ଓଡ଼ିଶାଲାଇଭ୍‌ ବ୍ୟୁରୋ

 ପଶ୍ଚିମ ଓଡ଼ିଶାର ଜଣାଶୁଣା ଲୋକନୃତ୍ୟ ଡ଼ାଲଖାଇ। ଡ଼ାଲଖାଇ ଗୀତର ତାଳେ ତାଳେ ଲୋକମାନେ ଝୁମି ଉଠିଥାନ୍ତି। ବିଶେଷ କରି ଗଣପର୍ବ ନୂଆଁଖାଇରେ ଏହି ନୃତ୍ୟରେ ସମସ୍ତେ ନାଚିଥାନ୍ତି। ଏହି ଲୋକନୃତ୍ୟ ଓଡ଼ିଶାର ପଶ୍ଚିମ ଅଞ୍ଚଳର ଜିଲ୍ଲାମାନଙ୍କରେ ବେଶ ପ୍ରସିଦ୍ଧ। ଏହା ଡାଲଖାଇ ନାମରେ ପ୍ରସିଦ୍ଧ କାରଣ ଏହାର ପ୍ରତ୍ୟେକ ପଦର ଆରମ୍ଭ ଓ ଶେଷରେ ଏହି ଶବ୍ଦର ପ୍ରୟୋଗ ହୋଇଥାଏ। ଗୀତରେ ଏହି ଶବ୍ଦକୁ ଜଣେ ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ବାରମ୍ବାର କୁହାଯାଇଥାଏ।

ଏହି ଗୀତରେ ମୁଖ୍ୟତଃ ରାଧାକୃଷ୍ଣ ପ୍ରେମକାହାଣୀ , ରାମାୟଣ ଓ ମହାଭାରତ ଆଦି ବିଷୟକୁ ନେଇ ନୃତ୍ୟ ପରିବେଷଣ ହୋଇଥାଏ।

ଭାଇଜିଉଣ୍ଟିଆ ,ଫଗୁନ୍, ନୂଆଖାଇ ଆଦି ପର୍ବ ସମୟରେ ଏହି ନୃତ୍ୟ ପରିବେଷଣ କରିଥାନ୍ତି ଲୋକ। ମୁଖ୍ୟତଃ ବି଼ଞ୍ଝାଲ, କୁଡ଼ା, ମିର୍ଧା, ସାମ ଓ ଆଉ କେତେକ ଜନଜାତିର ମହିଳାମାନେ ଏହି ନୃତ୍ୟ କରିଥାନ୍ତି। ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାମାନଙ୍କରେ ଏହି ଲୋକନୃତ୍ୟ ଦେଖିବାକୁ ମିଳିଥାଏ।

ଡ଼ାଲଖାଇ ନୃତ୍ୟର ଉତ୍ପତ୍ତି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ହୋଇଥିଲା। ଏହି ନୃତ୍ୟଗୀତରେ ପୁରୁଷ ଜଣକ ଗୀତର ପଦ ଆରମ୍ଭ ଓ ଶେଷ ସମୟରେ ‘ ଡାଲଖାଇ ବୋ ’ ବୋଲି କହିଥାଏ। ଏହି କାରଣରୁ ଏହି ନୃତ୍ୟକୁ ଡାଲଖାଇ ବୋଲି କୁହାଯାଇଥାଏ।

ଏହି ଲୋକନୃତ୍ୟରେ ନାଚୁଥିବା ପୁରୁଷ,  ଝିଅମାନଙ୍କୁ ଡାଲଖାଇ ବୋଲି ସମ୍ବୋଧିତ କରି ତାଙ୍କ ସହ ପ୍ରେମର ଛଳନା କରିଥାନ୍ତି।

ବର୍ତ୍ତମାନ ସମୟରେ ଏହି ଲୋକନୃତ୍ୟକୁ  ଢୋଲ୍ , ନିଶାନ୍, ଡ୍ରମ ,ତମକୀର ତାଳେ ତାଳେ ଲୋକମାନେ ନାଚୁଛନ୍ତି। ତା’ସହ ଏହି ଲୋକନୃତ୍ୟର ଗୀତରେ ତାସା ଓ ମହୁରୀର ମଧ୍ୟ ବ୍ୟବହାର ହୋଇଥାଏ।

ଏହି ଲୋକନୃତ୍ୟରେ ଝିଅ ଓ ମହିଳାମାନେ ରଙ୍ଗୀନ ସମ୍ବଲପୁରୀ ଶାଢୀ ପିନ୍ଧି ଏଥିରେ ନାଚିଥାନ୍ତି। ସମ୍ବଲପୁରୀ ଶାଢୀ ସହ ମହିଳାମାନେ ତାଙ୍କର ଦୁଇକାନ୍ଧରେ ଗୋଟିଏ ରଙ୍ଗୀନ କପଡ଼ା ମଧ୍ୟ ବାନ୍ଧିଥାନ୍ତି। ତାସହ ବିଭିନ୍ନ ପ୍ରକାର ପାରମ୍ପରିକ ଅଳଙ୍କାର ଆଦିକୁ ମଧ୍ୟ ମହିଳାମାନେ ନିଜ ଶରୀରରେ ଧାରଣ କରିଥାନ୍ତି।

Comment