ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର: ସେବା ହିଁ ତାଙ୍କ ଜୀବନର ବ୍ରତ। ଦରିଦ୍ରର ସେବା କରି ଆତ୍ମସନ୍ତୋଷ ପାଆନ୍ତି ସେ। ସେ ଓ ତାଙ୍କ ପରିବାରର ସଦସ୍ୟମାନେ ମିଶି ଗରିବ ରୋଗୀଙ୍କ ସମ୍ପର୍କୀୟମାନଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଘରୁ ପ୍ରସ୍ତୁତ କରି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବଣ୍ଟନ କରି ଆସୁଛନ୍ତି।

ସେ ହେଲେ ବାଲେଶ୍ଵର ସହରର ଆଜିମାବାଦ ନିବାସୀ ୭୨ ବର୍ଷ ବୟସ୍କ ଅମର ସିଂ ଓ୍ଵାଲିଆ। ‘ମାନବ ସେବା ହିଁ ମାଧବ ସେବା’ରେ ଆସ୍ଥା ଓ ବିଶ୍ଵାସ ରଖୁଥିବା ଶ୍ରୀ ୱ।ଲିଆ ଓ ତାଙ୍କ ସାଥୀ ବିଗତ ଅଢ଼େଇ ବର୍ଷ ହେଲା ପ୍ରତି ରବିବାର ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ପ୍ରଦାନ କରିଆସୁଛନ୍ତି।

‘ସେବା ହେ ସେବା’ ନାମକ ଏକ ସାମାଜିକ ସଙ୍ଗଠନ ଗଢ଼ି ଏହାରି ମାଧ୍ୟମରେ ସେ ଓ ତାଙ୍କ ସଂଗଠନର ସଦସ୍ୟମାନେ ବାଲେଶ୍ୱର  ଜିଲ୍ଲା ସଦର ଡାକ୍ତରଖାନାରେ ଉପସ୍ଥିତ ରହି ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଏହି ସେବା ଗତ ୧୨୪ ସପ୍ତାହ ହେଲା ଯୋଗାଇ ଆସୁଛନ୍ତି।

ପ୍ରତି ରବିବାର ଆହାର ଖାଦ୍ୟ ବଣ୍ଟନ କେନ୍ଦ୍ର ବନ୍ଦ ରହେ। ତେଣୁ ଖାଇବା ପାଇଁ ବିଶେଷକରି ଗରିବ ରୋଗୀଙ୍କ ସମ୍ପର୍କୀୟମାନେ ବିଶେଷ ହଇରାଣ ହେଉଥିବା ଲକ୍ଷ୍ୟ କରି ଆମେ ଏହି ମହତ ଉଦ୍ୟମ କରିଆସୁଛୁ ବୋଲି ଓ୍ଵାଲିଆ କହିଛନ୍ତି।

ଏହି ସଂସ୍ଥା ପକ୍ଷରୁ ରୁଟି, ଆଳୁ ଭଜା ଓ ଆଚାର ବଣ୍ଟନ କରାଯାଏ। କେବେକେବେ ଖେଚୁଡ଼ି ଓ ବିଶେଷଦିନରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମିଠା ମଧ୍ୟ ଦିଆଯାଏ ବୋଲି ଓ୍ଵାଲିଆ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ‘ସେବା ହେ ସେବା’ର ସଦସ୍ୟମାନେ ସ୍ଥାନୀୟ କିଛି ବ୍ୟକ୍ତିଙ୍କର ସହଯୋଗ କ୍ରମେ ପ୍ରତି ରବିବାର ୪୫୦ ରୁ ୫୦୦ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥା’ନ୍ତି। ଖରା, ବର୍ଷା ହେଉ ବା ଶୀତ, ୧୨୪ ସପ୍ତାହ ହେଲା କୌଣସି ଗୋଟିଏ ବି ରବିବାର ସେମାନଙ୍କର ଏହି କାର୍ଯ୍ୟ ବନ୍ଦ ହୋଇନାହିଁ।

କେବଳ ଏତିକି ନୁହେଁ, ଓ୍ଵାଲିଆଙ୍କ ସଂସ୍ଥା ପକ୍ଷରୁ ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନା ପରିସରରେ ଏକ ତୁଳସୀ ବଗିଚା ମଧ୍ୟ କରାଯାଇଛି।

ଅମର ସିଂ ଓ୍ବାଲିଆ ଅନ୍ୟମାନଙ୍କ ଲାଗି ପ୍ରେରଣା ଓ ତାଙ୍କଠାରୁ ସମାଜ ଅନେକ କିଛି ଶିଖିବାର ଅଛି ବୋଲି ଲେଖକ ତଥା କବି କୃଷ୍ଣ କୁମାର ମହାନ୍ତି କହିଛନ୍ତି।

ଓ୍ଵାଲିଆ ପୂର୍ବରୁ ପ୍ରତି ରବିବାର ବାଲେଶ୍ୱରର ବିଭିନ୍ନ ଶାରୀରିକ ଅନଗ୍ରସର ଲୋକଙ୍କ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କୁ ମାଗଣା କ୍ଷୀର ଓ ବିସ୍କୁଟ ବଣ୍ଟନ କରୁଥିଲେ। ପରେ ପରେ ସେ ‘ସେବା ହେ ସେବା’ ସଙ୍ଗଠନ ଗଢ଼ି ସଦର ଡାକ୍ତରଖାନାରେ ରୋଗୀଙ୍କ ସଂପର୍କୀୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।

ଏହାପରେ ସେ ମଧ୍ୟାହ୍ନ ଭୋଜନ ସହିତ ଆର୍ଥିକ ଅନଗ୍ରସର ରୋଗୀଙ୍କ ସଂପର୍କୀୟଙ୍କୁ ସକାଳୁ ଜଳଖିଆ ଦେବାର ଉଦ୍ୟମ ଆରମ୍ଭ କରିବେ ବୋଲି କହିଛନ୍ତି ଓ୍ଵାଲିଆ। ଏଥିପାଇଁ ସେ ଡାକ୍ତରଖାନା ପରିସରରେ ଏକ ଛୋଟିଆ ଜାଗା ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏହା ସମ୍ଭବ ହୋଇପାରିଲେ ରୋଗୀଙ୍କ ସଂପର୍କୀୟଙ୍କୁ ସକାଳୁଆ ଜଳଖିଆ ଭାବରେ ମୁଢ଼ି, ମିକ୍ସଚର୍, ଉପମା ଓ ଚାହା ଯୋଗାଇ ଦେବାକୁ ସେ ଆଶା ରଖିଛନ୍ତି ।

କେବଳ ଏତିକି ନୁହେଁ, ‘ସେବା ହେ ସେବା’ ସଂଗଠନ ପକ୍ଷରୁ ମୃତକଙ୍କ ଶବ ନେବା ଲାଗି ମାଗଣାରେ ଗାଡ଼ି ଯୋଗାଇ ଦେବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ବାଲେଶ୍ୱର ସଦରରୁ ୧୫ କିଲୋମିଟର ପରିସୀମା ଭିତରେ ଥିବା ଲୋକଙ୍କୁ ଏହି ସୁବିଧା ଦିଆଯାଉଛି।

LEAVE A REPLY

Please enter your comment!
Please enter your name here