ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁରୀ ପାଇଁ ଥଇଥାନ ପ୍ୟାକେଜ
  • ସ୍ଥାନାନ୍ତରିତ ପରିବାରକୁ ତୁରନ୍ତ ୫୦ ହଜାର ଟଙ୍କା
  • ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମିଳିବ ଘରଭଡ଼ା
  • କ୍ଷତିଗ୍ରସ୍ତ ଲଜ୍‌କୁ ମିଳିବ ସହାୟତା ରାଶି
  • ଉଠା ଦୋକାନୀଙ୍କୁ ୩୦ ହଜାର ଟଙ୍କା
  • ବ୍ୟବସାୟ ପାଇଁ ଜାଗା ଦେବେ ଜିଲ୍ଲାପାଳ

ପୁରୀ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ୭୫ ମିଟର ଉଚ୍ଛେଦ ଅଭିଯାନରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଏବଂ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଲୋକ ଜୀବିକା ହରାଇଛନ୍ତି। ଏମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥିଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ। ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ମିଳିବ। ବିସ୍ଥାପିତ ପରିବାରଙ୍କୁ ଘର କିମ୍ବା ଜମି ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଦିଆଯିବ।

କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ୩ଟି ଇଚ୍ଛାଧୀନ ସହାୟତା ରଖିଛନ୍ତି ରାଜ୍ୟ ସରକାର। ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ନେଇପାରିବେ କିମ୍ବା ଶ୍ରୀମନ୍ଦିରର ଦେଢ଼ କିଲୋମିଟର ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର ନେଇପାରିବେ। ନହେଲେ ଶ୍ରୀମନ୍ଦିରର ୨ କିଲୋମିଟର ମଧ୍ୟରେ ୧୦୦୦ ବର୍ଗଫୁଟର ଜାଗା ନେଇପାରିବେ।

ଏକାକାଳୀନ ସହାୟତା ନେଇଥିବା ପରିବାରଙ୍କୁ ଘରଭଡ଼ା ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ଖର୍ଚ୍ଚ ବାବଦରେ ୫୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ।

କ୍ଷତିଗ୍ରସ୍ତ ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି। କ୍ଷୁଦ୍ର ଦୋକାନୀଙ୍କ ପାଇଁ ମାସିକ ୫ ହଜାର, ମଧ୍ୟମ ଦୋକାନୀଙ୍କ ପାଇଁ ୧୦ ହଜାର ଏବଂ ବଡ଼ ଦୋକାନୀଙ୍କ ପାଇଁ ୧୫ ହଜାର ଟଙ୍କାର ଘରଭଡ଼ା ଘୋଷଣା ହୋଇଛି।

ପ୍ରଭାବିତ ଲଜ୍‌ମାନଙ୍କ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା ହୋଇଛି। ୩ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍‌ ପାଇଁ ୧୦ ଲକ୍ଷ ଟଙ୍କା ମିଳିବ। ୩ ହଜାର ବର୍ଗଫୁଟରୁ କମ୍‌ ଲଜ୍‌ ପାଇଁ ୫ ଲକ୍ଷ ଟଙ୍କା ମିଳିବ।

ଲଜ୍‌ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ସହାୟତା ମିଳିବ। ଏହାସହ ନୋଟିସ୍‌ ହେବାର ୩୦ ଦିନ ଭିତରେ ଯିଏ ଜାଗା ଖାଲି କରିବ ସେମାନଙ୍କୁ ଅଧିକ ୧୦ ପ୍ରତିଶତ ସହାୟତା ମିଳିବ। ସେହିପରି ମଠର ଗାଦି ଏବଂ ପ୍ରତିଷ୍ଠିତ ମନ୍ଦିରର ସଂରକ୍ଷଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

Comment