ଓଡ଼ିଶାଲାଇଭ୍ ବ୍ୟୁରୋ

  • ନିଜ ଜିଦ୍‌ରେ ଅଟଳ ମହନ୍ତ
  • ତିନି ଦିନ ପରେ ବି ଛାଡ଼ିଲେନି ଗାଦି
  • ଏମାର ମଠ ମୂଳ ଗାଦିରେ ହାତ ମାରିପାରୁନି ପ୍ରଶାସନ
  • ମାପିଚୁପି ପଦକ୍ଷେପ ନେଉଛି ପ୍ରଶାସନ
  • ଏମାର ଛାଡ଼ି ଏବେ ବଡ଼ ଆଖଡ଼ା ମଠକୁ ନୋଟିସ୍‌

ନିଜ ଜିଦ୍‌ରେ ଅଟଳ ଅଛନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ତିନି ଦିନ ପରେ ବି ସେ ଗାଦି ଛାଡ଼ି ନାହାନ୍ତି। ସେ ତାଙ୍କ କୋଠରିରେ ବସି ରହିଛନ୍ତି। ଏଣୁ ପ୍ରଶାସନ ଏବେ ଏମାର ମଠ ମୂଳ ଗାଦି ଉଚ୍ଛେଦରୁ ନଜର ହଟାଇଥିବା ପରି ମନେହେଉଛି।

ମଠ ମହନ୍ତ କବାଟ କିଳି ବସି ଥିବାରୁ ପ୍ରଶାସନ ଏମାର ମଠରେ ଏବେ ହାତ ମାରିବାକୁ ଚାହୁଁନି। ଏମାର ମଠ ସମ୍ପର୍କରେ ମାପିଚୁପି ପଦକ୍ଷେପ ନେଉଛି ପ୍ରଶାସନ। ଏଣୁ ଶନିବାର ଦିନ ପ୍ରଶାସନ ଏମାର ମଠରୁ ନଜର ହଟାଇ ବଡ଼ଆଖଡ଼ା ମଠକୁ ନୋଟିସ୍‌ ଦେଇଛି। ମଙ୍ଗଳବାର ଦିନ ଏହି ମଠକୁ ଉଚ୍ଛେଦ କରିପାରେ ପ୍ରଶାସନ।

ଗାଦି ଛାଡୁ ନାହାନ୍ତି ମହନ୍ତ

ତିନି ଦିନ ତଳୁ ପୁରୀ ଜିଲ୍ଲା ପ୍ରଶାସନ ଏମାର ମଠ ଉଚ୍ଛେଦ ପାଇଁ ଆରମ୍ଭ କରିଥିଲା ଅପରେସନ। ଏମାର ମଠ ସଂଲଗ୍ନ ରଘୁନନ୍ଦନ ପାଠାଗାର ଚୂନା କରିବା ପରେ ଖଜାପଟିକୁ ଗୁଣ୍ଡ କରିଥିଲା ବୁଲ୍‌ଡୋଜର। ଏମାର ମଠର ପଛପଟେ ଥିବା ପାଚେରୀକୁ ମଧ୍ୟ ବୁଲ୍‌ଡୋଜର ଧକ୍କା ଦେଇଥିଲା। ଆଜି ବଣିଆ ପଟିକୁ ମଧ୍ୟ ଗୁଣ୍ଡ କରିଛି ପ୍ରଶାସନ।

ହେଲେ ଏମାର ମଠର କୋର୍‌ ପଏଣ୍ଟରେ ଏହି ତିନି ଦିନ ଭିତରେ ପ୍ରଶାସନ ହାତ ମାରିବାରେ ସମର୍ଥ ହୋଇନି। କବାଟ କିଳି ମଠ ମହନ୍ତ ବସିଥିବାରୁ ପ୍ରଶାସନ ଏମାର ମଠ ଉଚ୍ଛେଦ କରିବାରେ ସଫଳ ହୋଇନି।

ଗାଦି ଛାଡ଼ିବାକୁ ପ୍ରଶାସନିକ ଅଧିକାରୀ ମହନ୍ତଙ୍କ ସହ ଆଲୋଚନା କରିଥିବା ଦାବି କରୁଛନ୍ତି। ହେଲେ କ’ଣ ଆଲୋଚନା ହୋଇଥିଲା ତାହା କେବଳ ପ୍ରଶାସନିକ ଅଧିକାରୀଙ୍କୁ ହିଁ ଜଣା। ତେବେ କୁହାଯାଉଛି ଯେ ମହନ୍ତ ପ୍ରଶାସନ ଉପରେ ଭରସା କରିପାରୁ ନାହାନ୍ତି। ଏଣୁ ସେ ଗାଦି ଛାଡୁ ନଥିବା କୁହାଯାଉଛି।

ବାସଚ୍ୟୁତ ହେବେ କି ମହନ୍ତ?

