ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତୃଣମୂଳ ସ୍ତରରୁ ସଙ୍ଗଠନ ସୁଦୃଢ଼ କରୁଛି ବିଜେପି। ଡିସେମ୍ବରରେ ହେବ ରାଜ୍ୟ ସଭାପତି ଚୟନ।

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ। ଏବେଠାରୁ ଏହି ସଭାପତି ପଦକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସଭାପତି ପଦ ପାଇଁ ତିନିରୁ ଚାରି ନେତାଙ୍କ ନାଁ ଚର୍ଚ୍ଚା ହେଉଛି।

ବିଜେପି ରାଜ୍ୟ ସଭାପତି ପଦ ପାଇଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନାଁ ରେସ୍‌ରେ ରହିଛି। ଏହାସହ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ତେବେ ଏମାନଙ୍କ ଭିତରୁ କାହା ମୁଣ୍ଡରେ ସଭାପତି ପଗଡ଼ି ବନ୍ଧା ଯିବ ତାହା ଅପେକ୍ଷା କରି ଦେଖିବାର କଥା।

ସାଧାରଣ ନିର୍ବାଚନ ଶେଷ ହେବା ପରେ ବିଜେପି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା। ଜୁଲାଇ ୬ରୁ ଆରମ୍ଭ ହୋଇଥିବା ସଦସ୍ୟ ସଂଗ୍ରହ ଅଭିଯାନ ୨୦ ତାରିଖରେ ଶେଷ ହୋଇଥିଲା। ଓଡ଼ିଶାରୁ ୫୦ ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲା ବିଜେପି। ବିଜେପି ପାଖାପାଖି ୫୦ ଲକ୍ଷ ସଦସ୍ୟ ସଂଗ୍ରହ କରିଥିବା ଦାବି କରୁଛି।

ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ସାଙ୍ଗଠନିକ ସ୍ଥିତି କିପରି ସୁଦୃଢ଼ ହେବ ତା’ ଉପରେ ଫୋକସ୍‌ କରୁଛି ଦଳ। ସପ୍ଟେମ୍ବର ୧୧ରୁ ୩୦ ତାରିଖ ଭିତରେ ଦଳ ବୁଥ୍‌ ସ୍ତରର ସଭାପତି ଚୟନ କରିବ। ଅକ୍ଟୋବର ୧୧ରୁ ୩୧ ଭିତରେ ମଣ୍ଡଳ ସଭାପତି ବାଛିବ। ଏହାପରେ ଜିଲ୍ଲା ସଭାପତି ଚୟନ କରାଯିବ।

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ରାଜ୍ୟ ସଭାପତି ଚୟନ କରାଯିବ। ରାଜ୍ୟ ସଭାପତି ପଦ ପାଇଁ ଯେଉଁ ୪ ଜଣଙ୍କ ନାଁ ଉଠୁଛି ସେମାନେ ସମସ୍ତେ ଅଭିଜ୍ଞ। ତେବେ କାହା ନାଁରେ ଦଳ ମୋହର ମାରୁଛି ତାହା ଅପେକ୍ଷା କରି ଦେଖିବାର କଥା।

ଜୁଏଲ ଓରାମ ପୂର୍ବରୁ ରାଜ୍ୟ ବିଜେପିର ସଭାପତି ଥିଲେ। ସେ ୩ଟି ଦଫାରେ ସଭାପତି ରହିଥିଲେ। ୧୯୯୭ରୁ ୧୯୯୯, ୨୦୦୪ରୁ ୨୦୦୬, ୨୦୦୯ରୁ ୨୦୧୨ ଯାଏଁ ସଭାପତି ରହିଥିଲେ ଜୁଏଲ। ଏବେ ଜୁଏଲ ସୁନ୍ଦରଗଡ଼ର ସାଂସଦ ଅଛନ୍ତି।

୨୦୧୪ରେ ଓଡ଼ିଶାରୁ ଏକମାତ୍ର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜୁଏଲଙ୍କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ହେଲେ ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ନାହାନ୍ତି ମୋଦି। ଏଣୁ ଜୁଏଲ ରାଜ୍ୟ ସଭାପତି ପଦ ପାଇଁ ଆଶାୟୀ ଥିବା କୁହାଯାଉଛି।

