ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାରେ ଘଟିଛି ଗୋଟିଏ ଅଭାବନୀୟ ଘଟଣା। ଜଣେ ପ୍ରଥମ ଶ୍ରେଣୀ ଛାତ୍ର ସ୍କୁଲରେ ଥିବା ପରେ ମଧ୍ୟ ସ୍କୁଲ ଗେଟରେ ତାଲା ପକାଇ ଛୁ ହୋଇଛନ୍ତି ସ୍କୁଲର ପିଅନ ଓ ଶିକ୍ଷକ।

ବାଲେଶ୍ୱରରେ ବୁଧବାର ଏଭଳି ଘଟଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ କରି ଏହି ଘଟଣା ପାଇ ଦାୟୀ କିଏ ? ତାହା ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

ତେବେ ଏହାକୁ ନେଇ ଗଣମାଧ୍ୟମ ଆଗରେ ଅଜବ ଯୁକ୍ତି ବାଢ଼ିଛନ୍ତି ସ୍କୁଲର ପ୍ରଧାନଶିକ୍ଷୟତ୍ରୀ। ସେ କହିଛନ୍ତି, “ଆମେ ସବୁଦିନ ଏମିତି ଗୋଟିଏ ଦୁଇଟି ପିଲାକୁ ସ୍କୁଲରେ ତାଲା ପକେଇ ରଖୁ। ଯେହେତୁ ଆମ ସ୍କୁଲ ରାସ୍ତାକଡ଼ରେ ଅଛି, ସେଥିପାଇଁ ସ୍କୁଲ ଛୁଟିହେବାପରେ ଯେଉଁ ପିଲାଙ୍କୁ ନେବା ପାଇଁ ତାଙ୍କ ବାପା ମା’ ଆସିନଥାନ୍ତି ସେମାନଙ୍କୁ ଏଭଳି ସ୍କୁଲରେ ତାଲା ପକେଇ ରଖାଯାଏ।”

ବୁଧବାର ବାଲେଶ୍ୱର ସହରର ମଠସାହି ନୋଡାଲ ସ୍କୁଲର ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସ୍କୁଲ ଛୁଟିହେବାର କିଛି ସମୟ ପୂର୍ବରୁ ଶୌଚାଳୟ ଯାଇଥିଲା। ଛୋଟ ପିଲାଜଣକ ଶୌଚାଳୟରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା। ଏବଂ ସେତେବେଳକୁ ସ୍କୁଲଗେଟର ତାଲା ପକାଇ ସ୍କୁଲର ପିଅନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଘରକୁ ଚାଲିଯାଇଥିଲେ।

କିଛି ସମୟପରେ ପିଲାଟିର ବାପା ମା’ ତାଙ୍କ ପୁଅକୁ ଖୋଜିବାକୁ ଲାଗିଥିଲେ। ତେବେ ଦୀର୍ଘ ଏକ ଘଣ୍ଟା ଧରି ପିଲାଟି ସ୍କୁଲଗେଟ୍ ମଧ୍ୟରେ ବନ୍ଦୀ ଭଳି ରହିଥିଲା। ଏହାପରେ ଆଉ କିଛି ଉପାୟ ନପାଇ ଛୋଟ ପିଲାଟି ଜୋରରେ କାନ୍ଦିବାକୁ ଲାଗିଥିଲା। ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପିଲାଟିକୁ ବନ୍ଦ ଥିବା ସ୍କୁଲ ଗେଟ୍ ଖୋଲି ପିଲାଟିକୁ ବାହାରକୁ ଆଣିଥିଲେ।

Comment