ବର୍ଷ ବର୍ଷ ଧରି ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏବଂ ତାଙ୍କ ପରିବାର ଏମାର ମଠରେ ରହି ଆସୁଥିଲୋ ମଠ ମହନ୍ତ କେବେ ବି ବାହାରକୁ ଆସନ୍ତି ନାହିଁ। ତେବେ ପ୍ରଶାସନ ଏମାର ମଠ ଉଚ୍ଛେଦ ନିଷ୍ପତ୍ତି ନେବା ପରେ ମହନ୍ତ କେଉଁଠି ରହିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ପ୍ରଶାସନ ସହିତ ଆଲୋଚନା ବେଳେ ବାସ ଘର ଏବଂ ଗାଦି ଘର ଉଚ୍ଛେଦ ନକରିବାକୁ ଅନୁରୋଧ କରିଥିଲେ ମହନ୍ତ। ହେଲେ ପ୍ରଶାସନ କ’ଣ ଉତ୍ତର ଦେଲା ତାହା କେବଳେ ମହନ୍ତଙ୍କ ସହିତ ଆଲୋଚନା କରିଥିବା ଅଧିକାରୀ ଜାଣିଛନ୍ତି। ବୋଧହୁଏ ପ୍ରଶାସନର ଉତ୍ତରରେ ଅସନ୍ତୁଷ୍ଟ ହୋଇ ମହନ୍ତ ନିଜ ଜିଦ୍‌ରେ ଅଟଳ ରହିଥିବା କୁହାଯାଉଛି। ତିନି ଦିନ ପରେ ବି ମହନ୍ତ ଗାଦି ଛାଡ଼ି ବାହାରକୁ ଆସି ନାହାନ୍ତି।

ମହନ୍ତଙ୍କ ପାଇଁ ପ୍ରଶାସନ କଣ୍ଟେନରର ବ୍ୟବସ୍ଥା କରିଛି। ହେଲେ ଗାଦି ଛାଡ଼ି କଣ୍ଟେନରରେ ରହିବାକୁ ମହନ୍ତ ଅରାଜି ଥିବା କୁହାଯାଉଛି।

ପ୍ରଶାସନ-ମହନ୍ତ ମୁହାଁମୁହିଁ

ମେଘନାଦ ପାଚେରୀ ଏବଂ ଲଙ୍ଗୁଳି ମଠ ଉଚ୍ଛେଦ ବେଳେ ପ୍ରଶାସନକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ି ନଥିଲା। ବିନା ବିଧାରେ ପ୍ରଶାସନର ବୁଲ୍‌ଡୋଜର ଜବରଦଖଲ ହଟେଇ ଚାଲିଥିଲା। କିନ୍ତୁ ସବୁଠୁ ଧନୀ ମଠ କୁହାଯାଉଥିବା ଏମାର ମଠ ପ୍ରଶାସନକୁ ନାକେଦମ୍ କରି ସାରିଲାଣି। ମଠ ମହନ୍ତ ଏବଂ ପ୍ରଶାସନ ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି।

ମହନ୍ତ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପ୍ରଶାସନ ଏବେ ମାପି ଚୁପି ପଦକ୍ଷେପ ନେଉଛି। ମହନ୍ତଙ୍କୁ ଜୋରଜବରଦସ୍ତ ଗାଦିରୁ ବାହାରକୁ ଆଣିବାକୁ ସାହସ କରିପାରୁନି ପ୍ରଶାସନ। ମହନ୍ତ ନିଜ ଇଚ୍ଛାରେ ବାହାରକୁ ଆସୁ ନାହାନ୍ତି। ଗତ ତିନି ଦିନ ହେଲା ପ୍ରଶାସନ ଏବଂ ମହନ୍ତଙ୍କ ଭିତରେ ଯେଉଁ ଜିଦିଜାଦ୍‌ ଚାଲିଛି ତାହା ଆଗକୁ କେଉଁ ମୋଡ଼ ନେଉଛି ଅପେକ୍ଷା କରି ଦେଖିବାର କଥା।

