ ଜେଟଲୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୯ ତାରିଖରୁ ଜେଟଲୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ଦୀର୍ଘଦିନରୁ ଅସୁସ୍ଥ ଥିବା ଜେଟଲୀଙ୍କୁ ମୃତ୍ୟୁବେଳକୁ ୬୬ ବର୍ଷ ହୋଇଥିଲା। ମୋଦିଙ୍କ ପ୍ରଥମ ପାଳି ସରକାରରେ ସେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୨୦୧୪ରୁ ୨୦୧୯ ଯାଏଁ ସେ ଏହି ଦାୟିତ୍ୱ ସମ୍ଭାଳିଥିଲେ।

ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଜେଟଲୀଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମ୍‌ସ କାର୍ଡିଓଲୋଜିକାଲ ଡିପାର୍ଟମେଣ୍ଟରେ ତାଙ୍କର ଚିକିତ୍ସା ଚାଲିଥିଲା।

ଏନେଇ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।

୧୯୫୨, ଡିସେମ୍ବର ୨୮ରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ଜେଟଲୀ। ସୁପ୍ରିମକୋର୍ଟରେ ସେ ଜଣେ ଖ୍ୟାତନାମା ଆଇନଜୀବୀ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ବି ସେ ମନ୍ତ୍ରୀ ଥିଲେ। ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ସୂଚନା ପ୍ରସାରଣ ମନ୍ତ୍ରୀ ଥିଲେ। ୨୦୦୦ରୁ ୨୦୦୨, ୨୦୦୩, ୨୦୦୪ ମଧ୍ୟରେ ସେ ଆଇନ ମନ୍ତ୍ରୀ ଥିଲେ।

Comment