ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୂଆ ମୋଟର ଯାନ ଆଇନକୁ ଦିଦି କଲେ ବିରୋଧ
  • ପଶ୍ଚିମବଙ୍ଗରେ ଲାଗୁ ହେବନି ଏହି ଆଇନ
  • ନୂଆ ଆଇନକୁ ଦିଦି କହିଲେ ‘ବୋଝ’
  • ଗରିବ ଲୋକ ଏତେ ଟଙ୍କା ଆଣିବେ କେଉଁଠୁ?

କେନ୍ଦ୍ରର ନୂଆ ମୋଟର ଯାନ ଆଇନକୁ କଡ଼ା ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ରାଜ୍ୟରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ଦିଦି। ନୂଆ ଆଇନକୁ ନେଇ ପୁଣିଥରେ ଦିଦି-ମୋଦି ମୁହାଁମୁହିଁ ହୋଇଛନ୍ତି।

‘‘ନୂଆ ମୋଟର ଯାନ ଆଇନ ଲୋକଙ୍କ ପାଇଁ ବଡ଼ ବୋଝ। ସଂସଦରେ ମଧ୍ୟ ଆମେ ଏହି ଆଇନକୁ ବିରୋଧ କରିଥିଲୁ। ଠିକ୍‌ ଭାବେ ଗାଡ଼ି ଚଳାନ୍ତୁ ଏବଂ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ଆମେ ଲୋକଙ୍କୁ ସଚେତନ କରୁଛୁ’’, କହିଛନ୍ତି ମମତା ବାନାର୍ଜୀ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ବହୁଗତ ଗରିବ ଲୋକ ଅଛନ୍ତି। ସେମାନେ ଜରିମାନା ଦେବା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ?

ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ହେଲେ ପଶ୍ଚିମବଙ୍ଗ ସରକାର ଏହି ଆଇନକୁ ତାଙ୍କ ରାଜ୍ୟରେ ଲାଗୁ କରି ନାହାନ୍ତି। ସାରା ଦେଶରେ ଏହି ଆଇନ ବଳରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି।

ଦିଲ୍ଲୀଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ସବୁଠି ମୋଟା ଅଙ୍କର ଫାଇନ ଆଦାୟ ଚାଲିଥିବା ବେଳେ ମମତା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏହି ଆଇନକୁ ସେ ବିରୋଧ କରିଛନ୍ତି।

ପୂର୍ବରୁ ମଧ୍ୟ କେନ୍ଦ୍ର ଯୋଜନାକୁ ନେଇ ଦିଦି ମୋଦି ସରକାରଙ୍କ ଉପରେ ବର୍ଷି ଆସୁଥିଲେ। ଅଧିକାଂଶ କେନ୍ଦ୍ର ଯୋଜନାକୁ ଦିଦି ପଶ୍ଚିମଙ୍ଗରେ ଲାଗୁ କରି ନାହାନ୍ତି। ଏବେ ନୂଆ ମୋଟର ଯାନ ଆଇନକୁ ମଧ୍ୟ ସେ ଲାଗୁ କରି ନାହାନ୍ତି।

ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦିଦି-ମୋଦିଙ୍କ ଭିତରେ କେମିତି ରାଜନୀତିକ ଛକାପଞ୍ଝା ଚାଲିଥିଲା ତାହା ସମସ୍ତେ ଜାଣିଛନ୍ତି। ଅମିତ ଶାହଙ୍କୁ ପଶ୍ଚିମଙ୍ଗରେ ଜୋରଦାର ବିରୋଧ କରିବା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପୂରାଇ ଦେଇ ନଥିଲେ ତୃଣମୂଳ କଂଗ୍ରେସ କର୍ମୀ।

ବିଜେପି ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ ସଂସଦରେ ମୋଦି ସରକାର ଯେଉଁ ବିଲ୍‌ ପାସ୍‌ କରିଛନ୍ତି ସେସବୁକୁ ମଧ୍ୟ ଦିଦି ବିରୋଧ କରି ଆସୁଛନ୍ତି।

ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଗତ ବଜେଟ ଅଧିବେଶରେ ମୋଟର ଯାନ ଆଇନରେ ସଂଶୋଧନ ଆଣିଥିଲେ। ଏହି ଆଇନରେ ୧୦ ଗୁଣା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶନାମା ରହିଛି। ହେଲେ ମମତା ବାନାର୍ଜୀ ଏହାକୁ ପଶ୍ଚିମବଙ୍ଗରେ ‘ନୋ ଏଣ୍ଟ୍ରି’ କହିଛନ୍ତି।

Comment