ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଏମାର ମଠ। ଏହା ପୁରୀରେ ଥିବା ସବୁଠୁ ପୁରୁଣା ମଠ। ଏହି ମଠ ହେଉଛି ଓଡ଼ିଶା ଐତିହ୍ୟର ମୂକସାକ୍ଷୀ। ପ୍ରାୟ ୯ ଶହ ବର୍ଷତଳେ ହିନ୍ଦୁ ଧର୍ମବିତ୍‌, ଦାର୍ଶନିକ,  ଶ୍ରୀବୈଷ୍ଣବ, ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ରାମାନୁଜ ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ସେ ଏହି ମଠ ପ୍ରତିଷ୍ଠା କରିଥିଲେ।

ଏବେ ଏହି ପ୍ରାଚୀନ ମଠ ଇତିହାସ ହେବାକୁ ଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଏହି ମଠକୁ ଭଙ୍ଗା ଯାଉଛି। ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ଧୀରେ ଧୀରେ ମଠରେ ଥିବା ତତ୍ତ୍ୱ ଓ ରହସ୍ୟ ସାମ୍ନାକୁ ଆସୁଛି।

ଓଡ଼ିଶାଲାଇଭ୍‌ ଟିମ୍‌ କ୍ୟାମେରାରେ ଏମିତି କିଛି ବିରଳ ଦୃଶ୍ୟ କଏଦ ହୋଇଛି। ଏହି ସମ୍ବନ୍ଧୀୟ ଖବର ରିପୋର୍ଟ କରିବା ସମୟରେ ଏମାର ମଠରେ ଦିଅଁଙ୍କ ଆସ୍ଥାନରେ  ଥିବା ବହୁ ବିରଳ ଶାଳଗ୍ରାମ ନଜରକୁ ଆସିଥିଲା। ତୁଳସୀ ଓ ଫୁଲ ଚନ୍ଦନରେ ପୂଜା ପାଉଥିବା ଏହି ଶାଳଗ୍ରାମ ସଂପର୍କରେ ଅଧିକ ଜାଣିବାକୁ ଚାହିଁଥିଲା ଓଡ଼ିଶାଲାଇଭ୍‌ ଟିମ୍‌।

‘‘ଶାଳଗ୍ରାମ ହେଲେ ବିଷ୍ଣୁଶିଳା। ଭଗବାନ ବିଷ୍ଣୁଙ୍କର ପ୍ରତୀକ। ଯେଉଁ ଭଳି ଲିଙ୍ଗ ଶିବଙ୍କର ପ୍ରତୀକ ଠିକ ସେହିଭଳି ଶାଳଗ୍ରାମ ହେଲେ ବିଷ୍ଣୁଙ୍କର ପ୍ରତୀକ। ସବୁ ମନ୍ଦିର, ମଠ, ଧର୍ମାନୁଷ୍ଠାନରେ ଶାଳଗ୍ରାମ ପୂଜାର ପ୍ରଚଳନ ରହିଛି। ଶାଳଗ୍ରାମକୁ ତୁଳସୀ ଚଢ଼ାଇ ପୂଜା କଲେ ସାକ୍ଷାତ ବିଷ୍ଣୁଙ୍କର କୃପା ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି’’, ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।

ତେବେ  ଶାଳଗ୍ରାମ ନେପାଳର ଗଣ୍ଡୁକୀ ନଦୀରୁ ମିଳେ, ଅର୍ଥାତ୍‌ ଗଣ୍ଡୁକୀ ନଦୀର ଶିଳାକୁ ବିଷ୍ଣୁଙ୍କର ଏକ ପ୍ରତୀକ ରୂପେ ପରିଗଣିତ କରି ଶାଳଗ୍ରାମ ନାମରେ ପୂଜା କରାଯାଇଥାଏ।

‘‘ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ, ଯେଉଁ ରତ୍ନ ସିଂହାସନରେ ମହାପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି ସେହି ସିଂହାସନ ଗର୍ଭରେ ଲକ୍ଷେ ଶାଳଗ୍ରାମ ରହିଛି‘‘, କହିଛନ୍ତି ସିଦ୍ଧେଶ୍ୱର ମହାପାତ୍ର।

ହିନ୍ଦୁ ସଂସ୍କୃତିରେ ଶାଳଗ୍ରାମକୁ ନେଇ ଗଭୀର ଧାର୍ମିକ ବିଶ୍ୱାସ ରହିଛି। ଯେକୌଣସି ଶୁଭକାର୍ଯ୍ୟ ଆରମ୍ଭ ହେଲେ ପ୍ରଥମେ ଶାଳଗ୍ରାମକୁ ପୂଜା କରଯାଇଥାଏ। କୌଣସି ଶୁଭ କାର୍ଯ୍ୟରେ ଶାଳଗ୍ରାମ ପୂଜା କଲେ କାର୍ଯ୍ୟରେ ବିଘ୍ନ ଆସିନଥାଏ।

ତେବେ ମଠ ଭଙ୍ଗାଗଲେ ବି ଏହି ବିରଳ ଶାଳଗ୍ରାମ ସେହି ସ୍ଥାନରେ ହିଁ ରହିବେ ବୋଲି ଜଣାପଡ଼ିଛି। ମଠରେ ଥିବା ଦିଅଁଙ୍କ ମୂଳ ଆସ୍ଥାନକୁ ଭଙ୍ଗାଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।

ଏମାର ମଠର ଉଚ୍ଛେଦ ସମ୍ପର୍କରେ ଅଧିକ ପଢ଼ନ୍ତୁ :

ବିଚିତ୍ର! ପୁରୀ ଜିଲ୍ଲା ପ୍ରଶାସନ କହିଲାକଣ୍ଟେନର୍‌ରେ ରହିବେ ଏମାର ମଠ ମହନ୍ତ ମହାରାଜ

ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ କରିବା ଠିକ୍ହୋଇନାହିଁ : ଶଙ୍କରାଚାର୍ଯ୍ୟ

ଗାଦି ଛାଡ଼ିଲେନି ମହନ୍ତ, ଏବେ ଏମାର ମଠରୁ ନଜର ହଟାଉଛି ପ୍ରଶାସନ

Comment