ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଚାଲିଥିବା ମଠ ଉଚ୍ଛେଦକୁ ଏବେ ଜୋରଦାର ବିରୋଧ କରାଯାଉଛି। ବିଭିନ୍ନ ମଠର ମହନ୍ତ ଏବଂ ସାଧୁସନ୍ଥମାନେ ଉଚ୍ଛେଦକୁ ପ୍ରତିବାଦ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ମଠ ଉଚ୍ଛେଦକୁ ବିରୋଧ କରି ପୁରୀରେ ଏକାଠି ହେବା ପରେ ରାଜ୍ୟ ସରକାର ବୁଧବାର ଦିନ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି। ଏଥିରେ ସରକାର କ୍ଷତିଗ୍ରସ୍ତ ପରିବାର, ଉଠା ଦୋକାନୀ ଏବଂ ମଠ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ମଠ ପାଇଁ କ’ଣ ରହିଛି ସ୍ୱତନ୍ତ୍ର ପ୍ୟାକେଜ?

ସୁରକ୍ଷିତ ରହିବେ ମଠରେ ପ୍ରତିଷ୍ଠିତ ଦେବାଦେବୀ

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଥିବା ମଠ ଏବଂ ତତ୍‌ସଂଲଗ୍ନ ଦୋକାନ ଘରଗୁଡ଼ିକ ଅଧିଗ୍ରହଣ କରି ପୁନର୍ବିନ୍ୟାସ ପାଇଁ ପଦକ୍ଷେପ ନେବେ ସରକାର। ଏହାସହ ସରକାର ସ୍ପଷ୍ଟ କରିଛନ୍ତି ଯେ ମଠରେ ପ୍ରତିଷ୍ଠିତ ଦେବାଦେବୀ ଏବଂ ଆସ୍ଥାନକୁ ସୁରକ୍ଷିତ ରଖାଯାଇ ପୂଜାର୍ଚ୍ଚନା କରାଯିବ।

ମଠ ପାଇଁ ଅନ୍ୟତ୍ର ଜମି

ମଠ ଅଧିଗୃହିତ ହେବା ପରେ ପୁରୀ ଜିଲ୍ଲାପାଳ ମଠ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦେବେ ବୋଲି ସରକାର ବିଜ୍ଞାପନରେ ସ୍ପଷ୍ଟ କରିଛନ୍ତି। ମଠର ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ସରକାର କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ସରକାର ମଠ ପାଇଁ ଅନ୍ୟ ସ୍ଥାନରେ ଜମି ଦେବେ, ହେଲେ ମଠ ନିର୍ମାଣ ପାଇଁ କ’ଣ ବ୍ୟବସ୍ଥା କରିବେ ସେ ବିଷୟରେ କିଛି ସ୍ପଷ୍ଟ କରି ନାହାନ୍ତି। କେବଳ ଜମି ଦେଇେଦେଲେ କ’ଣ ମଠ ପ୍ରତିଷ୍ଠା ହୋଇଯିବ କି ବୋଲି ସାଧାରଣରେ ଆଲୋଚନା ହେଉଛି।

ଶ୍ରୀମନ୍ଦିରର ନୀତିକାନ୍ତି ସହ ଜଡ଼ିତ ମଠଗୁଡ଼ିକ ଯେଭଳି ସେମାନଙ୍କ ପରମ୍ପରା ବଜାୟ ରଖିପାରିବେ ସେ ଦିଗରେ ଆବଶ୍ୟକ ପଦେକ୍ଷପ ସରକାର ନେବେ ବୋଲି କହିଛନ୍ତି।

ମାର୍କେଟ କମ୍ପ୍ଲେକ୍ସରେ ମିଳିବ ଦୋକାନ ଘର

ବିଭିନ୍ନ ମଠ ଦୋକାନ ଘର କରି ଭଡ଼ାରେ ଲଗାଇଥିଲେ। ଭଡ଼ା ବାବଦରେ ଯାହା ଆୟ ହେଉଥିଲା ସେଥିରେ ମଠ ପରିଚାଳିତ ହେଉଥିଲା। କିନ୍ତୁ ସରକାର ମଠ ସହିତ ଏହି ଦୋକାନ ଘରଗୁଡ଼ିକୁ ଉଚ୍ଛେଦ କରୁଛନ୍ତି। ଯେଉଁମାନେ ଦୋକାନ କରି ପରିବାର ଚଳାଉଥିଲେ ସେମାନେ ଏବେ ଜୀବିକା ହରାଇଛନ୍ତି। ଏଣୁ ସେମାନଙ୍କ ପାଇଁ ସରକାର ଥଇଥାନ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି।

