ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର  ତିନି ଦିନର ଅପେକ୍ଷା। ପାଳିତ ହେବ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କୁ ନୂଆ ଚାଉଳ ଭୋଗ ଲଗାଇ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ। ଏଥିଲାଗି ମା’ ସମଲେଶ୍ୱରୀ ମନ୍ଦିରରେ ଏବେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ନୂଆଁଖାଇ ଲାଗି ସମ୍ବଲପୁର ସହରରେ ଉତ୍ସାହର ମାହୋଲ ଆଖିରେ ପଡ଼ିଛି।  ସେପ୍ଟେମ୍ବର ୩ ତାରିଖ ସକାଳ ୧୦ ଟା ୫ ରୁ ୧୦ ଟା ୨୦ ମିନିଟ ମଧ୍ୟରେ ମା ସମଲେଶ୍ୱରୀଙ୍କଠାରେ ଲାଗିବ ନବାନ୍ନ। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ସମଲେଶ୍ୱରୀ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ସହ ମନ୍ଦିରରେ ରଙ୍ଗୀନ ଆଲୋକ ମାଳାର ବ୍ୟବସ୍ଥା କରାଯାଉଛି।

ଶନିବାର ଦିନ ସମଲେଶ୍ୱରୀ ମନ୍ଦିରର ଗମ୍ଭୀରାକୁ ପୂଜକମାନେ ସଫା ସୁତୁରା କରିବା ସହ ରବିବାର ଦିନ ସମ୍ବଲେଶ୍ୱରୀ ମନ୍ଦିରରେ ଥିବା ୧୧୫ ପାର୍ଶ୍ୱ ଦେବାଦେବୀଙ୍କୁ ସିନ୍ଦୁର ଲଗାଯିବ। ନୂଆଁଖାଇ ଦିନ ସମଲେଶ୍ୱରୀ ମନ୍ଦିରରେ ସକାଳ ୪ ଟାରୁ ମନ୍ଦିର ଖୋଲାଯିବ ବୋଲି ସୂଚନା ମିଳିଛି। ନୂଆଁଖାଇ ଅବସରରେ ଦିନ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆଁଖାଇ ଭୋଗର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି।

Comment