ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ବସ୍ତ୍ର ପରିଧାନ କରି ଏବଂ ନୂଆ ଶସ୍ୟରେ ତିଆରି ହୋଇଥିବା ଖିରି, ପିଠାରେ ପୁରପଲ୍ଲୀ ମହମହ ହୋଇ ବାସୁଛି। ବାହାରେ ଥିବା ପରିବାର ସଦସ୍ୟ ଏହି ଗଣପର୍ବରେ ଘରକୁ ଫେରି ମିଳିମିଶି ଏହି ପର୍ବକୁ ପାଳନ କରିଛନ୍ତି।

ଭାଇଚାରା ଓ ମିଳନର, ସଂସ୍କୃତି ଓ ସ୍ଵାଭିମାନର ପର୍ବ ନୂଆଁଖାଇ। ସମସ୍ତଙ୍କ ମନରେ ଖୁସି। ନିଜର ପହିଲି ଫସଲ ଇଷ୍ଟଦେବୀଙ୍କୁ ଅର୍ପଣ କରିଛନ୍ତି। ଆଉ ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆଁ ଖାଇଛନ୍ତି। ଆଗକୁ ପୂରା ବର୍ଷ ଭଲରେ କଟିବ ବୋଲି ସମସ୍ତେ ଆଶାପୋଷଣ କରିଛନ୍ତି।

ପ୍ରତିବର୍ଷ ଗଣେଶ ଚତୁର୍ଥୀ ପରଦିନ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପର୍ବ ପାଳନ କରିଥା’ନ୍ତି। ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଛୋଟଠାରୁ ବଡ଼ ସମସ୍ତେ ଏକାଠି ହୋଇ ନୂଆ ଖାଇଥିଲେ।

ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ନୂଆ ବସ୍ତ୍ର ଏବଂ ଅଳଙ୍କାରରେ ଆଭୂଷିତ କରାଯାଇଥିଲା। ପରିବାର ମୁଖିଆ ଘରର ଅଧିଷ୍ଠାତ୍ରୀଙ୍କ ଦେବୀ ମା’ ଲକ୍ଷ୍ମୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି କରିବା ପରେ ସମସ୍ତ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍‍ ନନ୍ଦ ଉତ୍ସବ ଦିନ ହିଁ ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ।

ସୁନ୍ଦରଗଡ଼ର ଓରାମ ଆଦିବାସୀ ସମ୍ପ୍ରଦାୟ ଭିନ୍ନ ଢଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି। ଏହି ସମ୍ପ୍ରଦାୟ ଲୋକେ କୁରେଇ ପତ୍ର ଏବଂ ପୂଜା ସାମଗ୍ରୀରେ ନିଜ ପିତୃପୁରୁଷଙ୍କୁ ଧୂଆ ଧାନ ଓ ପିଠାପଣା ଲାଗି କରିବା ପରେ ହାଣ୍ଡିଆ ଲାଗି କରିଥା’ନ୍ତି। ନିୟମ ଅନୁଯାୟୀ, ପୂର୍ବପୁରୁଷଙ୍କୁ ହାଣ୍ଡିଆ ଲାଗି କଲେ ସାତ ଜନ୍ମର ପାପରୁ ନିସ୍ତାର ମିଳିଥାଏ ବୋଲି ଏହି ସମ୍ପ୍ରଦାୟ ଲୋକଙ୍କର ବିଶ୍ୱାସ ରହିଛି। ପରେ ଘରର ମୁରବୀ ସମସ୍ତ ସଦସ୍ୟଙ୍କୁ ନବାନ୍ନ ପ୍ରଦାନ କରିବା ପରେ ସମସ୍ତେ ନୂଆ ଖାଇଥା’ନ୍ତି।

ଅନ୍ୟପଟେ ପାଟଣାଗଡ଼ରେ ମା’ ପାଟଣେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଥିଲା। ସୋନପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ନୀତି ନିଷ୍ଠାର ସହ ନୂଆ ଅନ୍ନ ଲାଗି କରାଯାଇଥିଲା।

ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରପାଲି ସମତେ ସମଗ୍ର ପଶ୍ଚିମ ଓଡ଼ିଶାରେ ନିଜ ନିଜ ଇଷ୍ଠଦେବୀଙ୍କ ପାଖରେ ନବାନ୍ନ ଲାଗି କରାଯାଇଥିଲା।

ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆଁ ଅନ୍ନ ପ୍ରସାଦ ବାଣ୍ଟି ଥିଲେ। ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆଁ ଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର‌୍‌, ମୁଣ୍ତିଆ ମାରି ଆଶୀର୍ବାଦ ନେବାର ପରମ୍ପରା ଆରମ୍ଭ ହୋଇଥିଲା। ସାନମାନେ ବଡ଼ମାନଙ୍କୁ ଜୁହାର ଭେଟ୍‌ ହୋଇଥିଲେ। ପରିବାର ସଦସ୍ୟଙ୍କ ପରେ ଗାଁ, ପଡ଼ାର ବନ୍ଧୁ, ପଡେ଼ାଶୀଙ୍କୁ ଭେଟି ଜୁହାର‌୍‌ ଭେଟ୍‌ ହୋଇଥିଲେ।

Comment