ସେହିପରି ବିଜେପିର ଆଉ ଜଣେ ବରିଷ୍ଠ ନେତା ହେଲେ ସୁରେଶ ପୂଜାରୀ। ସେ ୨୦୦୬ରୁ ୨୦୦୯ ଯାଏଁ ରାଜ୍ୟ ବିଜେପିର ସଭାପତି ରହିଥିଲେ। ୨୦୧୯ ନିର୍ବାଚନରେ ସୁରେଶ ବରଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ଡିସେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସଭାପତି ନିର୍ବାଚନରେ ସୁରେଶ ସାମିଲ ହେବା କଥା କୁହାଯାଉଛି।

ରାଜ୍ୟ ବିଜେପିର ଉପସଭାପତି ଥିବା ସମୀର ମହାନ୍ତିଙ୍କ ନାଁ ବି ସଭାପତି ପଦ ପାଇଁ ରେସ୍‌ରେ ରହିଛି। ସେ ସଂଘ ପରିବାରର ଜଣେ ସକ୍ରିୟ ସଦସ୍ୟ। ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରେ ଯେଉଁ ନୂଆ ଟିମ୍‌ ଗଠନ ହୋଇଥିଲା ସେଥିରେ ସମୀର ଉପସଭାପତି ରହିଥିଲେ। ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ସମୀର ବିଜେପି କେନ୍ଦ୍ର ନେତାଙ୍କ ଗୁଡ୍‌ବୁକ୍‌ରେ ରହିଛନ୍ତି।

ଏହାବାଦ୍‌ ବସନ୍ତ ପଣ୍ଡାଙ୍କୁ ଆଉ ଥରେ ସଭାପତି କରିବା ପାଇଁ କେତେକ ନେତା ଦାବି କରୁଛନ୍ତି। କନକବର୍ଦ୍ଧନ ସିଂହଦେଓଙ୍କ ନାଁ ବି ଚର୍ଚ୍ଚା ହେଉଛି।

ଗତ ଡିସେମ୍ବର ମାସରୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ହେଲେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଥିଲା। ଏଥିରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ନିର୍ବାଚନ ଶେଷ ହୋଇଛି। ଶାହଙ୍କ ନେତୃତ୍ୱରେ ବିଜେପି ୨୦୧୯ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛି।

ଶାହ ଗୃହ ମନ୍ତ୍ରୀ ହେବା ପରେ ଜେ ପି ନଡ୍ଡା ଅସ୍ଥାୟୀ ସଭାପତି ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରୀୟ ସଭାପତି ଚୟନ କରାଯିବ।

ବିଜେପି ଓଡ଼ିଶାରେ ଗତ ସାଧାରଣ ନିର୍ବାଚନ ବେଳେ ବିଜେଡିକୁ ସବୁଠି କଡ଼ା ଟକ୍କର ଦେଇଥିଲା। ଅଧିକାଂଶ ସ୍ଥାନରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୧୪ ନିର୍ବାଚନ ତୁଳନାରେ ଏଥର ଦଳ ଭଲ ପ୍ରଦର୍ଶନ କରିଥିଲା।

୨୩ଟି ବିଧାନସଭା ଆସନ ବିଜେପି ଖାତାକୁ ଆସିଥିବା ବେଳେ ୮ଟି ଲୋକସଭା ଆସନରେ ଦଳ ବିଜୟୀ ହୋଇଥିଲା। ବିଜେପି ଏବେ ଓଡ଼ିଶା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି।

ଆଗକୁ ଆସୁଛି ପୌର ନିର୍ବାଚନ। ଏହି ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ଅଣ୍ଟା ଭିଡ଼ିଛି। ବିଶେଷକରି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପୌର ପରିଷଦକୁ କବ୍‌ଜା କରିବା ପାଇଁ ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଣୁ ବିଜେପି ଏବେ ସଙ୍ଗଠନ ସଜାଡ଼ି ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛି।

Comment