ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘର ଗ୍ୟାସ ଟାଙ୍କି ଫାଟି ସାମୁଦ୍ରିକ ଥାନାର ଦୁଇଜଣ ନାବିକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତ ଦୁଇ ଜଣ ନାବିକ ହେଲେ ନୟାଗଡ଼ ଜିଲ୍ଲାର ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଏବଂ ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁ। ଖରିନାସୀ ଗାଁରେ ଥିବା ପୁରୁଣା ଜମ୍ବୁ ସାମୁଦ୍ରିକ ଥାନାରେ ଏମାନେ ନାବିକ ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ମୂତାବିକ, ଆଜି ସକାଳୁ ଏହି ଦୁଇ ଜଣ ବ୍ୟକ୍ତି ରୋଷେଇ ଘରେ ଜଳଖିଆ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ରୋଷେଇ ଗ୍ୟାସ ଟାଙ୍କି ଫାଟି ଯିବାରୁ ଘଟଣାସ୍ଥଳରେ ପ୍ରକାଶ ଚନ୍ଦ୍ର ସାମନ୍ତରାୟଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସୁଶାନ୍ତ କୁମାର ସାହୁଙ୍କୁ ଗୁରୁତର ଅବସ୍ଥାରେ ପାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।

ଏହି କର୍ମଚାରୀମାନେ ଜଳସେନା ବିଭାଗର ଅବସରପ୍ରାପ୍ତ କର୍ମଚାରୀ। ଅବସରପରେ ଏମାନେ ରାଜ୍ୟ ପୋଲିସ ବିଭାଗରେ ସାମୁଦ୍ରିକ ଥାନାରେ ବୋଟ ଚାଳକ ଭାବେ ନିଯୁକ୍ତି ପାଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଡାକ୍ତରଖାନାରେ ବିଳମ୍ବରେ ପହଞ୍ଚିବାରୁ ଆହତ ସୁଶାନ୍ତ କୁମାର ସାହୁଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Comment