ଓଡ଼ିଶାଲାଇଭ୍ ବ୍ୟୁରୋ

୨ ବର୍ଷ ପରେ ଦିଲ୍ଲୀରୁ ଫେରିଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ।

କଟକ: ଜଗା-କାଳିଆ ଶନିବାର କଟକରେ ପହଞ୍ଚିବା ପରେ ଉଭୟଙ୍କୁ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ୨୦୧୭ ମସିହାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇ ଆସୁଥିବା ଜଗା-କାଳିଆଙ୍କୁ ଆଶୁଚିକିତ୍ସା କେନ୍ଦ୍ର ଉପର ମହଲାରେ ଥିବା ଏକ ସ୍ୱତନ୍ତ୍ର କ୍ୟାବିନରେ ଉଭୟଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି।

ଜଗା-କାଳିଆଙ୍କ ସ୍ୱାସ୍ଥ୍ୟସେବା ତଥା ଚିକିତ୍ସା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥାକୁ ନେଇ ଡାକ୍ତରଖାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନେଇ ଏସ୍‌ସିବିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

ନବକିଶୋର ଦାସ କହିଛନ୍ତି, ‘‘ଏମ୍‌ସରେ ଅପରେସନ୍ ପରେ ଦୁଇ ବର୍ଷ ହେଲା ଚିକିତ୍ସିତ ହୋଇ ଦୁଇ ଭାଇ ଓଡ଼ିଶା ଫେରିବା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏସ୍‌ସିବିରେ ଦୁଇ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଏସ୍‌ସିବିରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଏମ୍‌ସ ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ଜଗା-କାଳିଆଙ୍କୁ ଚିକିତ୍ସା କରାଯିବ।’’

ଦୁଇ ଭାଇଙ୍କର ସ୍ୱାସ୍ଥ୍ୟାବସ୍ଥା ମୁଁ ପ୍ରତ୍ୟକ୍ଷ ଭାବେ ଆଜି ଅନୁଧ୍ୟାନ କରିଛି। ଜଗାର ଅବସ୍ଥା ଏବେ ଭଲ ଅଛି। ସେ ମୋ’ ସହ ହାତ ମିଳାଇଛି। ମାତ୍ର କାଳିଆର ସ୍ୱାସ୍ଥ୍ୟବସ୍ଥା ଟିକେ ଭଲ ନାହିଁ ବୋଲି ମୁଁ ଅନୁଭବ କରୁଛି’’, ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।

ଆଉ କିଛି ଦିନ ପରେ ଜାଗାକୁ ସ୍କୁଲ୍ ପଠାଯିବା ଲାଗି ସରକାରୀ ସ୍ତରରେ ବ୍ୟବସ୍ଥା ଚାଲିଛି ବୋଲି ମନ୍ତ୍ରୀ କହିଥିଲେ।

ଜଗା-କାଳିଆ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଥିଲେ। ପୂର୍ବରୁ ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଏମ୍‌ସ ଡାକ୍ତର ଦୀପକ ଗୁପ୍ତା ଜଗା-କାଳିଆଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିଲେ।

ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ଡାକ୍ତରୀ ଟିମ୍‌ରେ  ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ର ଅଧ୍ୟକ୍ଷ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଡାକ୍ତରୀ ଟିମ୍‌ରେ ସର୍ଜରୀ ବିଭାଗ ପ୍ରଫେସର କୈଳାସ ଚନ୍ଦ୍ର ମିଶ୍ର, ଶିଶୁ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଜ୍ଞାନେନ୍ଦ୍ରନାଥ ବେହେରା, ନ୍ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକ, ଡାକ୍ତରଖାନା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଅଛନ୍ତି।

Comment