ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପ୍ରତିଭାବନ ବ୍ୟକ୍ତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି।

ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ପାରା ଆଥ୍‌ଲେଟ୍‌ ପ୍ରମୋଦ ଭଗତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ୨ ଲକ୍ଷ ଟଙ୍କା ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ।

ୱାର୍ଲ୍ଡ ୟୁନଭରସିଟି ଗେମ୍‌ରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଥିବା ଦୌଡ଼ ରାଣୀ ଦୂତି ଚାନ୍ଦଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବାବଦରେ ଦୂତିଙ୍କୁ ୬.୬୭ ଲକ୍ଷ ଟଙ୍କା ଦିଆଯାଇଥିଲା।

ଭାରୋତ୍ତଳନକାରୀ ଭକ୍ତରାମ ଦେଷ୍ଟି, ଝିଲି ଦଳବେହେରା, ସ୍ନେହା ସୋରେନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ। ଭକ୍ତରାମଙ୍କୁ ୧.୩୩ ଲକ୍ଷ, ଝିଲିଙ୍କୁ ୪ ଲକ୍ଷ, ସ୍ନେହାଙ୍କୁ ପୁରସ୍କାର ବାବଦରେ ୮୩ ହଜାର ଟଙ୍କା ଦିଆଯାଇଥିଲା।

ଏସିଆନ ଉସୁ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ପାଇଥିବା ବବଲୁ ମୁଣ୍ଡାଙ୍କୁ ୪୨ ହଜାର ଟଙ୍କା ଦିଆଯାଇ ସମ୍ମାନିତ କରାଯାଇଥିଲା।

ସେହିପରି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସହସିକତା ପୁରସ୍କାର ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ାର କୁନି ଝିଅ ଶ୍ରୀମତୀ ଭଦ୍ରାଙ୍କୁ ନଗଦ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେ ସାହସିକତା ପାଇଁ ଏହି ପୁରସ୍କାର ପାଇଛନ୍ତି। କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟକୁ ସମ୍ମାନିତ କରାଯାଇଥିଲା।

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାକାନ୍ତ ତ୍ରିପାଠୀ, ବଦ୍ରି ମିଶ୍ର, ମହେନ୍ଦ୍ର କୁମାର ଯୋଶୀ, କାମାକ୍ଷା ପ୍ରସାଦ ମାଝି, ରାମନାରାୟଣ ଦାସ ଏବଂ ଅବଦୁଲ ରହମାନ ଖାନ୍‌ଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ ନାୟକ ଉପସ୍ଥିତ ଥିଲେ।

Comment