ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟରୁ ଅବସର ଘୋଷଣା କରିବେ କି ଧୋନି ? କ୍ରିକେଟ୍‌କୁ ଗୁଡ୍‌ ବାଏ କହି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବେ ଧୋନି। ଗୁରୁବାର ଏଭଳି କିଛି ଖବର ଜାତୀୟ ଗଣମାଧ୍ୟମରେ ସ୍ଥାନ ପାଇବା ପରେ ସୋସିଆଲ ମିଡିଆରେ ଏକ ପ୍ରକାରର ଝଡ଼ ସୃଷ୍ଟି ହୋଇଯାଇଛି। ତେବେ ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି।

ଗୁରୁବାର କ୍ରିକେଟ୍‌ ଜଗତରୁ ଧୋନି ଅବସର ନେବେ ବୋଲି ଏକ ଖବର ସାମ୍ନାକୁ ଆସିଥିଲା। ଏହାସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଟୁଇଟ୍ ମଧ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। ତେବେ ଏହି ସବୁ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ। ସାକ୍ଷୀ ଟୁଇଟ୍ରେ ଏହାକୁ ଖଣ୍ଡନ କରି ଏହା ଏକ ଗୁଜବ ବୋଲି କହିଛନ୍ତି।

ଗତ ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ୍‌ ଇଣ୍ଡିଆରେ ସାମିଲ ହୋଇନଥିଲେ ଧୋନି। ସେହିପରି ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଆଜି ଘୋଷଣା ହୋଇଥିବା ଦଳରେ ଧୋନିଙ୍କୁ ସ୍ଥାନ ମିଳିନଥିଲା। ଏହାପରେ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେଇଯିବେ ବୋଲି ଚର୍ଚ୍ଚା ଆହୁରି ଜୋର ଧରିଥିଲା।

ତେବେ ଧୋନିଙ୍କ ପତ୍ନୀଙ୍କ ଏହି ଗୋଟିଏ ଟୁଇଟ୍ ସବୁ ଚର୍ଚ୍ଚାର ଅନ୍ତ ଘଟାଇଛି। ପୂର୍ବରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ ଏସ କେ ପ୍ରସାଦ ମଧ୍ୟ ଏହାକୁ ଏକ ଭୁଲ ଖବର ବୋଲି କହିଥିଲେ।

Comment