ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀର ପ୍ରାଚୀନ ଏମାର ମଠ ଭଙ୍ଗାଯିବାକୁ ନେଇ ଚାଲିଛି ଟଣାଓଟରା। ପୁରୀ ଜିଲ୍ଲା ପ୍ରଶାସନ ଏବଂ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ମଧ୍ୟରେ ବୁଝାମଣା ତୁଟୁନି। ଏଭଳି ଏକ ସ୍ଥିତିରେ ମହନ୍ତ ମହାରାଜଙ୍କୁ ତାଙ୍କ ଗାଦିରୁ ହଟାଇ କଣ୍ଟେନର୍‌ରେ ରଖାଯିବ ବୋଲି ପ୍ରଶାସନର ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଶୁକ୍ରବାର ଦିନ ସନ୍ଧ୍ୟାରେ ଏମାର ମଠ ନିକଟରେ ରଖାଯାଇଥିବା ଏକ ବିଶାଳ କଣ୍ଟେନର୍‌-ଅଫିସରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ। ଗତ ଚାରିଦିନର ଉଚ୍ଛେଦ କାର୍ଯ୍ୟକ୍ରମ ସମ୍ପର୍କରେ ମିଡିଆ ପ୍ରତିନିଧିଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଗଣମାଧ୍ୟମରେ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେ, ଏମାର ମଠ ସାମ୍ନାରେ ଅଫିସ୍‌ ଭଳି ଲାଗୁଥିବା ଏତେ ବଡ଼ କଣ୍ଟେନର୍‌ କାହିଁକି ରଖାଯାଇଛି। ଏହାର ଉତ୍ତରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ସେଠାରେ ଏମାର ମଠର ମହନ୍ତ ମହରାଜଙ୍କୁ ରଖାଯିବ।

ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ଉତ୍ତରରେ କିଛି ସାମ୍ବାଦିକ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ପଚାରିଥିଲେ ଯେ, ଏମାର ମଠ ମହନ୍ତ ସେଠାରେ ଏକା ରହୁ ନାହାନ୍ତି। ମଠ ପରିସରରେ ତାଙ୍କ ସହିତ ତାଙ୍କ ପରିବାର ଓ କେତେକ ସହଯୋଗୀ ପରିବାର ରହୁଛନ୍ତି। ତେବେ ସେମାନେ ସମସ୍ତେ କ’ଣ ଏହି କଣ୍ଟେନର୍‌ରେ ରହିବେ? ଏହାର ଅବଶ୍ୟ କୌଣସି ସଠିକ୍‌ ଉତ୍ତର ଅତିରିକ୍ତ ଜିଲ୍ଲାପାଳ ଦେଇ ନଥିଲେ।

କଣ୍ଟେନର୍‌କୁ ନେଇ ଚର୍ଚ୍ଚା

ଏମାର ମଠ ଭଙ୍ଗା ହେବା କଥା ଉଠିଲା ବେଳଠୁ ପୁରୀ ଉଠୁଛି ପଡ଼ୁଛି। ବିଶେଷକରି ଏହି ମଠର ପାଚେରୀ କଡ଼ରେ ଥୁଆ ହୋଇଥିବା  ଏକ କଣ୍ଟେନର୍‌କୁ ନେଇ ଗତ ତିନିଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଛି। ବିଭିନ୍ନ ଗଣମାଧ୍ୟମରେ ଏହା ଉପରେ ବିଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି କଣ୍ଟେନର କାହିଁକି ରଖାଯାଇଛି ସେ ବାବଦରେ କୌଣସି ସଠିକ୍‌ ତଥ୍ୟ କେହି ଦେଇପାରି ନାହାନ୍ତି।

ଶୁକ୍ରବାର ଦିନ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ମୁହଁ ଖୋଲିଥିଲେ ଅତିରିକ୍ତ ଜିଲ୍ଲାପାଳ। ସେ କହିଥିଲେ ଯେ, ନିଷ୍ପତ୍ତି ଅନୁଯାୟୀ ପ୍ରଶାସନ କୌଣସି ମଠର ଦିଅଁଙ୍କ ବିଜେସ୍ଥଳୀ ଭାଙ୍ଗିବା ନାହିଁ। ପ୍ରଶାସନ କେବଳ ବିଭିନ୍ନ ପ୍ରାଚୀନ ଓ ଅସୁରକ୍ଷିତ କୋଠାବାଡ଼ି ଭଙ୍ଗିବା କାମ କରୁଛି।

ତେବେ ଏମାର ମଠ ମହନ୍ତଙ୍କୁ ମଠରୁ ଯଦି ଉଚ୍ଛେଦ କରାଯାଏ, ସେ କେଉଁଠି ରହିବେ ବୋଲି ସାମ୍ବାଦିକମାନେ ପ୍ରଶାସନଙ୍କୁ ସ୍ପଷ୍ଟ ପ୍ରଶ୍ନ କରିଥିଲେ। ପୁରୀ ଅତିରିକ୍ତ ଜିଲ୍ଲାପାଳ ଯେଉଁ ଜବାବ ଦେଇଥିଲେ ତାହାର ମୋଟାମୋଟି ଅର୍ଥ ହେଉଛି ମହନ୍ତ ମହାରାଜ ଏହି କଣ୍ଟେନରରେ ରହି ମଠର ପୂଜାପାଠ କାମ ଚଳାଇ ପାରିବେ।

ସୂଚନା ଦେବାକୁ ଚାହୁଁଛୁ ଯେ, ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ମଧ୍ୟ ମଠର ମହନ୍ତଙ୍କୁ କଣ୍ଟେନରରେ ରଖାଯିବ ବୋଲି ସୂଚନା ଦେଇଥିଲେ।

ଅଫିସରଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା

ଏମାର ମଠର ମହନ୍ତଙ୍କୁ କଣ୍ଟେନରରେ ରହିବାକୁ ଦିଆଯିବ – ପୁରୀ ପ୍ରଶାସନର ଏହି ଦାୟିତ୍ଵଦୀନ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ନଅଶହ ବର୍ଷର ଏକ ପ୍ରଚୀନ ଐତିହ୍ୟକୁ ଭାଙ୍ଗିବାକୁ ଯିବା ପୂର୍ବରୁ ପ୍ରଶାସନ ବାସ୍ତବରେ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇ ନାହିଁ କିମ୍ବା ଜାଣିଶୁଣି ଏଭଳି ମନ୍ତବ୍ୟ ଦିଆଯାଉଛି, ତାକୁ ନେଇ ପ୍ରଶ୍ନ ଉଠୁଛି।

ଓଡ଼ିଶାଲାଇଭ୍ ଟିମ୍‌ ଶୁକ୍ରବାର ଦିନ ଏହି କଣ୍ଟେନରକୁ ଅନୁଧ୍ୟାନ କରିଥିଲା। ବାସ୍ତବିକ ଏହା ହେଉଛି ଏକ ଅସ୍ଥାୟୀ-କଣ୍ଟେନର-କାର୍ଯ୍ୟାଳୟ। ଅର୍ଥାତ୍‌ ବିଭିନ୍ନ ନିର୍ମାଣ କାର୍ଯ୍ୟ ବେଳେ ସାଇଟ୍‌ ଅଫିସ୍‌ ଲାଗି ଯେଉଁ ମଡୁଲାର ବା ଅସ୍ଥାୟୀ ବ୍ୟବସ୍ଥା କରାଯାଏ କଣ୍ଟେନରଟି ପୂର୍ବରୁ ସେହି କାମରେ କେଉଁଠି ବ୍ୟବହାର ହେଉଥିଲା। ପ୍ରାୟ ୩୫ ଫୁଟ୍‌ ଳମ୍ବର କଣ୍ଟେନର ଭିତରେ ବିଭିନ୍ନ ଓ୍ଵାର୍କିଂ ଡେସ୍କ୍‌ ଏବଂ ଏକ ଛୋଟ ମ୍ୟାନେଜର୍‌ ଅଫିସ୍‌ ବ୍ୟବସ୍ଥା ରହିଛି।

ସେହିପରି ଏଥିରେ ଫ୍ୟାନ୍‌ ଓ ଲାଇଟ୍‌ ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଭିତର ଅପରିଷ୍କାର ରହିବା ସହ ବିଜୁଳି ସଂଯୋଗର କୌଣସି ଲକ୍ଷଣ ନାହିଁ। ତେଣୁ ଏକ କାମଚଳା ସାଇଟ୍‌ ଅଫିସ୍‌ ବ୍ୟବସ୍ଥା ଭିତରେ କିପରି ଏମାର ମଠ ମହନ୍ତଙ୍କୁ ରଖାଯିବ ବୋଲି ମିଡିଆରେ ପ୍ରଶ୍ନ ଉଠିଛି।

ଆଗେ ଉଚ୍ଛେଦ, ପରେ ବ୍ୟବସ୍ଥା

ସବୁ ସରକାରୀ କାମ ଭଳି ପୁରୀରେ ଚାଲିଛି ଉଚ୍ଛେଦ କାମ। ଅର୍ଥାତ୍ ଆଗେ ଉଚ୍ଛେଦ, ପରେ ବ୍ୟବସ୍ଥା। ଏହାକୁ ନେଇ ବିସ୍ଥାପିତ ହୋଇଥିବା ପରିବାର ଏବଂ ଛୋଟବଡ଼ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୁରୀ ଜିଲ୍ଲାପାଳ ମିଡିଆକୁ କହିଛନ୍ତି ଯେ, ଏହି ଉଚ୍ଛେଦ ଯୋଗୁଁ ଦେଢ଼ଶହରୁ ଦୁଇଶହ ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଉଚିତ କ୍ଷତିପୂରଣ ଓ ଥଇଥାନ କରାଯିବ ବୋଲି ସେ ଆଶ୍ଵସନା ଦେଇଛନ୍ତି। କିନ୍ତୁ ଜିଲ୍ଲାପାଳଙ୍କ କଥା ପ୍ରଭାବିତ ପରିବାରଗୁଡ଼ିକୁ ଆଶ୍ଵସ୍ତି ଦେଇପାରି ନାହିଁ। ଏମାର ମଠ ପାଚେରୀ କଡ଼ରେ ଘର କରି ରହୁଥିବା ବିଭିନ୍ନ ପରିବାର ଏବେ ପିଲାପିଲି ଧରି ପୁରୀର ଏକ ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି।

ତେବେ ଯଦି ମଠର ମହନ୍ତଙ୍କୁ ମଠରୁ ବାହାର କରାଯାଏ, ତାଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

ଏମାର ମଠର ଉଚ୍ଛେଦ ସମ୍ପର୍କରେ ଅଧିକ ପଢ଼ନ୍ତୁ :

ଏମାର ମଠରେ ପୂଜା ପାଉଛନ୍ତି ବହୁ ବିରଳ ଶାଳଗ୍ରାମ

ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରିବା ଠିକ୍‌ ହୋଇନାହିଁ : ଶଙ୍କରାଚାର୍ଯ୍ୟ

ଗାଦି ଛାଡ଼ିଲେନି ମହନ୍ତ, ଏବେ ଏମାର ମଠରୁ ନଜର ହଟାଉଛି ପ୍ରଶାସନ

Comment