ପୁରୀର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ସେମାନଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ଏଥିପାଇଁ ପୁରୀ ଜିଲ୍ଲାପାଳ ବ୍ୟବସ୍ଥା କରିବେ।

ସ୍ୱ ଇଚ୍ଛାରେ ସମ୍ପତ୍ତି ହସ୍ତାନ୍ତର କଲେ ଅଧିକ କ୍ଷତିପୂରଣ

ସରକାର ବିଜ୍ଞାପନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ନୋଟିସ୍‌ ପାଇବାର ୩୦ ଦିନ ଭିତରେ ଯଦି ସ୍ୱଇଚ୍ଛାରେ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରନ୍ତି ତାହାଲେ ସେମାନଙ୍କୁ ଅଧିକ କ୍ଷତିପୂରଣ ମିଳିବ। ସମସ୍ତ ସହାୟତା ଏବଂ କ୍ଷତିପୂରଣ ବାଦ୍‌ ଅଧିକ ୧୦ ପ୍ରତିଶତ ଅର୍ଥରାଶି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

କାହିଁକି ଏମିତି ବିଜ୍ଞାପନ?

ଗତ ଦୁଇ ଦିନ ତଳେ ପୁରୀ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ ରାଜ୍ୟ ସରକାର। ବିଜ୍ଞାପନରେ ଯାହା ଯାହା ଲେଖିଛନ୍ତି ତାହା ଗତ ଦୁଇ ଦିନ ତଳେ ହିଁ ଘୋଷଣା କରିଥିଲେ। ହେଲେ ଏହି ସ୍ୱତନ୍ତ୍ର ପ୍ୟାକେଜ କିଛି କାମ ଦେଲାନି। ପ୍ୟାକେଜ ଘୋଷଣାର ୨୪ ଘଣ୍ଟା ନପୂରୁଣୁ ପୁରୀରେ ଆରମ୍ଭ ହେଲା ବିରୋଧ।

ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ପୁରୀରେ ଏକାଠି ହେଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ। କିନ୍ତୁ ଆଲୋଚନା ବିଫଳ ହେଲା। ଶେଷରେ ପ୍ରଶାସନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବଡ଼ ଆଖଡ଼ା ମଠ ଉଚ୍ଛେଦ କରିବାକୁ ପ୍ରସ୍ତୁତ ହେଲେ। ହେଲେ ବଡ଼ ଆଖଡ଼ା ମଠର ପାଚେରୀ ଉପରେ ସାଧୁସନ୍ଥ ଏବଂ ସହଯୋଗୀମାନେ ବସିରହି ପ୍ରତିବାଦ କଲେ। ମଠ ଉଚ୍ଛେଦ କରିବାକୁ ଆସିଥିବା ବୁଲ୍‌ଡୋଜରକୁ ଫେରାଇ ଦେଲେ।

ଶେଷରେ ଜିଲ୍ଲାପାଳ ବଡ଼ ଆଖଡ଼ା ମଠ ମହନ୍ତଙ୍କ ସହ ଆଲୋଚନା କଲେ। ଆଲୋଚନା ବେଳେ ମଠ ମହନ୍ତ ପ୍ରସ୍ତାବ ଦେଲେ। ସେ କହିଥିଲେ ସହମତି ଭିତ୍ତିରେ ଉଚ୍ଛେଦ ହେଉ। ସେହି ସନ୍ଧ୍ୟାରେ ପୁରୀରେ ବସିଥିଲା ସୁରକ୍ଷା କମିଟି ବୈଠକ। ବୈଠକରେ ଉପସ୍ଥିତ ଥିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ମଠ ଉଚ୍ଛେଦକୁ ବୈଠକରେ ବିରୋଧ କରାଯାଇଥିଲା।

ଏହି ବିରୋଧ ପରେ ସରକାର ବିଭିନ୍ନ ମଣମାଧ୍ୟମରେ ବିଜ୍ଞାପନ ଦେଇ ପ୍ୟାକେଜ ସମ୍ପର୍କରେ ଅଧିକ ସ୍ପଷ୍ଟୀକରଣ ଦେବାକୁ ଉଦ୍ୟମ କରିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here