ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତା ସମସ୍ୟାକୁ ନେଇ ପ୍ରତିବାଦ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଓଳିହା ଗାଁର ଲୋକ। କାଦୁଅ ରାସ୍ତାରେ ଜମା ହୋଇଥିବା କାଦୁଅରେ ଧାନତଳି ପୋତି ଉକ୍ତ ଗାଁ ଲୋକ ପ୍ରତିବାଦ କରିଛନ୍ତି। ରାସ୍ତାରେ ଗମନାଗମନର ସୁବିଧା ଠପ୍ ହେବାକୁ ବସିବାରୁ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି।

ଓରତଘାଟ ନିକଟରୁ ବଡ଼ିହ ପର୍ଯ୍ୟନ୍ତ ପୁର୍ତ୍ତ ବିଭାଗର ଏହି ରାସ୍ତା ନିର୍ମାଣ ପାଇଁ ସରକାର ୨ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ। ମାତ୍ର ଠିକାଦାର ଓ ବିଭାଗୀୟ ଅବହେଳାରୁ ରାସ୍ତା କାମ ବର୍ଷା ଦିନ ପୂର୍ବରୁ ଶେଷ ହୋଇ ପାରିନି। ଫଳରେ ଓରତଘାଟଠାରୁ ଓଳିହା ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି।

ମହାକାଳପଡ଼ା ବ୍ଲକର ଏକ ବିସ୍ତିର୍ଣ୍ଣ ଅଞ୍ଚଳ ସହିତ ଜିଲ୍ଲା ମୁଖ୍ୟାଳୟକୁ ଏହି ରାସ୍ତା ଏକମାତ୍ର ଯୋଗାଯୋଗର ମାଧ୍ୟମ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଗାଡ଼ିମଟରରେ ଲୋକେ ଯିବାଆସିବା କରିଥା’ନ୍ତି। ରାସ୍ତାରେ ଯିବାଆସିବା ବିପଦ ସୃଷ୍ଟି କରିବାରୁ ଲୋକେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମହାକାଳପଡ଼ା ପୁର୍ତ୍ତ ବିଭାଗର ଯନ୍ତ୍ରୀ ଠିକାଦାରଙ୍କୁ ଡକାଇ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ମରାମତି ଆରମ୍ଭ କରିବାପରେ ରାସ୍ତା ଅବରୋଧ ହଟିଯାଇଛି।

Comment