ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ସାଉଥ୍‌କୋ ନିବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେଲମେଟ ଓ ରେନ କୋଟ ପିନ୍ଧି କର୍ମଚାରୀମାନେ କାମ କରୁଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ଅଫିସ୍‌ର କାନ୍ଥରୁ ପାଣି ଗଳୁଥିବାରୁ କର୍ମଚାରୀମାନେ ଏଭଳି ଉପାୟ ଅବଲମ୍ବନ କରିଛନ୍ତି।

ଅଫିସ ଭିତରେ ଥିବା ଗୁରୁତ୍ୱପୁର୍ଣ୍ଣ ଫାଇଲ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ପଲିଥିନ ପାଲ ଘୋଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।

ଜିଲ୍ଲାର ୬ଟି ବ୍ଲକ ବିଦ୍ୟୁତ ହିତାଧିକାରିଙ୍କ ନିମନ୍ତେ ଏଠାରେ ନିବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି। ଅଫିସ ଭିତରେ କର୍ମଚାରୀମାନେ ଛତା, ହେଲ୍‌ମେଟ, ରେନ୍‌ କୋଟ ପିନ୍ଧି କାମ କରୁଥିବା ବେଳେ ବର୍ଷା ପାଣିରେ ଅଫିସର ଗୁରୁତ୍ୱପୁର୍ଣ୍ଣ ଫାଇଲ, ବୈଦ୍ୟୁତିକ ସାମଗ୍ରୀ ସବୁ ନଷ୍ଟ ହେବାକୁ ବସିଲାଣି।

ଲଗାଣ ବର୍ଷା ଯୋଗୁଁ ଅଫିସର ଛାତରୁ ପାଣି ଗଳୁଥିବା ବେଳେ ଛାତର ସିମେଣ୍ଟ ପ୍ଲାଷ୍ଟର ମଧ୍ୟ ଖସୁଛି। ସେହିପରି ଅଫିସ ଭିତର ଚଟାଣରେ ବର୍ଷା ପାଣି ଜମି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଅଫିସର ଛାତ ଭୁଷୁଡ଼ି ଯିବାର ଭୟ ଲାଗି ରହିଛି। ତେବେ ଅଫିସ କୋଠାର ମରାମତି ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିବା କହିଛନ୍ତି ନିବାହୀ ଯନ୍ତ୍ରୀ ଶଶି ଶେଖର ମହାପାତ୍ର।

Comment