ସରକାରଙ୍କ ଉପରେ ଗର୍ଜିଲେ ଶଙ୍କରାଚାର୍ଯ୍ୟ

ମଠ ଉଚ୍ଛେଦକୁ ନେଇ ଆଜି ଗୋବର୍ଦ୍ଧନ ପୀଠର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସରକାରଙ୍କ ଉପରେ ବର୍ଷିଛନ୍ତି।

ବଳ ଓ ଛଳ ପୂର୍ବକ କୌଣସି ଉଚ୍ଛେଦ କାମ ନ କରି ଶାନ୍ତି ଓ ଆପୋଷ ବାତାବରଣ ଭିତରେ ଏଭଳି କାର୍ଯ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।

ଶ୍ରୀମନ୍ଦିର ପାଚେରୀଠାରୁ ୭୫ ମିଟର ଭିତରେ ଥିବା କୋଠାବଡ଼ି ଭାଙ୍ଗିବାକୁ ପ୍ରଶାସନ କାମ ଆରମ୍ଭ କରିଛି। ଏହି ଧାରାରେ ରଘୁନନ୍ଦନ ପାଠାଗାର, ଲଙ୍ଗୁଳି ମଠ, ମଙ୍ଗୁ ମଠ ଭଳି କେତେକ ପ୍ରାଚୀନ ଐତିହ୍ୟ ମାଟିରେ ମିଶିଗଲାଣି। ଏବେ ଏମାର ମଠ ଭଙ୍ଗା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ତେବେ ଯେଉଁ ଡଙ୍ଗରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି ତାକୁ ଅପସନ୍ଦ କରିଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ବ୍ୟାପାରରେ ପ୍ରଶାସନ ଏକଚାଟିଆ ଭାବେ ନିଷ୍ପତ୍ତି ନେବା ଉଚିତ ନୁହେଁ। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳର କୌଣସି ସଂସ୍କାର ବା ଶୋଧନ କାମ କଲାବେଳେ ତାହା ଧାର୍ମିକ ତଥା ଆଧ୍ୟାତ୍ମିକ ଢଙ୍ଗରେ କରାଯିବା କଥା। କିନ୍ତୁ ବର୍ତ୍ତମାନ ଯେଉଁ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ତାହାର ଢାଞ୍ଚାକୁ ଗ୍ରହଣ କରିପାରୁ ନାହାନ୍ତି ଶଙ୍କରାଚାର୍ଯ୍ୟ।

କୌଣସି ମଠର ମହନ୍ତ ହୁଅନ୍ତୁ କି ସାଧାରଣ ଲୋକ, ଏହି ଉଚ୍ଛେଦ ପ୍ରକ୍ରିୟାରେ ଯେଉଁମାନେ ପ୍ରଭାବିତ ହେଉଛନ୍ତି ସେମାନଙ୍କ ସହ ଆଲୋଚନା କରି ଏବଂ ସେମାନଙ୍କ ମନରେ ପୂର୍ଣ୍ଣ ବିଶ୍ଵାସ ସୃଷ୍ଟି କରି ପ୍ରଶାସନ ଆଗେଇବା କଥା। କିନ୍ତୁ ଲୋକଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଏଭଳି ତରବରିଆ ଉଚ୍ଛେଦକୁ ସମାଲୋଚନା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ।

ଏମାର ମଠର ଉଚ୍ଛେଦ ସମ୍ପର୍କରେ ଅଧିକ ପଢ଼ନ୍ତୁ :

ଏମାର ମଠରେ ପୂଜା ପାଉଛନ୍ତି ବହୁ ବିରଳ ଶାଳଗ୍ରାମ

ବିଚିତ୍ର! ପୁରୀ ଜିଲ୍ଲା ପ୍ରଶାସନ କହିଲାକଣ୍ଟେନର୍ରେ ରହିବେ ଏମାର ମଠ ମହନ୍ତ ମହାରାଜ

ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରିବା ଠିକ୍ହୋଇନାହିଁ : ଶଙ୍କରାଚାର୍ଯ୍ୟ

LEAVE A REPLY

Please enter your comment!
Please enter your name here