ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଭେଟିଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର।

ଦିନ ଯେତିକି ଗଡୁଛି, ପୁରୀରେ ମଠ ଉଚ୍ଛେଦକୁ ନେଇ ରାଜନୀତି ସେତିକି ବଢୁଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଠ ଉଚ୍ଛେଦକୁ ନେଇ ମୁହଁ ଖୋଲିବା ପରେ ଆଜି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବଡ଼ ଆଖଡ଼ା ମଠ ଯାଇ ମହନ୍ତଙ୍କୁ ଭେଟିଛନ୍ତି।

ମହନ୍ତ ହରିନାରାୟଣ ମହାରାଜଙ୍କ ସହ ଆଲୋଚନା କରିଥିଲେ ସମ୍ବିତ। ଆଲୋଚନା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

‘‘ଆମେ ପ୍ରକଳ୍ପକୁ ବିରୋଧ କରୁନୁ। ଆମେ ଚାହୁଁଛୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ। ବହୁ ପର୍ଯ୍ୟଟକ ପୁରୀ ଆସନ୍ତୁ। କିନ୍ତୁ ରାଜ୍ୟ ସରକାର ଯେଉଁ ପ୍ରକ୍ରିୟା ଆପଣାଇଛନ୍ତି ସେଥିରେ ଅସୁବିଧା ରହିଛି। ଲୋକଙ୍କ ଭରସାକୁ ଅକ୍ଷୁର୍ଣ୍ଣ ରଖି ପ୍ରଶାସନ ଏସବୁ କାମ କରିବା ଉଚିତ। ବି ପି ଦାସ କମିଶନ କ’ଣ ରିପୋର୍ଟ ଦେଇଛନ୍ତି ସେ ବିଷୟରେ ପ୍ରଶାସନ ବିଭିନ୍ନ ଆଖଡ଼ା ସମିତି, କାଉନ୍‌ସିଲର ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିବା ଦରକାର। ଉଠା ଦୋକାନୀମାନଙ୍କୁ ଆଗେ ଥଇଥାନ କରାଯାଉ। ସେମାନଙ୍କୁ ଉଚିତ କ୍ଷତିପୂରଣ ଦିଆଯାଉ’’, କହିଛନ୍ତି ସମ୍ବିତ ପାତ୍ର।

ସମ୍ବିତ ଆହୁରି କହିଛନ୍ତି ଯେ ମଠ ରହିଲେ ଆମ ସଂସ୍କୃତି ବଞ୍ଚିବ। ସାଧୁ ସନ୍ନ୍ୟାସୀ ରହିଲେ ଆମ ସଂସ୍କୃତି ରହିବ। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର।

ବିବାଦ ବଢ଼ିବାରୁ ମଠ ଉଚ୍ଛେଦକୁ ସାମୟିକ ଭାବେ ବନ୍ଦ ରଖିଛି ପୁରୀ ପ୍ରଶାସନ। ମଠ ଉଚ୍ଛେଦକୁ ସାଧୁସନ୍ଥମାନେ ବିରୋଧ କରିଥିଲେ। ମହନ୍ତମାନେ ସୁପ୍ରିମକୋର୍ଟର ହସ୍ତକ୍ଷେପ ଲୋଡ଼ିଛନ୍ତି।

Comment