ଓଡ଼ିଶାଲାଇଭ୍ ବ୍ୟୁରୋ

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦପ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳ ବଦଳ କରାଯାଇଛି। ବିଗତ ପାଞ୍ଚ ବର୍ଷ ଧରି ଅତିରିକ୍ତ ପ୍ରମୁଖ ସଚିବ ଥିବା ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ନୂଆ ପ୍ରମୁଖ ସଚିବ ହୋଇଛନ୍ତି। ମୋଦି ଓ ମିଶ୍ର ପରସ୍ପରକୁ ପ୍ରାୟ କୋଡିଏ ବର୍ଷ ଧରି ଜାଣନ୍ତି।

୨୦୦୧ ମସିହାରେ ବିଜେପି ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ ପଠାଇଲା,‌ ପିକେ ମିଶ୍ର ହିଁ ମୋଦିଙ୍କ ମୁଖ୍ୟ ଦିଗଦର୍ଶକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ମୋଦିଙ୍କ ଦପ୍ତରରେ ସେ ୫ ବର୍ଷ କାଳ ନିରନ୍ତର ଦାୟିତ୍ୱ ତୁଲାଇଥିଲେ। ଏହି ପାଞ୍ଚ ବର୍ଷ ମଧ୍ୟରେ ଅମଲାତନ୍ତ୍ର ଓ ସରକାର ପରିଚାଳନାର ଗୂଢ ତତ୍ୱ ଗୁଡିକୁ ପିକେ ମିଶ୍ର ହିଁ ମୋଦିଙ୍କୁ ଶିଖାଇଥିଲେ।ସେହି ଦିନ ଠାରୁ ଉଭୟଙ୍କ ସମ୍ପର୍କ ନିରବଛିନ୍ନ ହୋଇ ଆସିଛି।

ସମ୍ବଲପୁରରେ ଜନ୍ମିତ ମିଶ୍ର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ସସେକ୍ସ ବିଶ୍ୱବିଦ୍ୟାଳୟରୁ ସେ ଉନ୍ନୟନ ଅର୍ଥନୀତିରେ ବିଶେଷ ଜ୍ଞାନ ଆହରଣ କରିଛନ୍ତି।ଏହି ବିଷୟ ଉପରେ ସେ ଡକ୍ଟରେଟ ଡିଗ୍ରୀ ବି ହାସଲ କରିଛନ୍ତି।

ମିଶ୍ର କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଭିତ୍ତିଭୂମି ଉନ୍ନୟନ ଓ ନିୟନ୍ତ୍ରଣ ପ୍ରଭୃତି କ୍ଷେତ୍ରରେ ଦକ୍ଷତା ହାସଲ କରିଛନ୍ତି। ଖାଲି ସେତିକି ନୁହେଁ, ଗବେଷଣା, ପ୍ରକାଶନ, ନୀତି ପ୍ରଣୟନ ଓ ପ୍ରକଳ୍ପ ପରିଚାଳନା କ୍ଷେତ୍ରରେ ମଧ୍ୟ ସମାନ ପାରଦର୍ଶିତା ରହିଛି।

ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେବା ବ୍ୟତୀତ ପିକେ ସିହ୍ନାଙ୍କୁ  ମୋଦିଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହି ଦୁଇଟି ଯାକ ପଦବୀର କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ସମାନ ରହିବ କିମ୍ବା ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପିଏମଓରୁ ନୃପେନ୍ଦ୍ର ମିଶ୍ର ଇସ୍ତଫା ଦେବା ପରେ ଏହି ପରିବର୍ତ୍ତନ କରାଯାଇଛି। ୨୦୧୪ରେ ମୋଦି ଦିଲ୍ଲୀ ଆସିବା ପରେ ନୃପେନ୍ଦ୍ର ହିଁ ପ୍ରଥମ ଆଇଏଏସ ଅଫିସର ଯାହାଙ୍କୁ ନିଯୁକ୍ତି ମିଳିଥିଲା। ବ୍ୟକ୍ତିଗତ କାରଣ ଦର୍ଶାଇ ନୃପେନ୍ଦ୍ର ନିକଟରେ ଇସ୍ତଫା ଦେଇଥିଲେ।

ଏହି ଅଦଳ ବଦଳ ପରେ  ମୋଦିଙ୍କ କାର୍ଯ୍ୟାଳୟରେ ତିନି ପ୍ରମୁଖ ପ୍ରଶାସକ ହେଲେ ପିକେ ମିଶ୍ର, ପିକେ ସିହ୍ନା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ। ଏମାନେ ହିଁ ମୋଦିଙ୍କ କୋର ଟିମ୍‌।

Comment