ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟରୁ ଅବସର ଘୋଷଣା କରିଥିବା ଭାରତୀୟ ଖେଳାଳି ଅମ୍ବାତି ରାଇଡୁ ନିଜ ଅବସର ନିଷ୍ପତ୍ତିକୁ ଫେରେଇ ନେଇଛନ୍ତି। ପୁଣିଥରେ କ୍ରିକେଟ୍ ଖେଳିବା ପାଇଁ ମନସ୍ଥିର କରିଛନ୍ତି ଅମ୍ବାତି ରାଇଡୁ। ଗତ ଜୁଲାଇ ମାସରେ ସେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ତେବେ ବର୍ତ୍ତମାନ ସେ ପୁଣି କ୍ରିକେଟ ଖେଳିବାକୁ ସ୍ଥିର କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ କ୍ରିକେଟ ଖେଳିବା ନେଇ ସେ ବୋର୍ଡକୁ ଏକ ଚିଠି ଲେଖିଛନ୍ତି। ସେ ସବୁ ଫର୍ମାଟରେ ପୁଣି ଖେଳିବେ ବୋଲି ବୋର୍ଡକୁ ସୂଚନା ଦେଇଛନ୍ତି।

ଗତ ବିଶ୍ୱକପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ନମିଳିବା କାରଣରୁ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ନେଇଥିଲେ। ବିଶ୍ୱକପ୍ ପୂର୍ବରୁ ୪ ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ସେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ। ହେଲେ ବିଶ୍ୱକପ୍ ପାଇଁ ବଛାଯାଇଥିବା ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା। ଏହାପରେ ତାଙ୍କୁ ବିଶ୍ୱକପର ରିଜର୍ଭ ଖେଳାଳି ଭାବରେ ରଖାଯାଇଥିଲା।

ବିଶ୍ୱକପ୍ ସମୟରେ ଆହତ ହୋଇ ଶିଖର ଧାୱନ ଓ ଅଲରାଉଣ୍ଡର ବିଜୟ ଶଙ୍କର ଦଳରୁ ବାଦ୍ ପଡିଥିଲେ। ଏହାପରେ ମଧ୍ୟ ରାଇଡୁଙ୍କୁ ଦଳରେ ସ୍ଥାନ ମିଳିନଥିଲା। ତାଙ୍କ ବଦଳରେ ରିଷଭ ପନ୍ଥକୁ ବିଶ୍ୱକପ୍ ଦଳରେ ସାମିଲ କରାଯାଇଥିଲା। ଏହା ପରେ ସେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାର ଘୋଷଣା କରିଥିଲେ। ହେଲେ ଶୁକ୍ରବାର ତାଙ୍କର ଏହି ନିଷ୍ପତ୍ତିକୁ ସେ ଫେରାଇନେଇଛନ୍ତି।

ଏହି ନିଷ୍ପତ୍ତି ପାଇଁ ସେ ତାଙ୍କର ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସ୍, ପୂର୍ବ ଭାରତୀୟ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ଓ ନୋଏଲ ଡେଭିଡଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର କଠିନ ପରିସ୍ଥିତି ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ସେ ଏମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଇଡୁଙ୍କ ଅନ୍ତର୍ଜାତୀୟ କ୍ୟାରିଅର

ହାଇଦ୍ରାବାଦର ଏହି ଖେଳାଳି ଭାରତ ପକ୍ଷରୁ ୫୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୪୭.୦୬ ଆଭରେଜରେ ୧୬୯୪ରନ କରିଛନ୍ତି। ସେହିଭଳି ଟି-୨୦ରେ ସେ ଭାରତ ତରଫରୁ ୬ଟି ମ୍ୟାଚ୍ ଖେଳି ମାତ୍ର ୪୨ରନ କରିପାରିଛନ୍ତି।

ରାଇଡୁ ୨୦୧୩ ମସିହାରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ। ସେହିଭଳି ଟି-୨୦ରେ ସେ ୨୦୧୪ ମସିହାରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।

ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ରହିସାରିଛନ୍ତି। ବର୍ତ୍ତମାନ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ଦଳର ସଦସ୍ୟ ଅଛନ୍ତି।

Comment