ଓଡ଼ିଶାଲାଇଭ୍ ବ୍ୟୁରୋ

ମଠ ହେଉ କି ସାଧାରଣ ଲୋକ, ବିକଳ୍ପ ବ୍ୟବସ୍ଥା ନ କରି ପୁରୀରେ ସରକାର ଚଳାଇଥିବା ଉଚ୍ଛେଦ ପ୍ରକ୍ରିୟାକୁ ନାପସନ୍ଦ।

ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀରେ ଚାଲିଥିବା ଉଚ୍ଛେଦର ଧାରାକୁ କଡ଼ା ସମାଲୋଚନା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ। ବଳ ଓ ଛଳ ପୂର୍ବକ କୌଣସି ଉଚ୍ଛେଦ କାମ ନ କରି ଶାନ୍ତି ଓ ଆପୋଷ ବାତାବରଣ ଭିତରେ ଏଭଳି କାର୍ଯ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।

ଶ୍ରୀମନ୍ଦିର ପାଚେରୀଠାରୁ ୭୫ ମିଟର ଭିତରେ ଥିବା କୋଠାବଡ଼ି ଭାଙ୍ଗିବାକୁ ପ୍ରଶାସନ କାମ ଆରମ୍ଭ କରିଛି। ଏହି ଧାରାରେ ରଘୁନନ୍ଦନ ପାଠାଗାର, ଲଙ୍ଗୁଳି ମଠ, ମଙ୍ଗୁ ମଠ ଭଳି କେତେକ ପ୍ରାଚୀନ ଐତିହ୍ୟ ମାଟିରେ ମିଶିଗଲାଣି। ଏବେ ଏମାର ମଠ ଭଙ୍ଗା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ତେବେ ଯେଉଁ ଡଙ୍ଗରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି ତାକୁ ଅପସନ୍ଦ କରିଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ବ୍ୟାପାରରେ ପ୍ରଶାସନ ଏକଚାଟିଆ ଭାବେ ନିଷ୍ପତ୍ତି ନେବା ଉଚିତ ନୁହେଁ। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳର କୌଣସି ସଂସ୍କାର ବା ଶୋଧନ କାମ କଲାବେଳେ ତାହା ଧାର୍ମିକ ତଥା ଆଧ୍ୟାତ୍ମିକ ଢଙ୍ଗରେ କରାଯିବା କଥା। କିନ୍ତୁ ବର୍ତ୍ତମାନ ଯେଉଁ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ତାହାର ଢାଞ୍ଚାକୁ ଗ୍ରହଣ କରିପାରୁ ନାହାନ୍ତି ଶଙ୍କରାଚାର୍ଯ୍ୟ।

କୌଣସି ମଠର ମହନ୍ତ ହୁଅନ୍ତୁ କି ସାଧାରଣ ଲୋକ, ଏହି ଉଚ୍ଛେଦ ପ୍ରକ୍ରିୟାରେ ଯେଉଁମାନେ ପ୍ରଭାବିତ ହେଉଛନ୍ତି ସେମାନଙ୍କ ସହ ଆଲୋଚନା କରି ଏବଂ ସେମାନଙ୍କ ମନରେ ପୂର୍ଣ୍ଣ ବିଶ୍ଵାସ ସୃଷ୍ଟି କରି ପ୍ରଶାସନ ଆଗେଇବା କଥା। କିନ୍ତୁ ଲୋକଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଏଭଳି ତରବରିଆ ଉଚ୍ଛେଦକୁ ସମାଲୋଚନା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ।

ଏମାର ମଠର ଉଚ୍ଛେଦ ସମ୍ପର୍କରେ ଅଧିକ ପଢ଼ନ୍ତୁ :

ଏମାର ମଠରେ ପୂଜା ପାଉଛନ୍ତି ବହୁ ବିରଳ ଶାଳଗ୍ରାମ

ବିଚିତ୍ର! ପୁରୀ ଜିଲ୍ଲା ପ୍ରଶାସନ କହିଲାକଣ୍ଟେନର୍ରେ ରହିବେ ଏମାର ମଠ ମହନ୍ତ ମହାରାଜ

ଗାଦି ଛାଡ଼ିଲେନି ମହନ୍ତ, ଏବେ ଏମାର ମଠରୁ ନଜର ହଟାଉଛି ପ୍ରଶାସନ

Comment