ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ସମୁଦ୍ର ଉପକୂଳରେ ଅବସ୍ଥିତ ପେଣ୍ଠଠାରେ ଏକ ଅଘଟଣ ଘଟିଛି। ସମୁଦ୍ର କୂଳ କ୍ଷୟକୁ ରୋକିବା ପାଇଁ ନିର୍ମାଣ ହୋଇଥିବା ଜିଓ ଟ୍ୟୁବ ପ୍ରକଳ୍ପରେ ନିଆଁ ଲାଗି ଏହାକୁ ସୁରକ୍ଷା ଦେଉଥିବା ସିନ୍ଥେଟିକ ଜାଲ ପୋଡି ହୋଇଯାଇଛି। ଫଳରେ ସମୁଦ୍ର ଲହଡ଼ିରେ ଜିଓ ଟ୍ୟୁବ୍‌ରୁ ପଥର ବାହାରି ଯିବାରେ ଲାଗିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ଏହି ଘଟଣା ଘଟାଇଥାଇପାରେ ବୋଲି ଅନୁମାନ କରାଯାଉଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପେଣ୍ଠ ସମୁଦ୍ର କୂଳ ଥିବା ଜିଓ ଟ୍ୟୁବରେ ଗତ କାଲି ରାତିରେ ନିଆଁ ଲାଗି ଯାଇଥିଲା। ରବିବାର ସକାଳେ ସ୍ଥାନୀୟ ଲୋକ ଏବିଷୟରେ ଖବର ପାଇଁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାମ ଜାରି ରଖିଛି।

ରାତିରେ ଅସାମାଜିକ ଲୋକମାନେ ଏହି ସ୍ଥାନରେ ଆଡ୍ଡା ଜମାଇଥାନ୍ତି। ତେବେ ସେମାନେ ଏଭଳି ଉନ୍ମତ କାଣ୍ଡ ଘଟାଇଥାଇ ପାରନ୍ତ ବୋଲି ସ୍ଥାନୀୟ ଲୋକଙ୍କ କହିଛନ୍ତି। ଘଟଣାସ୍ଥଳରେ ଆଳି ତଟବନ୍ଧ ବିଭାଗର ମୁଖ୍ୟଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ସମୁଦ୍ର କୂଳ ଲଂଘୁଥିବାରୁ ରାଜନଗର ବ୍ଲକର ୫୪ଟି ସମୁଦ୍ର କୂଳିଆ ଗାଁକୁ ସୁରକ୍ଷା ଦେବାପାଇଁ ୩୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ପ୍ରାୟ ଦଶ ମିଟର ଲମ୍ବର ସିନ୍ଥେଟିକ ଜାଲ ପୋଡ଼ି ଯାଇଥିବାର ସୂଚନା ମିଳିଛି। ଯାହା ଫଳରେ ଜିଓ ଟ୍ୟୁବ ପ୍ରକଳ୍ପ ଭୁଷୁଡି ପଡ଼ିବାର ଭୟ ସୃଷ୍ଟି ହୋଇଛି।

Comment