ଓଡ଼ିଶାଲାଇଭ ବ୍ୟୁରୋ

ଶୁକ୍ରବାରଠାରୁ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ। ଜାମାଇକାର ସାବିନା ପାର୍କରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତୀୟ ଦଳ ଦ୍ଵିତୀୟ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ।

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଅତି ସହଜରେ ଜିତିସାରିଛି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ୩୧୮ ରନର ବଡ଼ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚରେ ବିଜୟୀ ହେବାପରେ ଦ୍ୱିତୀୟ ମ୍ୟାଚକୁ ଜିତି ସିରିଜ ବିଜୟର ଲକ୍ଷ୍ୟ ରଖିଛି ଭାରତୀୟ ଦଳ।

ଦୁଇଦଳକୁ ଦେଖିଲେ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉନି। ଭାରତୀୟ ଦଳ ତା’ର ପୂର୍ବ ମ୍ୟାଚର ଚୂଡ଼ାନ୍ତ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବ କୁହାଯାଉଛି। ପ୍ରଥମ ମ୍ୟାଚରେ ଓପନର୍ ଲୋକେଶ ରାହୁଲ ଭଲ ବ୍ୟାଟିଂ କରିଥିଲେ ସୁଦ୍ଧା ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନାହାନ୍ତି। ସେହିଭଳି ଅନ୍ୟ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କୁ ସ୍ଥିର ପ୍ରଦର୍ଶନ କରିବାକୁ ପଡ଼ିବ। ତେବେ ପ୍ରଥମ ମ୍ୟାଚର ଦୁଇଟି ଯାକ ଇଂନିସରେ ରାହାଣେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଟିମ୍‌ର ମିଡିଲ୍‌ ଅର୍ଡର ଚିନ୍ତା ଦୂର କରିଛି।

ସେହିଭଳି ବୋଲିଂରେ ଭାରତୀୟ ବୋଲର ଚତ୍ମକାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଇଂନିସରେ ଇଶାନ୍ତ ଶର୍ମା ୫ ୱିକେଟ ନେଇ ୱେଷ୍ଟଇଣ୍ଡିଜ ପାଇଁ ଚିନ୍ତାର କାରଣ ସାଜିଥିଲେ। ସେହିଭଳି ଦ୍ୱିତୀୟ ଇଂନିସରେ ଜଶପ୍ରୀତ୍ ବୁମର ୫ ୱିକେଟ ହାସଲ କରିଥିଲେ। ସବୁ ଭାରତୀୟ ବୋଲର ପ୍ରଥମ ମ୍ୟାଚରେ ଚତ୍ମକାର ପ୍ରଦର୍ଶନ କରିଥିଲେ।

ସେହିଭଳି ୱେଷ୍ଟଇଣ୍ଡିଜ୍ ଦଳର ଦୁର୍ବଳ ବ୍ୟାଟିଂ ଦଳପାଇଁ ଚିନ୍ତାର କାରଣ ସାଜିଛି। ପ୍ରଥମ ମ୍ୟାଚରେ ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ। ସେହିଭଳି ବୋଲିଂ ବିଭାଗରେ କେମର ରୋଚ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇ ପାରିଥିଲା। ସେହିଭଳି ଦ୍ୱିତୀୟ ଇଂନିସରେ ରୋଷ୍ଟନ ଚେସ୍ ଭାରତୀୟ ଦଳର ଚାରୋଟି ୱିକେଟ୍ ନେଇଥିଲେ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଅଂଶବିଶେଷ।  ଆଇସିସି ଟେଷ୍ଟ ରାଙ୍କିଙ୍ଗର ପ୍ରଥମ ନଅଟି ଦଳକୁ ନେଇ ଏହି ଚାମ୍ପିୟନସିପ୍ ଖେଳାଯାଉଛି।

LEAVE A REPLY

Please enter your comment!
Please enter your name here