ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଜେଟ୍‌ଲୀଙ୍କ ସ୍ମତିଚାରଣ କରିଛନ୍ତି। କେବଳ ଜେଟଲୀ ନୁହନ୍ତି, କିଛିଦିନ ତଳେ ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ବି ଆରପାରିକୁ ଚାଲି ଯାଇଥିଲେ। ଏହା ଥିଲା ବିଜେପି ପାଇଁ ଆଉ ଏକ ବଡ଼ କ୍ଷତି

ସୁଷମାଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ମନୋହର ପାରିକର ଏବଂ ଅନନ୍ତ କୁମାର ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ଏହି ବର୍ଷକ ଭିତରେ ବିଜେପି ୫ ଅମୂଲ୍ୟ ରତ୍ନଙ୍କୁ ହରାଇଛି।

ଅଟଳବିହାରୀ ବାଜପେୟୀ

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ୨୦୧୮ ଅଗଷ୍ଟ ୧୬ରେ ତାଙ୍କର ଦେହାନ୍ତ ହୋଇଥିଲା। ୨୦୦୪ରୁ ରାଜନୀତିକୁ ସନ୍ନ୍ୟାସ ନେଇଥିବା ବାଜପେୟୀଙ୍କୁ ୨୦୧୫ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୧୯୨୪ ଡିସେମ୍ବର ୨୫ରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ ବିଜେପିର ଥିଲେ ପ୍ରତିଷ୍ଠାତା ସଭ୍ୟ। ୩ ଥର ସେ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ଦୁଇ ଥର ସ୍ୱଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ରହିଥିଲେ। ପରେ ପୂରା ପାଞ୍ଚ ବର୍ଷ ରହିଥିଲେ ପ୍ରଧାନମନ୍ତ୍ରୀ।

ବାଜପେୟୀ ୧୯୯୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ୧୩ ଦିନରେ ସରକାର ଭାଙ୍ଗିଥିଲା। ୧୯୯୮ରେ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ ବାଜପେୟୀ। ମାତ୍ର ୧୩ ମାସରେ ତାଙ୍କ ସରକାର ଭାଙ୍ଗିଥିଲା। ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ।

ଅନନ୍ତ କୁମାର

ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଦେହାନ୍ତ ୨୦୧୮ ନଭେମ୍ବର ୧୨ରେ ହୋଇଥିଲା। ବେଙ୍ଗାଳୁରୁ ସାଉଥ୍‌ ଆସନରୁ ସେ ଲଗାତର ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଅନନ୍ତ କୁମାର କେନ୍ଦ୍ରମନ୍ତ୍ରୀ ରହିଥିଲେ। ବାଜପେୟୀଙ୍କ ସରକାରରେ ସେ କ୍ରୀଡ଼ା ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ରହିଥିଲେ।

ମନୋହର ପାରିକର

ଗୋଆ ମୁଖ୍ୟମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଲୋକଙ୍କ ହୃଦୟରେ ରାଜ କରୁଥିବା ମନୋହର ପାରିକରଙ୍କ ଦେହାନ୍ତ ୨୦୧୯ ମାର୍ଚ୍ଚ ୧୭ରେ ହୋଇଥିଲା। ସେ ଦୀର୍ଘ ଦିନ ହେଲା କ୍ୟାନସରରେ ପୀଡ଼ିତ ଥିଲେ। ପାରିକର ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ।

ମୋଦିଙ୍କ ପ୍ରଥମ ପାଳି ସରକାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ପାରିକରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା।

ସୁଷମା ସ୍ୱରାଜ

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ଗତ ୬ ତାରିଖରେ ହୋଇଥିଲା। ୨୦୧୪ରୁ ୨୦୧୯ ଯାଏଁ ସେ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ୱରେ ରହିଥିଲେ।

୧୯୫୨ ଫେବ୍ରୁଆରି ୧୪ରେ ଜନ୍ମ ହୋଇଥିବା ସୁଷମା ରାଜନୀତିରେ ଲମ୍ବା ସମୟ ଧରି ସଫଳତାର ସହ ଯାତ୍ରା କରିଛନ୍ତି। ୧୯୭୭ ମସିହାରେ ସୁଷମାଙ୍କୁ ଯେତେବେଳେ ୨୫ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ।

ହରିୟାଣାର ଅମ୍ବାଲା ବିଧାନସଭା ଆସନରୁ ସୁଷମା ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇ ଦେଶର ଯୁବ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ହରିୟାଣାର ଦେବୀଲାଲ ସରକାରରେ ସୁଷମା ମନ୍ତ୍ରୀ ରହି ଆଉ ଏକ ସଫଳତାର ପାହାଚ ଚଢ଼ିଥିଲେ।

ହରିୟାଣା ରାଜନୀତିରେ ସକ୍ରିୟ ଥିବା ସୁଷମା ନିଜ ଦକ୍ଷତା ବଳରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୬ରେ ସୁଷମା ଦକ୍ଷିଣ ଦିଲ୍ଲୀରୁ ସାଂସଦ ରହିଥିଲେ। ଅଟଳବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୁଷମା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମନ୍ତ୍ରୀ ରହିଥିଲେ।

ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସୁଷମା ୧୯୯୮ରେ ଦିଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ହିଁ ସୁଷମା ଦିଲ୍ଲୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏହାପରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହେବା ପରେ ସୁଷମା ପୁଣି ସାଂସଦ ଭାବେ ଲଢ଼ିଥିଲେ।

୨୦୦୯ ଓ ୨୦୧୪ ନିର୍ବାଚନରେ ସୁଷମା ବିଦିଶା ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ିଥିଲେ। ୨୦୦୯ରେ କେନ୍ଦ୍ରରେ ଉପା ସରକାର କ୍ଷମତାରେ ଥିବାରୁ ସୁଷମା ବିରୋଧୀ ଆସନରେ ରହିଥିଲେ।

ଅରୁଣ ଜେଟ୍‌ଲୀ

ଭାରତୀୟ ରାଜନୀତିର ଜଣେ ପ୍ରମୁଖ ରାଜନେତା ତଥା ମୋଦୀ ସରକାରଙ୍କ ପ୍ରଥମ ପାଳିର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଭାରତୀୟ ରାଜନୀତିରେ ତାଙ୍କର ଅନେକ ଅବଦାନ ରହିଥିଲା। ଭାରତୀୟ ଜନତା ପାର୍ଟିର ଜଣେ ମାର୍ଗଦର୍ଶକ ଭାବେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ବାଜପେୟୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସେ ଗୁରୁତ୍ଵପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ଏହାସହ ସେ ସୁପ୍ରିମ୍‌ କୋର୍ଟର ଜଣେ ଖ୍ୟାତନାମା ଆଇନଜୀବୀ ଥିଲେ।

ଛାତ୍ର ଜୀବନରୁ ହିଁ ସେ ରାଜନୀତିରେ ସକ୍ରିୟ ଥିଲେ। ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସେ ଏବିଭିପିର ଛାତ୍ରନେତା ଥିଲେ। ପରେ ୧୯୭୪ ମସିହାରେ ସେ ବିଶ୍ଵବିଦ୍ୟାଳୟ ଛାତ୍ର ୟୁନିୟନର ସଭାପତି ହୋଇଥିଲେ। ୧୯୭୫ରୁ ୧୯୭୭ ମସିହାରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ସେ ୧୯ ମାସ ଜେଲରେ ରହିଥିଲେ। ଦୁର୍ନୀତି ବିରୋଧରେ ୧୯୭୩ ମସିହାରେ ଜୟନାରାୟଣ ଓ ରାଜ ନାରିନ କରିଥିବା ଆନ୍ଦୋଳନରେ ସାମି ହୋଇଥିଲେ। ପରେ ୧୯୭୭ ମସିହାରେ ତାଙ୍କୁ ଯୁବା ମୋର୍ଚ୍ଚାରେ ସାମିଲ ହୋଇଥିଲେ। ଏହାସହ ତାଙ୍କ ଦିଲ୍ଲୀ ଏବିଭିପିର ସଭାପତି ଓ ସର୍ବଭାରତୀୟ ଏବିଭିପିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୮୦ ମସିହାରେ ସେ ବିଜେପିରେ ଯୋଗ ଦେଇ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ରହିଥିଲେ।

୧୯୯୦ ମସିହାରେ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଓକିଲ ମାନ୍ୟତା ପାଇଥିଲେ। ୧୯୯୧ରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ବାଜପେୟୀ ସରକାରଙ୍କ ପାଳିରେ ସେ ୧୯୯୯ ମସିହାରେ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ପରେ ୨୦୦୦ ମସିହାରେ ଆଇନ ଓ କମ୍ପାନି ଆଫାୟାର୍ସ ମନ୍ତ୍ରୀ ହୋଇଥିଲେ। ଏହାପରେ ମନମୋହନ ସିଂଙ୍କ ସରକାର ବେଳେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ୨୦୦୯ରେ ଦାୟିତ୍ଵ ଗ୍ରହଣ କରିଥିଲେ। ଅରୁଣ ଜେଟଲି ଲୋକସଭାକୁ କେବେ ନିର୍ବାଚିତ ହୋଇନଥିଲେ। ବିଜେପିରୁ ସେ କେବଳ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଶେଷ ଥର ପାଇଁ ୨୦୧୪ ସେ ପଞ୍ଜାବର ଅମୃତସର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ କ୍ୟାପଟେନ ଅମିରିନ୍ଦର ସିଂହଙ୍କ ବିରୋଧରେ ପରାଜିତ ହୋଇଥିଲେ।

ମୋଦିଙ୍କ ପ୍ରଥମ ସରକାର ବେଳେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ତୁଲାଇଛନ୍ତି। ଏହାସହ ୨୦୧୪ରୁ ୨୦୧୬ ଯାଏଁ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ହୋଇଥିଲେ। ୨୦୧୯ ଅଗଷ୍ଟ ୯ ତାରିଖରେ ନିଶ୍ଵାସ ନେବାରେ ଅସୁବିଧା ହେବାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଅଗଷ୍ଟ ୨୪ରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଭାରତୀୟ ରାଜନିତୀରେ ଶୋକର ଛାୟା ଖେଳାଇ ଦେଇଛି।

Comment