ଓଡ଼ିଶାଲାଇଭ୍ ବ୍ୟୁରୋ

  • ୩ ମାସ ଯାଏଁ କୋହଳ ହେଲା ଜରିମାନା ଆଦାୟ
  • ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ଅପିଲ୍‌
  • ଲୋକଙ୍କ ପ୍ରତି କଠୋର ହୁଅ ନାହିଁ : ମୁଖ୍ୟମନ୍ତ୍ରୀ
  • ଅଧିକ କାଉଣ୍ଟର ଖୋଲିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ

ଚାରିଆଡ଼େ ଜନ ଅସନ୍ତୋଷ ଦେଖାଦେବା ପରେ ଆଜି ରାଜ୍ୟ ସରକାର ନରମିଛନ୍ତି। ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ମାସ ପାଇଁ ଜରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

‘‘ଲୋକଙ୍କ ପ୍ରତି କଠୋର ହୁଅ ନାହିଁ। ଜରିମାନା ଆଦାୟ ବଦଳରେ ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ବୁଝାଅ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଜରିମାନା ଆଦାୟକୁ କୋହଳ କର’’, ଟ୍ରାଫିକ ପୋଲିସଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକମାନେ ଡ୍ରାଇଭିଙ୍ଗ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ କେମିତି ସୁବିଧାରେ ପାଇବେ ସେଥିପାଇଁ ଗୁରୁତ୍ୱ ଦେବାକୁ ପରିବହନ ବିଭାଗକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ ଲୋକମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପରେ ଜରିମାନା ଆଦାୟକୁ ଜୋରଦାର କରିଥିଲା ପୋଲିସ। ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା। ହେଲେ ଏହାକୁ ନେଇ ଗତ ଶନିବାର ଦିନ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ରଣକ୍ଷେତ୍ର ପାଲଟି ଯାଇଥିଲା ରାଜହମଲ ଛକ। ଏହାପରେ ଗତ ଦୁଇ ଦିନ ହେଲା ପୋଲିସ ରାଜଧାନୀରେ ଲୋକଙ୍କୁ ଫୁଲ ଏବଂ ଚକୋଲେଟ୍‌ ଦେଇ ଗାଡ଼ି ଚାଳକଙ୍କୁ ବୁଝାଉଥିଲା।

ଏସବୁ ପରେ ଆଜି ନିଜେ ମୁଖ୍ୟମନ୍ତ୍ରୀ ଜରିମାନା ଆଦାୟ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comment