ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦି ସରକାରଙ୍କ ପକ୍ଷରୁ ନୂଆ ଦିଲ୍ଲୀର ଐତିହାସିକ ରାଜପଥ ଇଲାକାକୁ ନୂଆ ରୂପ ଓ ରଙ୍ଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜପଥ ମାର୍ଗ ଏକ ନୂଆ ଢଙ୍ଗରେ ସଜେଇ ହେବ।

ଏଡବିନ ଲୁଟିଏନ୍ସଙ୍କ ଦ୍ୱାରା କଳ୍ପନା କରାଯାଇଥିବା ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ ଓ ତା ଆଖପାଖ ପ୍ରାୟ ୪ କିମି ପରିମିତ ଅଂଚଳରେ ଅବସ୍ଥିତ ସରକାରୀ କୋଠାଗୁଡ଼ିକୁ ଏକ ନୂଆ ଜୀବନ ଦିଆଯିବ। ରାଜପଥ, ସଂସଦ ଭବନ ଓ ସଚିବାଳୟ ବା ସେଣ୍ଟ୍ରାଲ ସେକ୍ରେଟାରିଏଟ ସବୁକୁ ପୁନର୍ଗଠନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ନାମ ଦିଆଯାଇଛି ‘ସେଣ୍ଟ୍ରାଲ ଭିଷ୍ଟା।’ଏହି ସେଣ୍ଟ୍ରାଲ ଭିଷ୍ଟା ନୂଆ ଭାରତର ମୂଲ୍ୟବୋଧ ଓ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବ ବୋଲି କୁହାଯାଉଛି।

କ’ଣ ବଦଳିବ?

କେବଳ ସଂସଦ ଭବନ ନୁହେଁ ପୂରା ସେଣ୍ଟ୍ରାଲ ଭିଷ୍ଟାର ଚେହେରାରେ ପରିବର୍ତ୍ତନ ଆଣିବାକୁ ମୋଦି ସରକାର ସ୍ଥିର କରିଛନ୍ତି। ଅବଶ୍ୟ ଏବେ ଜଣାପଡିନାହିଁ ସରକାର ଏକ ନୂଆ ପାର୍ଲାମେଣ୍ଟ ଭବନ ତିଆରି କରିବେ କି ବର୍ତ୍ତମାନର ଭବନକୁ ପୁନଃନିର୍ମାଣ କରିବେ। ତେବେ ସରକାର କେନ୍ଦ୍ରୀୟ ସଚିବାଳୟଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ୪ କିମି ଅଞ୍ଚଳକୁ ନୂଆ ରୂପ ଦେବା ପାଇଁ ବଦ୍ଧପରିକର। କେନ୍ଦ୍ର ପୂର୍ତ୍ତ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନିମାନଙ୍କଠାରୁ ଏ ନେଇ  ପ୍ରସ୍ତାବ ମାଗିଛନ୍ତି। ଚଳିତ ୨ ତାରିଖରେ ପ୍ରସ୍ତାବ ମଗାଯାଇଥିଲା ଓ ଅକ୍ଟୋବର ୧୫ ସୁଦ୍ଧା ଆଗ୍ରହୀ କମ୍ପାନିମାନେ ତାହା ଦାଖଲ କରିବା ପାଇଁ କୁହାଯାଇଛି। ଖବର ମିଳିଛି ଯେ ସରକାର ଏହି କାମକୁ ଆସନ୍ତା ୫ ବର୍ଷ ମଧ୍ୟରେ ଅର୍ଥାତ ମୋଦି ସରକାରଙ୍କ ଅମଳରେ ହିଁ ଶେଷ କରିବାକୁ ଚାହୁଁଛନ୍ତି।

ଜାଗା କମ

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ସଂସଦ ଭବନ ୧୯୧୧ ମସିହାରେ ନିର୍ମିତ ହୋଇଥିଲା। ଏହି ଭବନ ତାର ବୟସ ପାଖାପାଖି ବିତେଇ ସାରିଛି। ୟୁପିଏ-୨ ସରକାର ବେଳେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା। କିନ୍ତୁ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଯାଇଥିଲା। ନୂଆ ସଂସଦ ଭବନ ନିର୍ମାଣ ପଛରେ ଏହି ଯୁକ୍ତି ଦର୍ଶାଯାଉଛି ଯେ ବର୍ତ୍ତମାନର ପାର୍ଲାମେଣ୍ଟ ଭବନରେ ଯାଗା କମ। ତା ଛଡ଼ା ଭବିଷ୍ୟତରେ ଯେତେବେଳେ ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହେବ, ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ବର୍ତ୍ତମାନର ଗୃହରେ ସମସ୍ତଙ୍କୁ ବସାଇବା ସମ୍ଭବ ହେବ ନାହିଁ। ସରକାରଙ୍କ ଚିନ୍ତା ହେଉଛି ଯଦି ନୂଆ ସଂସଦ ଭବନ ତିଆରି ହେବ, ବର୍ତ୍ତମାନର ଭବନକୁ ଏକ ସଂଗ୍ରହାଳୟରେ ପରିଣତ କରାଯିବ।

ସଚିବାଳୟ ବଦଳିବ

ମୋଦି ସରକାର ଚାହୁଁଛନ୍ତି କେନ୍ଦ୍ରୀୟ ସଚିବାଳୟର ଢାଞ୍ଚା ବି ବଦଳିବା ଦରକାର। ଏହା ଫଳରେ  କେନ୍ଦ୍ର ସରକାରଙ୍କ ସବୁ ଦପ୍ତର ଗୋଟିଏ ସ୍ଥାନରେ କେବଳ ରହିବ ତାହା ନୁହେଁ, ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ବି ରକ୍ଷା କରାଯାଇ ପାରିବ।ଏବେ କେନ୍ଦ୍ର ସରକାରଙ୍କ ୪୭ଟି ମନ୍ତ୍ରାଳୟ ରହିଛି ଓ ଏଗୁଡିକ ଦିଲ୍ଲୀର ବିଭିନ୍ନ ଇଲାକାରେ ରହିଛି। ସରକାରଙ୍କ ଇଛା କିନ୍ତୁ ନର୍ଥ ବ୍ଲକ ଓ ସାଉଥ ବ୍ଲକ ଆଗରୁ ଯେମିତି ଥିଲା ସେମିତି ରହିବ, କେବଳ ଏହାକୁ ପୁନଃବ୍ୟବସ୍ଥିତ କରାଯିବ।ଯାହା ଜଣାପଡୁଛି ଅକ୍ଟୋବର ୧୫ ଭିତରେ ଆସିଥିବା ପ୍ରସ୍ତାବକୁ ବିଚାରକୁ ନେଇ ସରକାର ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନେବେ।

Comment