ଓଡ଼ିଶାଲାଇଭ୍ ବ୍ୟୁରୋ

 ଏଣିକି ଛୁଟିଦିନମାନଙ୍କରେ ଖୋଲା ରହିବ ସରକାରୀ ଅଫିସ୍। କରି ପାରିବେ ଗାଡ଼ିର କାଗଜପତ୍ର।

ଏଣିକି ଛୁଟିଦିନରେ ମଧ୍ୟ କରିହେବ ଗାଡି କାଗଜପତ୍ର। ଛୁଟିଦିନମାନଙ୍କରେ ମଧ୍ୟ ଗାଡି କାଗଜପତ୍ର ପ୍ରଦାନ କରୁଥିବା କାର୍ଯ୍ୟାଳୟଗୁଡ଼ିକ ଖୋଲାରହିବ। ଅର୍ଥାତ ରାଜ୍ୟରେ ଥିବା ସମସ୍ତ ଆରଟିଓଗୁଡ଼ିକ ଏଣିକି ଛୁଟିଦିନରେ ମଧ୍ୟ ଲୋକଙ୍କ ପାଇଁ ଖୋଲା ରହିବ।

ଛୁଟିଦିନରେ ମଧ୍ୟ ଲୋକମାନେ ଆସି ନିଜର ଗାଡ଼ି କାଗଜପତ୍ର କରିପାରିବେ।

୩ ମାସ ପାଇଁ ଜରିମାନା ଆଦାୟ କୋହଳ କରିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ତିନିମାସ ମଧ୍ୟରେ ଲୋକମାନେ ନିଜର ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ କରାଇନିଅନ୍ତୁ। ଏଥିପାଇଁ ଲୋକମାନଙ୍କ ସୁବିଧା ନିମନ୍ତେ ସମସ୍ତ କାର୍ଯ୍ୟାଳୟଗୁଡ଼ିକ ଛୁଟିଦିନରେ ମଧ୍ୟ ଖୋଲାରହିବ। ରାଜ୍ୟର ସମସ୍ତ ଆରଟିଓରେ ବିଭିନ୍ନ କ୍ୟାମ୍ପ କରି ଲୋକମାନଙ୍କୁ ଏହି କାଗଜପତ୍ର କାମରେ ସହଯୋଗ କରାଯିବ ବୋଲି କହିଛନ୍ତି ସେ।

ଟ୍ରାଫିକ୍‌ ନିୟମକୁ ଜନ ଅସନ୍ତୋଷ ଦେଖାଦେବା ପରେ ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ୩ ମାସ ପାଇଁ ଜରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପରେ ଜରିମାନା ଆଦାୟକୁ ଜୋରଦାର କରିଥିଲା ପୋଲିସ। ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା। ହେଲେ ଏହାକୁ ନେଇ ଗତ ଶନିବାର ଦିନ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ରଣକ୍ଷେତ୍ର ପାଲଟି ଯାଇଥିଲା ରାଜହମଲ ଛକ। ଏହାପରେ ଗତ ତିନି ଦିନ ହେଲା ପୋଲିସ ରାଜଧାନୀରେ ଲୋକଙ୍କୁ ଫୁଲ ଏବଂ ଚକୋଲେଟ୍‌ ଦେଇ ଗାଡ଼ି ଚାଳକଙ୍କୁ ବୁଝାଉଥିଲା। ମଙ୍ଗଳବାର ପୋଲିସ ଲୋକଙ୍କ ସଚେତନ କରିବା ପାଇଁ ଫାଇନ୍‌ ନେଇ ହେଲମେଟ୍‌ ମଧ୍ୟ ବଣ୍ଟନ କରୁଥିଲେ।

Comment