ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ। କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତକୁ ଅପଦସ୍ତ କରିବା ପାଇଁ ଇମ୍ରାନ ସରକାର ଯେତେ ଉଦ୍ୟମ କଲେ ବି ତାହା ସଫଳ ହେଉନି। ଗୋଟିଏ ପରେ ଗୋଟିଏ ଝଟ୍‌କା ଖାଇ ଚାଲିଛି ପାକିସ୍ତାନ।

ଅଗଷ୍ଟ ୫ରେ ରାଜ୍ୟସଭା ଏବଂ ୬ ତାରିଖରେ ଲୋକସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହେବା ପରେ ଧାରା ୩୭୦ ଉଛେଦ ହୋଇଥିଲା। ଏହାପରେ ପାକିସ୍ତାନ ଛାତି ଧଡ୍‌ ଧଡ୍‌ ହୋଇଥିଲା। କାରଣ କଥା କଥାକେ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି କରୁଥିଲା। ୩୭୦ ଉଛେଦ ହେବା ପରେ ପାକିସ୍ତାନର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।

୩୭୦ ଉଛେଦ ହେବା ପରେ ଇମ୍ରାନ ସରକାର ପାକିସ୍ତାନ ସଂସଦରେ ଡାକିଥିଲେ ମିଳିତ ଅଧିବେଶନ। ଏହି ଅଧିବେଶନରେ ଇମ୍ରାନ ଭାରତର ଆଭିମୁଖ୍ୟକୁ ନିନ୍ଦା କରିଥିଲେ। ଧାରା ୩୭୦ ଉଛେଦକୁ ଏକତରଫା ନିଷ୍ପତ୍ତି କରି ପାକ୍ ବୈଦେଶିକ ମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦକୁ ଚିଠି ଲେଖିଥିଲେ।

ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ପାକିସ୍ତାନ ଚିଠିର ଉତ୍ତର ଦେଇଥିଲେ। କହିଥିଲେ କଶ୍ମୀର ହେଉଛି ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏଣୁ ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଅନୁଚିତ।

ଏହାପରେ ପୁଣି ପାକିସ୍ତାନ କୁଟତୀନକ ଚାଲ୍‌ ଖେଳିଥିଲା। ଚୀନର ସହାୟତା ଲୋଡ଼ିଥିଲା ପାକ୍‌। ଚୀନ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଭ୍ୟ ହୋଇଥିବାରୁ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା।

ଚୀନର ଦାବି ଅନୁସାରେ ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକ ବସିଥିଲା। ହେଲେ ୠଷ୍‌ ଭାରତକୁ ସମର୍ଥନ କରିବାରୁ ଚୀନର ଦାବି ଅଗ୍ରାହ୍ୟ ହୋଇଥିଲା। ପାକିସ୍ତାନ ହଟହଟା ହୋଇଥିଲା।

ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସବୁ ଗଣିତ ବଦଳି ଯାଇଥିଲା।

ଟ୍ରମ୍ପକୁ ମୋଦି ସାକ୍ଷାତ କରି କଶ୍ମୀର ପ୍ରସଙ୍ଗରେ ବୁଝାଇଥିଲେ। ଶେଷରେ ଟ୍ରମ୍ପ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଇମ୍ରାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଇମ୍ରାନ ଏବେ ଜାତିସଂଘ ସାଧାରଣ ପରିଷଦ ବୈଂକରେ କଶ୍ମୀର କଥା ଉଠାଇବାକୁ ସଜବାଜ ହେଉଛନ୍ତି। ଏହାପରେ ଅନ୍ତର୍ଜାତୀୟ କୋର୍ଟକୁ ଯିବେ ବୋଲି ପାକିସ୍ତାନ ମିଡିଆରେ ଆଲୋଚନା ହେଉଛି।

ପାକିସ୍ତାନ ଗୋଟିଏ ପରେ ଗୋଟିଏ ଝଟ୍‌କା ଖାଇବା ପରେ ବିଶ୍ୱକୁ ପରମାଣୁ ଧମକ ଦେଇଛି। ଏହାକୁ ଭୋକ ବିକଳରେ ତାଟିଆ କାମୁଡିବା ବୋଲି କୁହାଯାଉଛି।

୩୭୦ ଉଛେଦ ପରେ ପାକିସ୍ତାନ ଭାରତ ସହ ନିଜ ଆଡୁ ସବୁ ସମ୍ପର୍କ କାଟିଥିଲା। ବାଣିଜ୍ୟିକ ସମ୍ପର୍କ ସମେତ ବସ୍ ଓ ଟ୍ରେନ୍‌ ଚଳାଚଳ ବନ୍ଦ କରିଥିଲା। ଭାରତୀୟ ସିନେମା ପାକିସ୍ତାନରେ ରିଲିଜ ହେବା ଉପରେ କଟକଣା ଲଗାଇଲା।

ପାକିସ୍ତାନ ସମ୍ପର୍କ ଛିନ୍ନ କରିବା ଭାରତ ପାଇଁ କିଛି ଫରକ୍‌ ପଡ଼ିନି। ପାକିସ୍ତାନ କିନ୍ତୁ ବିଚଳିତ ହୋଇପଡ଼ିଛି।

Comment