ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା’’ ଓଡ଼ିଶାର ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ ଏବେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବିଶ୍ୱସ୍ତରରେ ଏହି ଗୀତ ଏବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ହିନ୍ଦୀ ଫିଲ୍ମ, ବଙ୍ଗଳା ଫିଲ୍ମରେ ମଧ୍ୟ ଏହି ଗୀତ ସ୍ଥାନ ପାଇଛି। ଖାସ କରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ରଙ୍ଗବତୀ ଢ଼ୋଲ, ନିଶାନର ତାଳେ ତାଳେ ନାଚି ଥା’ନ୍ତି ଲୋକେ। ସତେ ଯେମିତି ରଙ୍ଗବତୀ ବିନା ଏହି ଉତ୍ସବ ଫିକା।

ରଙ୍ଗବତୀ ଗୀତ ୭୦ ଦଶକରେ ସମ୍ବଲପୁର ଆକାଶବାଣୀରେ ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିଲା। ମିତ୍ରଭାନୁ ଗଉଁନ୍ତିଆ ଏହି ଗୀତଟିକୁ ରଚନା କରିଥିଲା ବେଳେ ଓ ପ୍ରଭୂଦତ୍ତ ପ୍ରଧାନ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ ଏଥିରେ କଣ୍ଠଦାନ କରିଥିଲେ।

ଗତ ୪ ଦଶନ୍ଧି ଧରି ଏହି ଗୀତ ଓଡ଼ିଆ ପର୍ବପର୍ବାଣୀ ତଥା ଖୁସି ମଉଜ ସମୟରେ ଲୋକଙ୍କର ପ୍ରଥମ ପସନ୍ଦ ହୋଇଛି। ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ତଥା ଭାରତ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ମଧ୍ୟ ଏହା କୌଣସି ଆନନ୍ଦଉତ୍ସବ ପାଳନ ସମୟର ପ୍ରଥମ ପସନ୍ଦ ରହିଆସିଛି।

ସତୁରୀ ଓ ଅଶୀ ଦଶକରେ ଏହା ବିଶେଷ ଲୋକପ୍ରିୟତା ଲାଭ କରିଥିଲା । ବାହାଘର ରୋଷଣୀ, ଭସାଣି ଆଦିରେ ଏହି ଗୀତ ବାଜିଥାଏ ।

Comment